● ସପ୍ତମଶ୍ରେଣୀରୁ ଲେଖିବା ଆରମ୍ଭ କରିଥିଲି -କୁନ୍ତଳା ପାତ୍ର
କଳାହାଣ୍ଡି,(ହେମନ୍ତ ସାହୁ): ବିଶ୍ୱମହାମାରୀ କରୋନାର ପ୍ରଭାବରେ ଆମେ ସମସ୍ତେ କବଳିତ ହେଇଛେ । ଅନେକ ଆପଣାର ଲୋକଙ୍କୁ ହରାଇବାର ଦୁଃଖ ସବୁ ଆମକୁ ଦୁଃଖିତ କରିଛି ସତ କିନ୍ତୁ ଏହି ଲକଡ଼ାଉନ ଜୀବନ ଜୀବିକାକୁ ପ୍ରଭାବିତ କରିବା ଭଳି ଅନେକ ନୂତନ କଳା ତଥା ପ୍ରତିଭା ମଧ୍ୟ ଲୋକଲୋଚନକୁ ଆସିଛି । ଆମ ସାମ୍ନାରେ ଆଜି ବଣମଲ୍ଲୀଟିଏ । କିନ୍ତୁ ବଣରେ ଫୁଟିବା ଆଗରୁ ସିଏ ନିଜେ ବାପାଙ୍କୁ କହି ନିଜେ ଲେଖିଥିବା ଗଳ୍ପ ସବୁକୁ ବହି ଆକାରରେ ଛପେଇବା ପାଇଁ ଅନୁରୋଧ କଲା । ବାପା ବି ସହମତି ଦେଲେ, ଆଉ ଝିଅ କୁନ୍ତଳାକୁ ଧରି ମ.ରାମପୁରସ୍ଥିତ ବୁକଲ୍ୟାଣ୍ଡକୁ ଆସିଥିଲେ ବହି ଛପେଇବା ପାଇଁ । ବୁକଲ୍ୟାଣ୍ଡ ସତ୍ୱାଧିକାରୀ ରାକେଶ ଶତପଥୀ ଏ ସଂକ୍ରାନ୍ତରେ ଆମ ପ୍ରତିନିଧିଙ୍କୁ ଯୋଗାଯୋଗ କରି କୁନି ଝିଅ ସହିତ ଦେଖା କରେଇଥିଲେ, ଦେଖା ହେଲାପରେ ଝିଅଟି ନିଜର ପାଣ୍ଡୁଲିପିଟି ବଢେଇଦେଇଥିଲା । ପାଣ୍ଡୁଲିପି ଉପରେ ଆଖି ବୁଲଉ ବୁଲଉ ଦେଖିଥିଲୁ, କି ଚମତ୍କାର ଶିଶୁ ଗଳ୍ପ ସବୁ । ସବୁ ଗଳ୍ପରେ ରହିଛି ସମାଜ ପ୍ରତି ବାର୍ତ୍ତା । କାହିଁକି ଗଳ୍ପ ଲେଖାପ୍ରତି ମନହେଲା ପଚାରିବାରୁ କୁନ୍ତଳା କହିଲେ, ମୁଁ ସପ୍ତମ ଶ୍ରେଣୀରୁ କବିତା ଲେଖୁଥିଲି କିନ୍ତୁ ଲକଡ଼ାଉନ ସମୟରେ ଖୁବ ସମୟ ମିଳିବାରୁ ଗଳ୍ପ ବହି ସବୁ ପଢୁ ପଢୁ ଗଳ୍ପ ଲେଖିବାକୁ ଇଚ୍ଛା ହେଲା ଏବଂ ତା ପରେ ପରେ ଗୋଟିଏ ପରେ ଗୋଟିଏ ଗଳ୍ପ ଲେଖିଲି । ଏବେ ସମୁଦାୟ ୨୧ଟି ଗଳ୍ପର ପାଣ୍ଡୁଲିପିଟିଏ ପ୍ରସ୍ତୁତ କରିଛି । ତେବେ କୁନ୍ତଳାଙ୍କ ଘର ସହର ରେ ନୁହେଁ, ଗୋଟିଏ ଆଦିବାସୀ ଇଲାକାରେ ତାଙ୍କରି ଘର ।
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଆଦିବାସୀ ତଥା ବଣପାହାଡ଼ଘେରା ଡ଼ୁଡ଼ୁକାରଂଜା ଗ୍ରାମ ପଂଚାୟତ ଡ଼ୁଡ଼ୁକାରଂଜା ଗ୍ରାମରେ ରୁହନ୍ତି ଭାରତୀ ପାତ୍ର ଏବଂ ଶୋଭାଗିନୀ ପାତ୍ର । ବାପା ଜଣେ ଶିକ୍ଷକ । ତାଙ୍କରି ଚାରି ପୁଅଝିଅ ମଧ୍ୟରୁ ଦ୍ୱିତୀୟ ଝିଅ କୁନ୍ତଳା ପାତ୍ର ଏବେ ମଧୁପୁର କନ୍ୟାଶ୍ରମରେ ରହି ନବମ ଶ୍ରେଣୀରେ ପାଠପଢୁଛନ୍ତି । ସେଠାରେ ସେ ସପ୍ତମ ଶ୍ରେଣୀରେ ପଢିବା ବେଳୁ ହିଁ ପ୍ରଥମେ କବିତା ଏବଂ ଏବେ ଏବେ ଗଳ୍ପ ଲେଖାରେ ମନୋନିବେଶ କରିଛନ୍ତି । କେବଳ ଗଳ୍ପ ନୁହେଁ ସେ ଗଳ୍ପ ବ୍ୟତିରେକ ଚିତ୍ର ଏବଂ କଣ୍ଠ ସଙ୍ଗୀତ ପ୍ରତି ବି ଋଚି ରଖିଛନ୍ତି । ନବମ ଶ୍ରେଣୀର ଝିଅ ହେଇ ସେ ସୁନ୍ଦର ସୁନ୍ଦର ଏକୋଇଶିଟି ଶିଶୁଗଳ୍ପ ଲେଖିଛନ୍ତି । ଗଳ୍ପଗୁଡ଼ିକର ଶିର୍ଷକରୁ ବାରି ହେଇପଡ଼ୁଛି ଏହି କୁନି ଝିଅର ଗଳ୍ପକଳା । ଗଳ୍ପ ଗୁଡ଼ିକ ମଧ୍ୟରେ ରହିଛି, ଜଙ୍ଗଲ କାନ୍ଦୁଛି, ତାଙ୍କ ଭଳି ହେବି, ପ୍ରକୃତ ଅନ୍ଧ, ପ୍ରକୃତ ବନ୍ଧୁ ଶିକ୍ଷା, ମିଛର ଫଳ, ବଞ୍ଚିବାର କଳା, ମିତ୍ରଠାରୁ ଶତ୍ରୁ ଭଲ, ସବୁଠାରୁ ବଳି ଦରିଦ୍ର ପରି ଗଳ୍ପ ସମୁହ । ଗଳ୍ପଗୁଡ଼ିକ ଖୁବ ସୁଖପାଠ୍ୟ ହେଇଛି ଏବଂ ଶିକ୍ଷା ତଥା ସମାଜ ସଚେତନତାର ବାର୍ତ୍ତା ଖୁନ୍ଦି ହେଇ ଭରି ରହିଛି । ଆଜି ଏହି ଝିଅଟି ନିଜର ଗଳ୍ପଗୁଡ଼ିକୁ ନେଇ ବହି କରିବାକୁ ଆସିବା, ଆଉ ମାତ୍ର ପାଂଚଖଣ୍ଡ ବହି ଛାପିବାର ଇଚ୍ଛା ତାଙ୍କରି ସୃଜନମନସ୍କତାର ଢେର ପ୍ରମାଣ ଦିଏ । କୁନ୍ତଳାଙ୍କ ସୃଜନ ଆଉ ବଣରେ ରହିବନି କି ପାଣ୍ଡୁଲିପି ଅଛପା ହେଇରହିବନି, ଦିନେ ନିଶ୍ଚୟ ଏହି କୁନି ପ୍ରତିଭା ଓଡ଼ିଆ ସାହିତ୍ୟରେ ଖୁବ ନାମ କରିବେ ବୋଲି ଯୁଗଯାତ୍ରୀ ସାହିତ୍ୟ ସଂସଦର ସଂପାଦକ ହେମନ୍ତ ସାହୁ ପ୍ରକାଶ କରିଛନ୍ତି ।