ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ସୋମବାର କୌଣସି ସରକାରୀ ଛୁଟି ନଥାଇ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଫଳରେ ଛାତ୍ରଛାତ୍ରୀମାନେ ସୋମବାର ସ୍କୁଲ ଯାଇ ତାଲା ପଡ଼ିଥିବା ଦେଖି ଘରକୁ ଫେରିଥିଲେ। ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଏ। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାରାୟଣ ନାଏକ ଓ ସହଶିକ୍ଷକ ସିପୁନ ନାୟକ ଦୁଇ ଜଣ ନିଯୁକ୍ତ ଥାଇ ମଧ୍ୟ ଆଜି ଜଣେ ବି ସ୍କୁଲରେ ଉପସ୍ଥିତ ନଥିଲେ। କୌଣସି ସରକାରୀ ଛୁଟି ନଥାଇ ସ୍କୁଲ ବନ୍ଦ କରିବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ସହଶିକ୍ଷକ ସିପୁନ ନାୟକଙ୍କୁ ପଚାରିବାରୁ ମୁଁ ଆମ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲି ଯେ ପାହାଡ଼ିଆ ରାସ୍ତା ଏବଂ ପ୍ରବଳ ବର୍ଷା ହେଉଥିବାରୁ ଆଜି ସ୍କୁଲକୁ ଯାଇପାରିବି ନାହିଁ। କିନ୍ତୁ ସିଆରସିସି ସାରଙ୍କୁ ଜଣାଇ ନଥିଲି। ସେପଟେ ପ୍ରଧାନ ଶିକ୍ଷକ ନାରାୟଣ ନାଏକ ମଧ୍ୟ ବର୍ଷା ଯୋଗୁଁ ସ୍କୁଲକୁ ଯାଇପାରି ନଥିବା ଏବଂ ସିଆରସିସିଙ୍କୁ ସୂଚନା ନ ଦେଇଥିବା ସ୍ୱୀକାର କରି ମୋ ଭୁଲ ହୋଇଛି ବୋଲି କହିଛନ୍ତି। ଏନେଇ ମାଳିଯୁବାଙ୍ଗ କ୍ଲଷ୍ଟର ସିଆରସିସି ଘାଷି ମାଝୀ କହିଛନ୍ତି, ଦୁଇ ଶିକ୍ଷକ ମତେ କୌଣସି ଛୁଟି ପାଇଁ ଲିଖିତ ବା ମୌଖିକ ଭାବେ ଜଣାଇ ନାହାନ୍ତି। ଆଜି କୌଣସି ସରକାରୀ ଛୁଟି ମଧ୍ୟ ନାହିଁ। ଯଦି ମତେ ଜଣାଇ ଥିଲେ ମୁଁ ଅନ୍ୟ ସ୍କୁଲରୁ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ପଠାଇବା ବ୍ୟବସ୍ଥା କରିଥାନ୍ତି। କାହିଁକି ସ୍କୁଲ ବନ୍ଦ ହେଲା ତାହା ତଦନ୍ତ ପରେ ଜଣାପଡ଼ିବ। ସରକାର ଶିକ୍ଷକମାନଙ୍କ ପାଇଁ ମୋଟା ଅଙ୍କର ଦରମା ଦେଉଥାଇ ମଧ୍ୟ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଏହାଦ୍ୱାରା ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହେଉଛି ବୋଲି ଅଭିଭାବକ ମହଲରେ ଅଭିଯୋଗ ହୋଇଛି। ତେବେ ଶିକ୍ଷା ବିଭାଗ ଏବେ ଦୁଇ ଜଣ ଶିକ୍ଷକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।





