“ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା” ଶୀର୍ଷକ ଏକଦିବସୀୟ ଆଲୋଚନାଚକ୍ର ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଯେଉଁ ସ୍ୱଦେଶାନୁରାଗ ଓ ଭାବପ୍ରବଣତା ଗୋଟିଏ ଜାତିକୁ ଆନୁଗତ୍ୟ, ସହାନୁଭୂତି ଓ ସାଂସ୍କୃତିକ ବନ୍ଧନ ମଧ୍ୟରେ ବାନ୍ଧି ଜନସାଧାରଣଙ୍କ ମଧ୍ୟରେ ଏକତାର ଭାବ ସୃଷ୍ଟି କରିଥାଏ; ତାହା ଜାତୀୟତାବାଦ। ଓଡ଼ିଆ ସାହିତ୍ୟରେ ଉତ୍କଳ ଦୀପିକା, ବାଲେଶ୍ଵର ସମ୍ବାଦବାହିକା, ସମ୍ବଲପୁର ହିତୈଷିଣୀ, ଉତ୍କଳପୁତ୍ର, ପୁରୁଷୋତ୍ତମ ଚନ୍ଦ୍ରିକା, ଉତ୍କଳ ସାହିତ୍ୟ ଆଦି ପତ୍ରିକାର ଭୂମିକା ମଧ୍ୟ ଏ କ୍ଷେତ୍ରରେ ସ୍ମରଣୀୟ। ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ଦାସ, ଗଙ୍ଗାଧର ମେହର, ନନ୍ଦକିଶୋର ବଳ, କୁନ୍ତଳାକୁମାରୀ ସାବତଙ୍କ ସମେତ ସତ୍ୟବାଦୀର ସାଧକଗଣ ତଥା ଅନ୍ୟାନ୍ୟ କବିମାନେ ସେମାନଙ୍କ କବିତାରେ ଐତିହ୍ୟ ପ୍ରୀତି, ମାତୃଭୂମି ପ୍ରୀତି, ଭାଷାପ୍ରୀତି, ଆଞ୍ଚଳିକତାର ମୋହ ଓ ସର୍ବୋପରି ମୁକ୍ତି ଆନ୍ଦୋଳନ ପ୍ରତି ରହିଥିବା ସମର୍ଥନକୁ ପ୍ରକାଶ କରି ନିଜ ନିଜର ଜାତୀୟ ଚେତନାର ଯଥାର୍ଥ ପରିଚୟ ପ୍ରଦାନ କରିପାରିଅଛନ୍ତି ବୋଲି ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ପ୍ରୟାସରେ ଭୁବନେଶ୍ଵରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ “ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା” ଶୀର୍ଷକ ଏକଦିବସୀୟ ଆଲୋଚନାଚକ୍ରରେ ଆମନ୍ତ୍ରିତ ଅତିଥି ଓ ବକ୍ତାଙ୍କ ଦ୍ଵାରା ମତପ୍ରକାଶ ପାଇଛି।

ଉଦ୍‌ଘାଟନୀ ଅଧିବେଶନରେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର ବରୁଣ ଗୁଲାଟି ଏହାର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବିଶିଷ୍ଟ କଥାକାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା ଶୀର୍ଷକ ବିଷୟବସ୍ତୁ ଉପରେ ନିଜର ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଆ ଜାତିର ଜନଜୀବନକୁ ସଂଗଠିତ କରିବା କ୍ଷେତ୍ରରେ ତଥା ଓଡ଼ିଆ କବିତାରେ ରହିଥିବା ଜାତୀୟତାବାଦୀ ଚେତନାରେ ଚିରନମସ୍ୟ ସାଧକମାନଙ୍କର ଅବଦାନ ଅବିସ୍ମରଣୀୟ ବୋଲି ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ବିଶିଷ୍ଟ ଅନୁବାଦିକା ତଥା ସୁଲେଖିକା ଡକ୍ଟର ଶକୁନ୍ତଳା ବଳିଆରସିଂହ ଆଲୋଚ୍ୟ ବିଷୟବସ୍ତୁକୁ ନେଇ ମୂଳ ଭାଷଣ ପ୍ରଦାନ କରିଥିଲେ। ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ସଭାମୁଖ୍ୟ ଭାବରେ ଯୋଗଦାନ କରି ପୂର୍ବରୁ ଆଲୋଚନା କରିଥିବା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ବକ୍ତବ୍ୟ ସଂପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ଗାଥାକବିତା ଓ ବିଭିନ୍ନ ଉଦ୍‌ବୋଧନ ମୂଳକ କବିତାରେ ଓଡ଼ିଶାର ଜାତୀୟ ଜୀବନ କିପରି ସଂଗଠିତ ହୋଇପାରିଥିଲା ଏହାରି ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସାହିତ୍ୟ ଅକାଦେମି ପକ୍ଷରୁ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଥମ ଅଧିବେଶନରେ ଡକ୍ଟର ବାସୁଦେବ ଦାସଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ଅରୁଣ କୁମାର ସାହୁ, ବିଶ୍ଵରଂଜନ ଦାସ ଓ ନାରାୟଣ ପଣ୍ଡା ତତ୍‌ସହ ଦ୍ଵିତୀୟ ଅଧିବେଶନରେ ସଭାମୁଖ୍ୟ ଭାବେ ପ୍ରଫେସର ଉଦୟନାଥ ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ଡକ୍ଟର ରମେଶ ଚନ୍ଦ୍ର ବେହେରା ଓ ରଂଜିତ ପରିଡ଼ା ଯୋଗଦାନ କରି ପ୍ରବନ୍ଧ ଉପସ୍ଥାପନ କରିଥିଲେ। ପରିଶେଷରେ ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାହିତ୍ୟ ଅକାଦେମି ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀ ଓ ବିକ୍ରୟ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.