ଅନେକ ଦିନ ତଳର କଥା । କନକଗିରିରେ ଜଣେ ନନ୍ଦ ବାସ କରୁଥିଲେ । ତାଙ୍କର ଏକ ପରମ ସୁନ୍ଦରୀ କନ୍ୟା ଥିଲା । ତା’ ନାଁ ପଦ୍ମିନୀ । ପଦ୍ମନୀ ଯୌବନରେ ପାଦ ଥିପିଥାଏ । ନନ୍ଦ ବୁଢାର ବିଶାଳ ଗାଇ ଗୋଠ ଥାଏ । ତାଙ୍କର କେତେ ଗାଇ ଥିଲା ତାହା ଗଣିବା ଦୁରୁହ ବ୍ୟାପାର । କନକଗିରି ଗୋଠରୁ ଗାଇ ଛାଡିଦେଲେ ତାହା ତୈତଲିକ ଜନପଦ ପର୍ଯ୍ୟନ୍ତ ଲମ୍ବି ଯାଉଥିଲା । ନନ୍ଦ ବୁଢାର ଗାଇ ଜଗିବାରେ ୭ଖଣ୍ଡ ଗାଁର ଅନେକ ଗଉଡ ନିଯୁକ୍ତ ହୋଇଥିଲେ । ବୁଢା ସକାଳୁ ଯାଇ ସନ୍ଧ୍ୟାରେ ଘରକୁ ଫେରନ୍ତି । କୃଷ୍ଣ ଭଜନ ଓ ଗୋସେବାରେ ହିଁ ତାଙ୍କର ଦିନ ବିତୁଥାଏ । ପଦ୍ମିନୀର ମାଁ ଅନେକ ଦିନରୁ ସ୍ବର୍ଗାରୋହଣ କରିଥାନ୍ତି । ସେ ପ୍ରତିନିନ ମଧ୍ୟାନ୍ନରେ ଖାଇବାନେଇ ବାପାଙ୍କୁ ଦେଇ ଆସୁଥିଲା ।
ସେହି ଅଞ୍ଚଳ ଜଣେ କନ୍ଧ ଉମରାଙ୍କ ଅଧିନରେ ରହିଥାଏ । ସେହି ସମୟରେ ଗୋଟିଏ ବାଘ ଭାରି ଉତ୍ପାତ କରୁଥାଏ । ବାଘ ପାଇଁ ଅନେକ ଧନ ଜୀବନ ଚାଲି ଯାଉଥାଏ । ଉମରାଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ମଧ୍ୟ ବାଘକୁ ଜବତ କରିହେଉ ନଥାଏ । ଠିକ ସେହି ସମୟରେ କନକଗିରିକୁ ଜଣେ ନୂତନ ଆଗନ୍ତୁକଙ୍କ ଆଗମନ ହେଲା । ବଡ ଡଙ୍ଗର ପାଖରେ ବାଘ ତାଙ୍କର ବାଟ ଓଗାଲିଲା । ସେହି ଯୁବକ ବାଘ ସହ ଯୁଦ୍ଧ କରି କରାଗତ କଲେ । ସେ ବାଘକୁ ଏକ ସିଆଲ୍ ପଟରେ ବାନ୍ଧି ଉମରାଙ୍କ ଘରେ ହାଜର ହେଲେ । ଉମରା ତାଙ୍କୁ ସସମ୍ମାନେ ନେଇ ଘରେ ବସାଇ ସତ୍କାର କଲେ । ସନ୍ଧ୍ୟାରେ ଦରବାରକୁ ସବୁ ଗାଁର ଗୌନ୍ତିଆମାନଙ୍କୁ ଡକାଗଲା । ସେଠାରେ ନୂତନ ଯୁବକ ପାଇଁ ଏକ ସ୍ବତନ୍ତ୍ର ଆସ୍ଥାନର ବ୍ୟବସ୍ଥା କରାଗଲା । ମାନ୍ୟଗଣ୍ୟ ବ୍ୟକ୍ତି ଓ ଗୌନ୍ତିଆମାନେ ସେହି ଯୁବକଙ୍କୁ ଅଭିଭାଦନ ଜଣାଇଲେ । କନ୍ଧ ଉମରା ଯୁବକଙ୍କ ପରିଚୟ ଜିଜ୍ଞାସା କଲେ । ଯୁବକ ଜଣକ ସମସ୍ତଙ୍କୁ ସମ୍ମାନ ଜଣାଇ ନିଜ ପରିଚୟ ପ୍ରକାଶ କଲେ । ସେ କହିଲେ – ହେ ମୋର ପୂଜ୍ୟ ପ୍ରତିମ ଉମରା ମହାଶୟ ଓ ସଭାସଦ ବୃନ୍ଦ । ମୁଁ କଳିଙ୍ଗ ଯୁଦ୍ଧରେ ଭାଗ ନେଇଥିବା ଜଣେ ସେନାପତି । ମୁଁ ମଗଧ ଦେଶର ଅଧିବାସୀ ଓ ମୋ ନାଁ ପ୍ରଶନ୍ନଜିତ । ଆମର ସମ୍ରାଟ ଧର୍ମଛଡା ହେବାପରେ ମୋପରି ଅନେକ ଲୋକ କଳିଙ୍ଗରେ ଆଉ ରହିବାକୁ ଚାହିଁଲୁ ନାହିଁ । ସମ୍ରାଟ ମଧ୍ୟ ସ୍ବାତତ ଧର୍ମ ରକ୍ଷା ଉଦ୍ଦେଶ୍ୟରେ ଆମ୍ଭମାନଙ୍କୁ କଳିଙ୍ଗରେ ନରଖି ଆଟବିକ ରାଜ୍ୟରେ ବସତି ସ୍ଥାପନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଆପଣମାନେ ବି ଜାଣିଛନ୍ତି ଯେ ଆଟବିକ ଶାସନକର୍ତ୍ତାଙ୍କ ସହ ଏ ବିଷୟରେ ସମ୍ରାଟ ଆଲୋଚନା କରିଛନ୍ତି ଓ ଶାସକ ଏଠାରେ ମଗଧବାସୀ ରହିବାକୁ ସମ୍ମତ୍ତି ପ୍ରକାଶ କରିଛନ୍ତି । ମୋ ସହ ଆଉ କେତେଜଣ ମଗଧବାସୀ ମଧ୍ୟ ଏ ଅଞ୍ଚଳକୁ ଆସିଛନ୍ତି, ତେବେ ବନବାସୀମାନେ ବିରୋଧ କରିବାରୁ ସେମାନେ ବଡ ଡଙ୍ଗରରେ ହିଁ ରହି ଯାଇଛନ୍ତି । ଆମେ ପ୍ରକୃତି ଉପାସକ ଓ ଏକ ବ୍ରହ୍ମରେ ବିଶ୍ବାସ କରୁ । ନିଜ କର୍ମକୁ ହିଁ ଧର୍ମ ବୋଲି ବିବେଚନା କରୁ । ରାଜ୍ୟରକ୍ଷା ଆମର ପରମ କର୍ତ୍ତବ୍ୟ ।
ମଗଧବାସୀ ଯୁବ ସେନାପତିଙ୍କ କଥାରେ ଉମରା ବିମୋହିତ ହୋଇଗଲେ ଓ ଏଠାରେ ବସତି ସ୍ଥାପନ କରିବାକୁ ଅନୁରୋଧ କଲେ । ଯୁବ ସେନାପତି ତାଙ୍କର ଦଳବଳ ସହ କନକଗିରିରେ ରହିବେ ବୋଲି ସମ୍ମତ୍ତି ପ୍ରଦାନ କଲେ । ଉମରା ତାଙ୍କୁ ଜମିଦାରିର ସୁରକ୍ଷା ଭାର ଅର୍ପଣ କଲେ । କନକଗିରିରେ ବିଦେଶାଗତ ଲୋକଙ୍କ ଏକ ନୂତନ ବସତି ଗଢି ଉଠିଲା । ଏମାନେ ଜଙ୍ଗଲ ସଫାକରି କୃଷି କର୍ମ କରିବାକୁ ଲାଗିଲେ । ଅଳ୍ପ ଦିନ ଭିତରେ ସେମାନଙ୍କ ଆର୍ଥିକ ଅବସ୍ଥା ସୁଦୃଢ ହେବାରେ ଲାଗିଲା । ସେମାନେ ଏକ ବୀର ଜାତି ହେଲେ ମଧ୍ୟ ସମସ୍ତଙ୍କ ସହ ସୁସଂପର୍କ ରକ୍ଷା କରିବାରେ ଉସ୍ତାଦ ଥିଲେ । ମଗଧରୁ ଆସିଥିବାରୁ ଏମାନଙ୍କୁ ସ୍ଥାନୀୟ ଲୋକେ ମଗଧା ଗଉଡ ବୋଲି କହିବାକୁ ଲାଗିଲେ ।
ପ୍ରସନ୍ନଜିତ ପ୍ରତିଦିନ ବଣ ଜଙ୍ଗଳରେ ଘୁରିବୁଲି ଜୀବଯନ୍ତୁ ଶିକାର କରି ଆଣନ୍ତି । ଦିନେ ଜଙ୍ଗଲ ଭିତରେ ନନ୍ଦ ବୁଢାର ଝିଅ ପଦ୍ମିନୀକୁ ଦେଖି ତା’ର ପ୍ରେମରେ ପଡିଗଲେ । ପଦ୍ମିନୀ ମଧ୍ୟ ପ୍ରସନ୍ନଜିତଙ୍କ ପ୍ରେମରେ ପଡିଗଲା । ଏମିତି କିଛି ଦିନ ବିତିଗଲା । ଦିନେ ସନ୍ଧ୍ୟାରେ ନନ୍ଦ ବୁଢା ଘରକୁ ଫେରି ଦେଖିଲେ, ଝିଅ ପଦ୍ମିନୀ ନାହିଁ । ସେ ବହୁତ ଖୋଜା ଖୋଜି କରିବାପରେ ନିରାଶ ହୋଇ ମଗଧା ବସ୍ତିରେ ପ୍ରବେଶ କଲେ । ପ୍ରସନ୍ନଜିତ ଓ ପଦ୍ମିନୀ ଘରୁ ବାହାରି ନନ୍ଦ ବୁଢାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ।
ନନ୍ଦ ବୁଢା ଦୁହିଁଙ୍କୁ ଆଶୀର୍ବାଦ ପ୍ରଦାନକରି କହିଲେ – ବାବୁ ପ୍ରସନ୍ନଜିତ, ମୋର ସନ୍ତାନ କହିଲେ ଏକମାତ୍ର ଏହି ପଦ୍ମିନୀ । ସେ ଗେଲ ବସରରେ ବଢି ଆସିଛି । ତୁମେ ଯଦୁବଂଶୀ ହେଲେ ମଧ୍ୟ ମହାରାଜ ଜରାସନ୍ଧଙ୍କ ରାଜ୍ୟବାସୀ ହୋଇଥିବାରୁ ମଦ, ମାଂସ ଭକ୍ଷଣ କରିଥାଅ । ଆମେ ଏହାର ଘୋର ବିରୋଧୀ । ତେବେ ତୁମେ ମୋ ଝିଅକୁ ଗ୍ରହଣ କରିଥିବାରୁ ତୁମକୁ ଗୋଟିଏ ଅନୁରୋଧ କରୁଛି, ରଖିବ ତ ?
ପ୍ରସନ୍ନଜିତ କହିଲେ- ଆପଣ ମୋର ପିତା ସମାନ । ତେଣୁ ଯାହାବି ଆଦେଶ ଦିଅନ୍ତୁ, ଅନୁରୋଧ ନୁହଁ ।
ନନ୍ଦ ବୁଢା କହିଲେ- ମୋ ଝିଅକୁ କେବେବି କୁକୁଡା ମାଂସ ଖୁଆଇବ ନାହିଁ କି ମଦ ଆଣିବାକୁ ପଠାଇବ ନାହିଁ । ପ୍ରଶନ୍ନଜିତ ସୂର୍ଯ୍ୟ ଚନ୍ଦ୍ରଙ୍କୁ ସାଖି ରଖି ପ୍ରତିଜ୍ଞା କଲେ ଯେ, ମୋ ଘରେ ଜନ୍ମିତ କୌଣସି ଝିଅ କୁକୁଡା ମାଂସ ଖାଇବେନାହିଁ । ସେହି ଦିନଠାରୁ ମଗଧା ଯାଦବ ଘରର ଝିଅ ବୋହୁ କୁକୁଡା ମାଂସ ଖାଆନ୍ତି ନାହିଁ ।
ଉପସ୍ଥାପନା : ସୁନୀଲ କୁମାର ଧଙ୍ଗଡାମାଝୀ
ସମ୍ପାଦକ, ଓଡ଼ିଆ ବାର୍ତ୍ତା
_________________________________________