ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଠିକାଦାରରୁ ଯନ୍ତ୍ରୀ ହୋଇଥିବା ଭବାନୀପାଟଣା ପୌର ପରିଷଦର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ସ୍ୱତନ୍ତ୍ର ଜଜ୍ (ଭିଜିଲାନ୍ସ) ଭବାନୀପାଟଣାଙ୍କ ଦ୍ୱାରା କୋର୍ଟଚାଲାଣ ହୋଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ବୁଧବାର ଏକାସଙ୍ଗେ ସମୀରଙ୍କ ଚାରିଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ମହାବୀର ପଡ଼ାର ତିନିମହଲା ଘର, ଇରିଗେଶନ କଲୋନୀର ଦୁଇ ମହଲା ଘର ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ହେଉଥିବା ବେଳେ ପୌର ପରିଷଦ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ଜାରି ରହିଥିଲା। ଚଢାଉ ସମୟରେ ଜମି ପଟ୍ଟା ସଂକ୍ରାନ୍ତୀୟ କାଗଜପତ୍ର ଠାରୁ ଆରମ୍ଭକରି ୨୫୦ ଗ୍ରାମ ସୁନା ଓ ୯୩୦ ଗ୍ରାମ ରୁପା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ୭୧ ହଜାର ଟଙ୍କା, ପ୍ରାୟ ୧୧ ଲକ୍ଷ ୭୩ ହଜାର ଟଙ୍କା ମୂଲ୍ୟର ଆସବାବପତ୍ର, ଏକ କୋଟିରୁ ଅଧିକ ମୂଲ୍ୟର ତିନି ମହଲା କୋଠା ଓ ୬୦ ଲକ୍ଷ ମୂଲ୍ୟର ଦୁଇମହଲା କୋଠାର କାଗଜପତ୍ର ଯାଞ୍ଚ କରିଥିଲେ ଭିଜିଲାନ୍ସ। ଯାଞ୍ଚ ବେଳେ ନଗଦ ୪୯ ହଜାର ୧୬୩ ଟଙ୍କା ଜବତ କରାଯାଇଥିଲା। ତିନିଗୋଟି ପ୍ଲଟର କାଗଜପତ୍ର ଏବଂ ହ୍ୟୁଣ୍ଡାଇ ଆଇ୨୦ ଚାରିଚକିଆ ଯାନ, ବ୍ୟାଙ୍କ୍, ପୋଷ୍ଟାଲ, ମ୍ୟୁଚୁଆଲ ଫଣ୍ଡ ଓ ବୀମା ରାଶି ଅନୁଯାୟୀ ପ୍ରାୟ ୫୨ ଲକ୍ଷ ୫୬ ହଜାର ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତିର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି ଭିଜିଲାନ୍ସ ବିଭାଗ। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ତିନି କୋଟି ହେବ ବୋଲି ଅନୁମାନ କରାଯାଉଛି। ସେ ଧାରା ୧୩(୨)ଆର/ଡବ୍ଲୁ ୧୩(୧)(ବି)/ପିସି ଏକ୍ଟ ତାଙ୍କ ଉପରେ ଲାଗି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।