ଧୀରେ ଧୀରେ ଲକ୍ଷ୍ମୀକୁ ଆପଣାଉଛନ୍ତି ଗ୍ରାମୀଣ ବସଯାତ୍ରୀ

ପଂଚାୟତରୁ ବସ ବାହାରିଲେ ଅଧିକ ଉପକୃତ ହୋଇଥାନ୍ତେ ଗ୍ରାମୀଣ ଯାତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗଉଡ): ଆଦିବାସୀ ବହୁଳ ରାୟଗଡା ଜିଲ୍ଳାରେ ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଗତ ନଭେମ୍ବର ୨୫ ତାରିଖରେ ‘ଲକ୍ଷ୍ମୀ ବସ’ ଯୋଜନାର ଶୁଭାରମ୍ଭ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଳାର ୧୮୨ ଗୋଟି ଗ୍ରାମ ପଂଚାୟତରେ ୫୨ଟି ବସ ଚଳାଚଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭିିଡିଓ କନଫ୍ରେସିଂ ମାଧ୍ୟରେ ଏହି ଯୋଜନାର ଶୁଭାରମ୍ଭ କରି ଘୋଷଣା କରିଥିଲେ। ବର୍ତମାନ ପ୍ରଥମ ପର୍ଯ୍ୟାୟରେ ଜିଲ୍ଳାକୁ ୪୧ଟି ନନ୍‌-ଏସି ବସ୍ ମିଳିଥିବା ବେଳେ ଆଗାମୀ ଦିନରେ ବଳକା ୧୧ଟି ବସ୍ ସରକାର ଦେବେ ବୋଲି ଜଣାପଡିଛି। ବର୍ତମାନ ବସ ରହଣୀ ନିମନ୍ତେ ୨୯୮ଟି ବସଷ୍ଟପ୍ ପ୍ରସ୍ତୁତ କରାଯାଇଛି । ଜିଲ୍ଳାର ରାୟଗଡା, ବିଷମକଟକ, ଚନ୍ଦ୍ରପୁର, ଗୁଡାରୀ, ଗୁଣପୁର, କଲ୍ୟାଣସିଂହପୁର, କାଶିପୁର, କୋଲନରା, ମୁନିଗୁଡା, ପଦ୍ମପୁର ଓ ରାମନାଗୁଡା ୧୧ଗୋଟି ବ୍ଳକର ୩୯ଟି ରୁଟରେ ଲକ୍ଷ୍ମୀ ବସ ଚଳାଚଳ କରୁଛି। ତେବେ ରାୟଗଡା ଜିଲ୍ଳା ସଦର ମହକୁମାର ଦୈନନ୍ଦିନ ବଜାର, ସ୍ୱାସ୍ଥ୍ୟ ପାଇଁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସହ ଉଚ୍ଚ ଶିକ୍ଷା ନିମନ୍ତେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ ବେସରକାରୀ କାର୍ଯ୍ୟ ଉପରେ ଜିଲ୍ଳାବାସୀ ନିର୍ଭର କରି ଆସୁଛନ୍ତି। ରାୟଗଡା ସଦର ବ୍ଳକର ବିଭିନ୍ନ ପଂଚାୟତର ଜାତି ଓ ଜନଜାତି ବର୍ଗର କ୍ଷୁଦ୍ର ବ୍ୟବସାୟୀମାନେ ବଜାର ଉପରେ ନିର୍ଭର କରି ନିଜ ତଥା ନିଜ ପରିବାରର ଭରଣ ପୋଷଣ କରୁଥିବା ବେଳେ ଅନେକ ଛାତ୍ରଛାତ୍ରୀ ଜିଲ୍ଳା ସଦର ମହକୁମାର ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଏବଂ ଯୁବ ବର୍ଗ ମଧ୍ୟ ରୋଜଗାର ପାଇଁ ରାୟଗଡା ସହର ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ରାୟଗଡା ବ୍ଳକର ଦୁର୍ଗମ ପଂଚାୟତଗୁଡିକରୁ ଅନେକ କ୍ଷୁଦ୍ର ବ୍ୟବସାୟୀ ଘରୋଇ ବସ ଏବଂ ଅଟୋରିକ୍ସାରେ ନିଜ ପନିପରିବା ସହ ଅନ୍ୟାନ୍ୟ ବିକ୍ରି ସାମଗ୍ରୀ ନେଇ ରାୟଗଡା ସହରକୁ ଆସିବାରେ ଅନେକ ଖର୍ଚ୍ଚାନ୍ତ ହେଉଥିଲେ। ତେବେ ଲକ୍ଷ୍ମୀ ବସ ଚାଲିବା ଦିନ ଠାରୁ କିଛି ପ୍ରତିଶତ ଏହି ଯୋଜନାର ଲାଭ ଉଠାଉ ଥିବା ବେଳେ ଏବେ ମଧ୍ୟ ଅନେକ ଗ୍ରାମୀଣ ଯାତ୍ରୀ ଲକ୍ଷ୍ମୀ ବସ ସେବା ସଂପର୍କରେ ଅବଗତ ହୋଇପାରି ନାହାନ୍ତି। ମହିଳା, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗମାନେ ବସରେ ମାତ୍ର ୫ ଟଙ୍କା ସୁଲଭ ମୂଲ୍ୟ ଟିକଟରେ ପଂଚାୟତରୁ ବ୍ଳକ ଏବଂ ବ୍ଳକରୁ ପଂଚାୟତ ତଥା ଜିଲ୍ଳା ସଦର ମହକୁମା ଯାଏଁ ଯିବା ଆସିବା କରିପାରିବା ପାଇଁ ସରକାର ସୁବିଧା ସୁଯୋଗ କରିଛନ୍ତି। କିନ୍ତୁ ଲକ୍ଷ୍ମୀ ବସ ଗୁଡିକ ବର୍ତମାନ ବ୍ଳକ ହେଡ୍ କ୍ୱାଟର୍ସରୁ ସକାଳ ୬ଟାରୁ ବାହାରି ନିଜ ରୁଟ୍ ଅନୁଯାୟୀ ପଂଚାୟତଗୁଡିକୁ ଯାଉଥିବାରୁ ଉକ୍ତ ରୁଟରୁ ଆସୁଥିବା ବ୍ୟବସାୟୀ,ମହିଳା,ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗମାନେ ଠିକ୍ ସମୟରେ ରାୟଗଡାକୁ ପଂହଚି ପାରୁ ନାହାନ୍ତି। ସେମାନେ ଭୋର ସକାଳୁ ବାହାରି ଅଟୋରିକ୍ସା ତଥା ଅନ୍ୟ ମାଧ୍ୟମରେ ଖର୍ଚ୍ଚାନ୍ତ ହୋଇ ରାୟଗଡା ସହରକୁ ପଂହଚି ଯାଉଛନ୍ତି । ଫଳରେ ଲକ୍ଷ୍ମୀ ବସ ସେବାରୁ ଏମାନେ ବଂଚିତ ହେଉଛନ୍ତି। ଯଦି ପଂଚାୟତରୁ ଭୋର ସକାଳୁ ବାହାରି ରାୟଗଡାରେ ଲକ୍ଷ୍ମୀ ବସ ପଂହଚି ପାରିବ ତାହା ହେଲେ ନିଶ୍ଚିତ ଭାବେ ଗ୍ରାମୀଣ ଯାତ୍ରୀମାନେ ଉପକୃତ ହେବେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ରାୟଗଡା ବ୍ଳକର ରାୟଗଡା-ନାକଟି-ରାୟଗଡା, ରାୟଗଡା-କେରଡା-ରାୟଗଡା, ରାୟଗଡା-ଦୁର୍ଗାପାଡୁ-ରାୟଗଡା, ରାୟଗଡା-କାରୁବାଇ-ରାୟଗଡା ଏବଂ ରାୟଗଡା-ମାଟିକଣା-ରାୟଗଡା ୫ଟି ରୁଟରେ ଏହି ବସ ସେବା ଉପଲବ୍ଧ କରାଯାଇଛି। ଏହି ସୁଲଭ ଓ ନିର୍ଭର ଯୋଗ୍ୟ ଲକ୍ଷ୍ମୀ ବସ ସେବା ଦ୍ୱାରା ଗାଁରୁ ସହରକୁ ବସ ସଂଯୋଗ, ଆଂଚଳିକ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ଲକ୍ଷ୍ୟ ସହ ଯାତ୍ରୀ ଏବଂ ସଡକ ବ୍ୟବସ୍ଥାକୁ ଗୁରୁତ୍ୱ ହେଲା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ। ତେବେ କେବେ ସୁଦ୍ଧା ଏହି ଯୋଜନାରେ ସମଗ୍ର ରାୟଗଡା ଜିଲ୍ଳାର ଗ୍ରାମୀଣ ଯାତ୍ରୀ ଉପକୃତ ହୋଇପାରିବେ ତାହା ଆଗକୁ ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.