ଭୁର୍ଟିଗଡ଼ ଅଞ୍ଚଳରେ ମୋବାଇଲ୍ ଟାୱାର ସ୍ଥାପନ ଦାବି କଲେ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବର୍ତ୍ତମାନ ସାରାଦେଶରେ ଡିଜିଟାଲ ଇଣ୍ଡିଆ ଓ ୫-ଜି ଯୁଗ ଆରମ୍ଭ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଭୁର୍ଟିଗଡ ଗ୍ରାମପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ସାଧାରଣ ମୋବାଇଲ ଫୋନ୍ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ମୋବାଇଲ ଯୋଗାଯୋଗ ନଥିବା ହେତୁ ଅଞ୍ଚଳରେ ଗର୍ଭବତୀ, ପ୍ରସୂତି କିମ୍ବା ଅନ୍ୟ କୌଣସି ରୋଗୀ ପାଇଁ ଆମ୍ବୁଲାନ୍ସଟିଏ ଯୋଗାଡ ହୋଇପାରେ ନାହିଁ । ଟେଲି ଯୋଗାଯୋଗ ଅଭାବରୁ ପିଲାଙ୍କ ଅନଲାଇନ୍ ପାଠପଢା, ଅନଲାଇନ ଆବେଦନ ସମେତ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ରହିବାକୁ ପଡୁଛି । ଜରୁରି ସମୟରେ ବିକଳ ହୋଇ ପାହାଡ କିମ୍ବା ଗଛ ଚଢି ଫୋନ୍ କରିବାକୁ ଲୋକେ ବାଧ୍ୟ ହୋଇଥାନ୍ତି । ଏହାକୁ ନେଇ ଆଜି ଭୁର୍ଟିଗଡ ଅଞ୍ଚଳବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ବିଏସ୍‌ଏନ୍‌ଏଲ୍ ଟେଲିକମ୍ ଉପଖଣ୍ଡ ଅଧିକାରୀ କେସି ଲେଙ୍କା ଓ ଜିଓ ନେଟୱାର୍କ ମ୍ୟାନେଜର ଅକ୍ଷୟ କୁମାର ମଲ୍ଲିକଙ୍କୁ ସାକ୍ଷାତ କରି ନିଜର ଦାବି ଉପସ୍ଥାପନ କରିଛନ୍ତି । ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ଅମୀର ନାଏକ, ଚନ୍ଦ୍ରମଣି ନାଏକ, ଶଶୀଧର ନାଏକ, ଶୁକଦେବ ନାଏକ, ରାଜେଶ ହିଆଁଲ, ଚତୁର୍ଭୂଜ କରୁଆଁ, ପ୍ରଶାନ୍ତ ନାଏକ, ଗୋବର୍ଦ୍ଧନ ନାଏକ, ଦୀନବନ୍ଧୁ ହରପାଲ, ନେତ୍ରମଣି ପାତ୍ର, ସୁରେନ୍ଦ୍ର ପାତ୍ର, ସୁବାସ ପାତ୍ର, ସୋମନାଥ ପାତ୍ର, ମୂରଲୀ ନାଏକ, ଅକ୍ଷୟ ନାଏକ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ଏହାସହିତ ମୋବାଇଲ ଟାୱାର ସ୍ଥାପନକୁ ନେଇ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଡାକ ଯୋଗେ ପତ୍ର ପ୍ରେରଣ କରିଥିବାବେଳେ ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କୁ ମଧ୍ୟ ସେମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.