କେବେ ନର୍ଲା ଛାଡିବେ ସହକାରୀ ଯନ୍ତ୍ରୀ ?

• ବଢିବାରେ ଲାଗିଛି ଜନ ଅସନ୍ତୋଷ 

• ଠପ୍ ହୋଇ ପଡିଛି ଉନ୍ନୟନ କାମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର  ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣାଙ୍କ ବଦଳୀ ଝାରସୁଗୁଡା ଜିଲ୍ଲା ଲଇକେରା ସବଡିଭିଜନକୁ ଗତ ନଭେମ୍ବର ମାସରୁ ହୋଇ ସାରିଥିଲେ ମଧ୍ୟ ଉପର ମହଲାରେ ଧରାଧରି କରି ନର୍ଲାକୁ ଜାବୁଡି ଧରିଛନ୍ତି ବୋଲି ଆଲୋଚନା ହେଉଛି । ଏଥିପାଇଁ ନର୍ଲାର ଜନ ସାଧାରଣ ଓ ବ୍ଲକ ଷ୍ଟାଫ୍ ମଧ୍ୟରେ ଅସନ୍ତୋଷ ଜମାଟ ବାନ୍ଧିବାରେ ଲାଗିଛି । ସହକାରୀ ଯନ୍ତ୍ରୀ ଶ୍ରୀ ମହାରଣା ଗତ ଚାରିବର୍ଷ ତଳେ ନର୍ଲା ସହକାରୀ ଯନ୍ତ୍ରୀ ଭାବରେ ଯୋଗଦାନ କରିଥିଲେ । ଗତ ଟର୍ମରେ ରହିଥିବା ନର୍ଲା ବ୍ଲକ୍ ଅଧିନସ୍ଥ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ସରପଞ୍ଚ, ସମିତି ସଦସ୍ୟ ଏପରିକି ବ୍ଲକ୍ ଅଧ୍ୟକ୍ଷା ମଧ୍ୟ ସହକାରୀ ଯନ୍ତୀଙ୍କ କାର୍ଯ୍ୟଶୈଳୀ, କଥାବାର୍ତ୍ତାରେ ଅସନ୍ତୋଷ ରହୁଥିଲେ । ଚଳିତ ଟର୍ମର ନର୍ଲା ବ୍ଲକ୍ ଅଞ୍ଚଳର ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିନିଧି ସରପଞ୍ଚ, ସମିତି ସଦସ୍ୟ ମାନେ ସହକାରୀ ଯନ୍ତୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଆସୁଥିବା ବେଳେ ସହକାରୀ ଯନ୍ତ୍ରୀ ଶ୍ରୀ ମହାରଣାଙ୍କ ବଦଳୀରେ ନର୍ଲାରେ ଖୁସିର ଲହରୀ ଖେଳି ଯାଇଥିଲା । ହେଲେ ବଦଳି ହୋଇ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ସହକାରୀ ଯନ୍ତ୍ରୀ ଶ୍ରୀ ମହାରଣା ନର୍ଲା ଛାଡିବାର ନାଁ ଧରୁ ନଥିବାରୁ ଅସନ୍ତୋଷର ଧୂଆଁ ଧିରେ ଧିରେ ବ୍ୟାପିବାରେ ଲାଗିଛି । ନର୍ଲା ବ୍ଲକର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧିମାନେ ସହକାରୀ ଯନ୍ତ୍ରୀଙ୍କୁ କାହିଁକି ରିଲିଫ୍ କରାଯାଉନି ବୋଲି ଅଭିଯୋଗ ନେଇ ସୋମବାର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡିଙ୍କୁ ସାକ୍ଷାତ କରି ଶ୍ରୀ ମହାରଣାଙ୍କୁ ତୁରନ୍ତ ରିଲିଫ ପାଇଁ ଦାବୀ ଜଣାଇଥିଲେ ।

ଏଇଠି ପ୍ରଶ୍ନ ଉଠୁଛି ସହକାରୀ ଯନ୍ତ୍ରୀ ଶ୍ରୀ ମହାରଣାଙ୍କୁ କାହିଁକି ନିର୍ବାଚିତ ଲୋକ ପ୍ରତିନିଧି ଓ ଜନସାଧାରଣ ଚାହୁଁ ନାହାନ୍ତି? କାହିଁକି ବାରମ୍ବାର ତାଙ୍କର ବଦଳୀ ଦାବୀ ହେଉଛି? ତାଙ୍କ ପ୍ରତି କାହିଁକି ଜନ ଅସନ୍ତୋଷ ? ନିର୍ବାଚିତ ଲୋକ ପ୍ରତିନିଧର ମାନଙ୍କୁ ଦୁର୍ବବ୍ୟବହାର କରିବା, କନିଷ୍ଠ ଯନ୍ତ୍ରୀ ମାନଙ୍କୁ ଗାଳି ଗୁଲଜ କରି ସେମାନେ ଦସ୍ତଖତ ପାଇଁ ନେଇଥିବା ଏମବିକୁ ଫିଙ୍ଗିଦେବା, ଲାଞ୍ଚ ନଦେଲେ ଦସ୍ତଖତ ନକରିବା, ରାସ୍ତା, ଘାଟ କାମ କରିଥିବା ଠିକାଦାର ମାନଙ୍କୁ ହଇରାଣ ହରକତ କରିବା, ପିସି ବାଦ୍ ରେ ପୁଣି ଅଧିକ ଅର୍ଥ ଦାବୀ କରିବା, ନଦେଲେ ଦୀର୍ଘ ଦିନ ଧରି ବିଲ୍ ରେ ସାଇନ ନକରିବା ଏମିତିକି ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ବିଡିଓଙ୍କ କଥାକୁ ମଧ୍ୟ ବେଖାତିର କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନିର୍ବାଚିତ ଲୋକ ପ୍ରତିନିଧିମାନେ ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ୨୦୨୩ରେ ଶ୍ରୀ ମହାରଣା ଅବସର ନେବେ । ଏ ବିଷୟରେ ସହକାରୀ ଯନ୍ତ୍ରୀ ଶ୍ରୀ ମହାରଣାଙ୍କ ମତାମତ ନେବାରୁ ସେ କହିଛନ୍ତି ମୋତେ ସେମିତି କିଛି ବଦଳି ଆଦେଶ ମିଳିନି । ମୋତେ ଯେଉଁଠିକି ଯେବେ ବଦଳି ହୋଇଛି ମୁଁ ତୁରନ୍ତ ସେହି ସ୍ଥାନକୁ ଯାଇଛି । ଆଉ ମୋତେ ନର୍ଲା ବ୍ଲକରେ କାର୍ଯ୍ୟକରୀ ଚାରିବର୍ଷ ହୋଇଗଲା ମୁଁ କୌଣସୀ ଲୋକ, ମୋର ସହକାରୀ ଷ୍ଟାଫ କିମ୍ବା କନିଷ୍ଠ ଯନ୍ତ୍ରୀଙ୍କୁ କେବେ ଖରାପ ବ୍ୟବହାର କରିନି । କାମ ପଡିଲେ କିମ୍ବା ମୋତେ ଡାକିଲେ ମୁଁ ଅଧ୍ୟକ୍ଷା କିମ୍ବା ବିଡ଼ିଓଙ୍କୁ ଭେଟିଥାଏ । ଆଉ କଣ ଦିନରାତି ତାଙ୍କ ପାଖେ ପାଖେ ଲାଗିକି ଥାଆନ୍ତି କି ? ଏଣୁ ମୋ ବିରୁଦ୍ଧରେ ଯାହାସବୁ କୁହାଯାଉଛି ସେ ସବୁ ମିଛକଥା ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ମହାରଣା କହିଛନ୍ତି ।

ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ମତାମତ ନେବାରୁ ସେ କହିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦଙ୍କ ସମୟରୁ ସହକାରୀ ଯନ୍ତ୍ରୀଙ୍କ ବଦଳୀ ପାଇଁ ଲେଖାଯାଇଥିଲା । ଏବେ ମଧ୍ୟ ଆମ ବ୍ଲକ ଅଧିନସ୍ଥ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡିଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏଇ ମହାରଣାଙ୍କ ପାଇଁ ନର୍ଲା ବ୍ଲକରେ ଅଶାନ୍ତି ରହୁଛି । ଏଣୁ ସରକାର ତାଙ୍କୁ ଏଠୁ ଶୀଘ୍ର ବିଦା କରିଦେବା ଉଚିତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.