ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା: ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ସ୍ଥାନୀୟ ବାସିନ୍ଦା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିଠାରେ ଥିବା ବହୁ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ.ଜି.ବି.ଭି) କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ।


ସୂଚନା ପ୍ରକାରେ ଦୀର୍ଘ ବର୍ଷ ଧରି ବାଲିଗୁଡ଼ା ବାସିନ୍ଦା ଗୁଣ୍ଡିଚା ଦାସଙ୍କ ଓ ବିଦ୍ୟାଳୟ ସହ ଜମି ବିବାଦ ଲାଗିରହିଥିଲା ଏବଂ ମାମଲା ଉଚ୍ଚ ନ୍ୟାୟାଳୟରେ ଥିଲା । ବର୍ତ୍ତମାନ ସମୟରେ ଗୁଣ୍ଡିଚା ଦାସ ଉକ୍ତ ମାମଲାରେ ଡିଗ୍ରୀ ହାସଲ କରିଥିବା ଦର୍ଶାଇ କାହାକୁ ନଜଣାଇ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଶ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ରହୁଥିବା ବେଳେ ବିଦ୍ୟାଳୟ ପାଚେରୀ ଭାଙ୍ଗିବା ପରେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ଦୀର୍ଘ ବର୍ଷ ଧରି ବିବାଦ ଲାଗିଥିବାବେଳେ ଏହି ଘଟଣାରେ ସ୍ଥାନୀୟ ତହସିଲଦାର ଓ ରେଭିନ୍ୟୁ ବିଭାଗର ଅଜାଣତରେ କିଭଳି ବିଦ୍ୟାଳୟର ପାଚେରୀ ଭଙ୍ଗାଗଲା ଏହାର ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିବା ସହ ବର୍ତ୍ତମାନ ଆଶ୍ରମରେ ରହୁଥିବା ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବୀ କରି ସକାଳ ୮ ଘଣ୍ଟ ଠାରୁ ଅପରାହ୍ନ ୫ ଘଣ୍ଟ ପର୍ଯ୍ୟନ୍ତ ବସଷ୍ଟାଣ୍ଡ ନିକଟ ବୁଡାଗୁଡ଼ା ଛକ ୫୯ ନଂ ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି । ଯାହା ଫଳରେ ରାସ୍ତା ର ଦୁଇ ପାର୍ଶ୍ଵ ରେ ଯାନବାହାନ ଗୁଡିକ ଅଟକି ରହିଛି । ସେପଟେ ଯେପର୍ଯ୍ୟନ୍ତ ପ୍ରଶାସନ ଏହାର ସୁବିଚାର ନକରିଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.