MDM ଚାଉଳ ଯୋଗାଣରେ ଦୁର୍ନୀତିର ଗନ୍ଧ ! ଭିଜିଲାନ୍ସ ତଦନ୍ତ ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ଶିଶୁମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରତି ଆକୃଷ୍ଟ କରିବାସହ ଉତ୍ତମ ଶୈଖିକ ପରିବେଶ ସୃଷ୍ଟି କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରାଉଛନ୍ତି। ସେଥି ମଧ୍ୟରୁ ମଧ୍ୟାହ୍ନ ଭୋଜନ (ଏମଡିଏମ) ଏକ ଉତ୍ତମ ଯୋଜନା। ତେବେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକରେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ଦୃଷ୍ଟି ଗୋଚର ହେଉଛି। ଏଠାରେ ମଧ୍ୟାହ୍ନ ଭୋଜନ ଚାଉଳ ପରିବହନ ପାଇଁ କଟକର ମାଁ ତାରିଣୀ ସପ୍ଲାୟର୍ସକୁ ଠିକା ଦିଆଯାଇଛି। ଉକ୍ତ ସଂସ୍ଥାର ଚୁକ୍ତି ବହୁ ପୂର୍ବରୁ ପୂରଣ ହୋଇସାରିଛି। ଅବଧି ଶେଷ ହେବା ପରେ ଗତ ୨୦୧୮ ଜୁଲାଇରେ ନୂଆ ଠିକାଦାର ନିଯୁକ୍ତି ପାଇଁ ଟେଣ୍ଡର ବିଜ୍ଞପ୍ତି ଜାରି କରାଯାଇଥିଲା। କିନ୍ତୁ କୌଣସି କାରଣରୁ ସେ ସମୟରେ ଯଥେଷ୍ଟ ବିଡର୍‌ ଆବେଦନ କଲେନାହିଁ। ସେହିଦିନଠାରୁ ପରବର୍ତ୍ତୀ ସମୟରେ ଆଉ ଟେଣ୍ଡର ଆହ୍ଵାନ ନ କରି ସେହି ପୁରୁଣା ସଂସ୍ଥା ମାଁ ତାରିଣୀ ସପ୍ଲାୟର୍ସ ସହ ଚୁକ୍ତି ନବୀକରଣ କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲା ଟେଣ୍ଡର କମିଟି ଓ ଡିଇଓ-ଡିପିଏମୟୁ (ଏମଡିଏମ୍) ତଥା ଠିକାଦାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ, କୌଣସି ପରିସ୍ଥିତିରେ ମଧ୍ୟ ଡିଏସସି ଗୋଦାମରୁ ଚାଉଳ ଉଠାଣ ପରେ ପରିବହନ ହେଲା ବାଟରେ ରହିପାରିବ ନାହିଁ, ସିଧା ସ୍କୁଲରେ ପହଞ୍ଚିବ। ସ୍କୁଲରେ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ଚାଉଳ ଓଜନ ହିସାବରେ ଦିଆଯିବ। ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କଠାରୁ ପ୍ରାପ୍ତି ସ୍ଵୀକାର ପତ୍ର ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କଠାରେ ଜମା କରାଯିବ। ସ୍ବୀକୃତିପ୍ରାପ୍ତ ଠିକାଦାର ଏହି କାମ ପାଇଁ ସବ୍‌-କଣ୍ଟ୍ରାକ୍ଟର ନିଯୁକ୍ତ କରିପାରିବେ ନାହିଁ। କିନ୍ତୁ ନର୍ଲା ବ୍ଲକରେ ରୁପ୍ରାରୋଡ଼ର ମନୀଷ ଶର୍ମା ନାମକ ବ୍ୟକ୍ତି ସବ୍-କଣ୍ଟ୍ରାକ୍ଟର୍ ଭାବରେ ଚାଉଳ ବଣ୍ଟନ କରୁଥିବା ଜଣାପଡ଼ିଛି। ଠିକାଦାର ଚୁକ୍ତି ଖୁଲାପ କଲେ ଆଇ ପି ସି/ଇ ସି ଏ/ ଏନ୍ ଏଫ୍ ଏସ୍ ଏ ୨୦୧୩/ଏମଡିଏମ ଆଇନ ୨୦୧୬ ଓ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଦ୍ବାରା ଜିଲା ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ (ଏମଡିଏମ୍) ମାମଲା ରୁଜୁ କରି ଦଣ୍ଡିତ କରିପାରିବେ। ବିଦ୍ୟାଳୟ ଗୁଡ଼ିକରେ ଚାଉଳ ଓଜନରେ ନ ଦେଇ ୨୦ରୁ ୩୦ କିଲୋ ପ୍ରତି କ୍ୱିଣ୍ଟାଲ କମ୍ ଦିଆଯାଉଛି। ଚାଉଳ ଉଠାଣ ପରେ ବାଟରେ ଗୋଦାମରେ ଚାଉଳ ଗଚ୍ଛିତ କରି ରଖାଯାଉଛି । ଚୁକ୍ତିରେ ଖିଲାପ କରି ବାଟମାରଣା ପାଇଁ ଅନୁକୂଳ ପରିବେଶ ତିଆରି କରାଯାଉଛି। କାହିଁକି ୫ ବର୍ଷ ହେଲା ଟେଣ୍ଡର କରାଯାଇନାହିଁ, ତା’ର ଉତ୍ତର କାହା ପାଖରେ ନାହିଁ। ଅନେକ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ ସଂଘ, ଅଭିଭାବକ ସଂଘ ଏନେଇ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। କିନ୍ତୁ କେହି ଏହି ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିନାହାନ୍ତି। ଜିଲ୍ଲାପାଳ ଏହି ଯୋଜନାର ଜିଲା ଅଧ୍ୟକ୍ଷ ଥିବାରୁ ଭିଜିଲାନ୍ସକୁ ଏହି ମାମଲା ହସ୍ତାନ୍ତର କରିବାକୁ ଦାବି ହେଉଛି।

Omkar Vasthu
Omkar Vasthu

ଇଂରାଜୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.