୧୧୨ ବର୍ଷ ବୟସରେ ପିପଲପଦର ଗୌନ୍ତିଆ ରାମେଶ୍ୱର ବାରିକଙ୍କ ଦେହାନ୍ତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବାଗପୁର ଗ୍ରାମ ପଞ୍ଚାୟତ ପିପଲପଦର ଗ୍ରାମର ଗଉନ୍ତିଆ ରାମେଶ୍ୱର ବାରିକଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ୧୧୨ ବର୍ଷ ବୟସରେ ସୋମବାର ଅପରାହ୍ନ ୩ ବେଳେ ଦେହାନ୍ତ ହୋଇଥିବା ଜଣାପଡିଛି। ଗଉନ୍ତିଆ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ଚାଷ କାମ କରୁଥିଲେ। ପୁଅ ମାନଙ୍କୁ ତାଙ୍କ କୁଳ ବେଉଷା ଶିକ୍ଷା ଦେବା ସହ ଚାଷ କାର୍ଯ୍ୟରେ ମଧ୍ୟ ନିପୁଣ କରି ୫ ପୁଅଙ୍କୁ ଉତ୍ତମ ମାର୍ଗରେ ନେବାରେ ସଫଳ ହୋଇଥିଲେ। ତାଙ୍କୁ ସେମିତି କିଛି ବଡ ବେମାରୀ ନଥିଲା। ବର୍ଷା ଦିନରେ ଝଡି ବର୍ଷା ଆରମ୍ଭ ହେବାପରେ ତାଙ୍କୁ ଜ୍ୱର ହୋଥିଲା। ସୋମବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ତାଙ୍କ ପରିବାର ସଦସ୍ୟ ନର୍ଲା ଡାକ୍ତରଖାନାକୁ ଆଣିଥିଲେ ଚିକିତ୍ସା ପାଇଁ। ମେଡିକାଲ ଷ୍ଟାଫ ରାମେଶ୍ୱର ୧୧୨ ବର୍ଷର ବ୍ୟକ୍ତି ବୋଲି ଜାଣିବା ପରେ ଅନେକ ଆଗ୍ରହ ଓ ଉତ୍ସାହ ନେଇ ଉତ୍ତମ ଚିକିତ୍ସା ସେବା ଯୋଗାଇଥିଲେ। ଗୌନ୍ତିଆ ବୁଢାଙ୍କ ଜ୍ୱର ଟିକେ ଉପସମ ହେବାରୁ ଅପରାହ୍ନ ୨ ଟା ବେଳେ ପରିବାର ଲୋକେ ଘରକୁ ନେଇ ଆସିଥିଲେ। ହେଲେ ଅପରାହ୍ନ ୩ ଟା ବେଳେ ସେ ଚିର ନିଦ୍ରାରେ ଶୋଇ ପଡିଥିଲେ। ଦୀର୍ଘ ୨୦ ବର୍ଷ ତଳେ ତାଙ୍କ ସହ ଧର୍ମିଣୀ ଆର ପାରିକୁ ଚାଲିଯାଇଛନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ୫ ପୁଅ ବୋହୁ ଓ ୨୦ ରୁ ଉର୍ଦ୍ଧ୍ୱ ନାତି ନାତୁଣୀ ଉପସ୍ଥିତ ଥିଲେ। ସଂଧ୍ୟା ୫ ଘଣ୍ଟା ସମୟରେ ଗାଁ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଦୁଇ ବଡ ପୁଅ ବଳଭଦ୍ର ଓ ଅର୍ଜୁନ ମୁଖାଗ୍ନି ଦେଇଥିବା ଜଣାପଡିଛି। ତାଙ୍କ ବିୟୋଗରେ ନର୍ଲା ବିଧାୟୀକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ମେଡିକାଲ ଅଫିସର ଆଶୁତୋଷ ପ୍ରଧାନ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.