ତାମୁଳିଆ ଉଡ଼ନ୍ତା ପୋଲ ମରାମତି ଦାବି ହେଲା ଜୋରଦାର: କାମ ନହେଲେ ଧାରଣା ଦେବାର ଚେତାବନୀ ଦେଲା ଆଞ୍ଚଳିକ ସୁରକ୍ଷା ମଞ୍ଚ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ମହକୁମାକୁ ସଂଯୋଗ କରୁଥିବା ଜିଲ୍ଲା ମୁଖ୍ୟ ସଡ଼କ ଉପରେ ତାମୁଳିଆ ଠାରେ ଥିବା ଉଡ଼ନ୍ତା ପୋଲର ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ପୋଲର ତୁରନ୍ତ ମରାମତି ଦାବି କରି ଆଞ୍ଚଳିକ ସୁରକ୍ଷା ମଞ୍ଚ ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରିଥିବାବେଳେ ଆଶୁ ପଦକ୍ଷେପ ନନିଆଗଲେ ଧାରଣା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି।

ସଂଗଠନର ସୂଚନାନୁସାରେ, ଉଡ଼ନ୍ତା ପୋଲର ବିଭିନ୍ନ ସ୍ଥାନରୁ କଂକ୍ରିଟ ଖସିଯାଇ ଲୁହା ରଡ଼ ବାହାରକୁ ଦେଖାଯାଉଛି। ଏହି ପୋଲଟି ରେଳଧାରଣା ଉପରେ ନିର୍ମିତ ହୋଇଥିବା ସହ ବାଲେଶ୍ୱର ସହରକୁ ପ୍ରବେଶ କରିବାର ପ୍ରମୁଖ ସଂଯୋଗ ପଥ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଭାରୀ ଯାନ, ଯାତ୍ରୀବାହୀ ବସ୍, ସ୍କୁଲ ଓ କଲେଜ ବସ୍ ସମେତ ଦୁଇ, ତିନି ଓ ଚାରି ଚକିଆ ଯାନ ଚଳାଚଳ କରୁଛି। ଏପରି ପରିସ୍ଥିତିରେ ପୋଲର ବିପଦସଙ୍କୁଳ ଅବସ୍ଥା ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣାର କାରଣ ହୋଇପାରେ ବୋଲି ସଂଗଠନ ଆଶଙ୍କା ପ୍ରକାଶ କରିଛି।

ଏହି ପ୍ରସଙ୍ଗରେ ଆଞ୍ଚଳିକ ସୁରକ୍ଷା ମଞ୍ଚର ସଭାପତି ତଥା ସୂଚନା ଅଧିକାର କର୍ମୀ କମଳ ଲୋଚନ ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବାଲେଶ୍ୱର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପୋଲର ତୁରନ୍ତ ମରାମତି ସହ ସାଧାରଣ ଲୋକଙ୍କ ସୁରକ୍ଷା ଦିଗରେ ଜରୁରୀ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଯଦି ପ୍ରଶାସନ ଶୀଘ୍ର ପଦକ୍ଷେପ ନନିଏ, ତେବେ ଜନସାଧାରଣଙ୍କ ସ୍ୱାର୍ଥରେ ଆଞ୍ଚଳିକ ସୁରକ୍ଷା ମଞ୍ଚ ଧାରଣା ଆନ୍ଦୋଳନ ଆରମ୍ଭ କରିବ।

ଏହି ଅବସରରେ ସଂଗଠନର ଅଶ୍ୱିନୀ କୁମାର ଦାଶ, କମଳ ଲୋଚନ ମହାପାତ୍ର, ତପନ ସେଠୀ, ସତ୍ୟବ୍ରତ ସାହୁ, ବାଦଲ ମହାନ୍ତି, ସୁଶାନ୍ତ ପାଣିଗ୍ରାହୀ, ପ୍ରତାପ ଦ୍ୱିବେଦୀ, ଭାସ୍କର ମଲ୍ଲିକ, ଶଙ୍କର୍ଷଣ ଶତପଥୀ, କାଶୀନାଥ ମାଝୀ, ଡମ୍ବରୁଧର ମହାରଣା, ସଞ୍ଜୀବ ଜେନା, ସଞ୍ଜୀବ ନାୟକ, ନିରଞ୍ଜନ ସେଠୀ, ରଞ୍ଜନ ଦାସ, ମହେଶ ଚାନ୍ଦ, ସନ୍ଦୀପ ପ୍ରଧାନ, ମୃଣ୍ମୟ ମହାପାତ୍ର, ସୁଧାକର ରାଉତ, ମହେଶ ପାଣି, ରାକେଶ ଭୂଇଁୟା, ବିଶ୍ୱନାଥ ଦାସ, ବିନୋଦ ବାବୁ, ସେକ୍ ମନାନ, ପରମାନନ୍ଦ ବିଶ୍ୱାଳ ଓ ଦୀପକ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ପୋଲର ଆଶୁ ମରାମତି ଦାବିକୁ ସମର୍ଥନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.