ଏବେ ଯେକୌଣସି ସ୍ଥାନରେ ରହି ନିର୍ବାଚନ ବେଳେ ଦେଇପାରିବେ ଭୋଟ୍!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏବେ ଦେଶର ଯେକୌଣସି ସ୍ଥାନରେ ରହିଥିଲେ ମଧ୍ୟ ଜଣେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଦେଇପାରିବା ସମ୍ଭବ ହେବ। ନିଯୁକ୍ତି, ଶିକ୍ଷା କିମ୍ବା ଅନ୍ୟାନ୍ୟ କାରଣ ପାଇଁ ଦେଶର ଅନ୍ୟ ପ୍ରାନ୍ତରେ ବସବାସ କରୁଥିବା ନାଗରିକଙ୍କୁ ନିଜ ସହରରୁ ରିମୋଟ୍ ଭୋଟିଂ ସୁବିଧା ଯୋଗାଇ ଦେବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଏବେ କାମ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ପ୍ରବାସୀ ଭୋଟରମାନେ ଯେଉଁ କାରଣ ପାଇଁ ନିଜ ରାଜ୍ୟ/ ସହରକୁ ଭୋଟ୍ ଦେବାକୁ ଆସି ପାରୁ ନାହାନ୍ତି ତାର ସମାଧାନ ହୋଇପାରିବ ଏବଂ ଗଣତନ୍ତ୍ରର ମହାପର୍ବରେ ରିମୋଟ ଜରିଆରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। ପ୍ରବାସୀଙ୍କ ପାଇଁ ରିମୋଟ୍ ଭୋଟିଂ ସୁବିଧା ସହ ପ୍ରସ୍ତୁତ ହୋଇଥିବାରୁ ପ୍ରବାସୀ ଭୋଟରମାନେ ନିଜ ରାଜ୍ୟକୁ ଯାଇ ଭୋଟ୍ ଦେବାର ଆବଶ୍ୟକତା ନାହିଁ ବୋଲି ନିର୍ବାଚନ କମିସନ ଗୁରୁବାର କହିଛନ୍ତି। ଉଲ୍ଲେଖଯୋଗ୍ଯ, ନିର୍ବାଚନ କମିଶନ ଏହି ରିମୋଟ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଆରଭିଏମ୍) ବିକଶିତ କରିଛନ୍ତି ଏବଂ ଏହାର ପ୍ରଦର୍ଶନ ପାଇଁ ସମସ୍ତ ରାଜନୈତିକ ଦଳକୁ ନିମନ୍ତ୍ରଣ କରିଛନ୍ତି।

ଏହି ପ୍ରୋଟୋଟାଇପ୍ ଆରଭିଏମ୍ ଏକ ଦୁର୍ଗମ ମତଦାନ କେନ୍ଦ୍ରରୁ ଏକାଧିକ ନିର୍ବାଚନ ମଣ୍ଡଳୀକୁ ପରିଚାଳନା କରିପାରିବ। ଏହାର ବିଶେଷତ୍ୱ ହେଉଛି ଏହା ୭୨ଟି ନିର୍ବାଚନ ମଣ୍ଡଳୀରେ ଦୁର୍ଗମ ମତଦାନ କେନ୍ଦ୍ରରୁ ମତଦାନ କରାଇପାରିବ। ୨୦୧୯ ନିର୍ବାଚନରେ ୬୭.୪ ପ୍ରତିଶତ ମତଦାନ ହୋଇଥିଲା। ୩୦ କୋଟିରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିନଥିବାରୁ ନିର୍ବାଚନ କମିଶନ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଏପରି ଏକ ବିକଳ୍ପ ବ୍ୟବସ୍ଥା ଉପରେ ଚିନ୍ତା କରିଥିଲେ। ନିର୍ବାଚନ ଆୟୋଗ ଜାନୁଆରୀ ୧୬ ୨୦୨୩ରେ ସମସ୍ତ ସ୍ୱୀକୃତିପ୍ରାପ୍ତ ୮ଟି ଜାତୀୟ ଏବଂ ୫୭ଟି ରାଜ୍ୟ ଦଳକୁ ମଲ୍ଟି-ଇଲେକସନ ଏରିଆ ପ୍ରୋଟୋଟାଇପ ରିମୋଟ ଇଭିଏମ ସିଷ୍ଟମ ପ୍ରଦର୍ଶନ ପାଇଁ ଆମନ୍ତ୍ରଣ କରିଛନ୍ତି। ଏହି ଅବସରରେ ଆୟୋଗର ବୈଷୟିକ ବିଶେଷଜ୍ଞ କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ। ଏହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କିମ୍ବା ଆପତ୍ତି ଉପରେ ୩୧ ଜାନୁଆରୀ ୨୦୨୩ ସୁଦ୍ଧା ଲିଖିତ ଉତ୍ତର ଦାଖଲ କରିବାକୁ ଆୟୋଗ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି। ଯଦି ଏହି ବ୍ୟବସ୍ଥା ଲାଗୁ ହେବ ତେବେ ପ୍ରବାସୀଙ୍କ ମତଧିକାର ମଧ୍ୟ ଗୋଟିଏ ଫାକ୍ଟର ସାଜିବ। ଯାହା କି ବଡ଼ ପରିବର୍ତ୍ତନ ଆଣିପାରିବ ଏବଂ ସେମାନେ ନିଜ ଅଞ୍ଚଳ ସହ ଯୋଡ଼ି ହୋଇ ରହିପାରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.