ଅପରାଧିକ ପୃଷ୍ଠ ଭୂମିର ପେଣ୍ଠସ୍ଥଳି ସାଜିଛି ନର୍ଲା: ରହୁନି ପୋଲିସ ପ୍ରଶାସନର ଅଙ୍କୁଶ !

• ନର୍ଲାରେ ଯୋଗ୍ୟ ଆଇଆଇସି ଦେବାକୁ ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳ ଏବେ ଅପରାଧ ପ୍ରବଣ ଅଞ୍ଚଳ ପାଲଟି ସାରିଲାଣି ବୋଲି ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରୁଥିବା ଜଣାପଡିଛି । ଏକଦା ଶାନ୍ତିପ୍ରିୟ ଅଞ୍ଚଳ ଭାବରେ ପରିଗଣିତ ନର୍ଲା ଏବେ ଅପରାଧୀ ମାନଙ୍କ କ୍ରୀଡ଼ାସ୍ଥଳୀ ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ବାସ୍ତବିକ ଭାବରେ ଦେଖିବାକୁ ଗଲେ ଗତ ୬ ମାସ ମଧ୍ୟରେ ନର୍ଲା ଅଂଚଳରେ ଚୋରୀ ରାହଜାନୀ ଅହେତୁକ ଭାବରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି । ଚାରିଛକ ନିକଟସ୍ଥ ସନ୍ତୋଷ ଦାସଙ୍କ ଘର ଭିତରୁ ବାଇକ ଚୋରୀ, ସମୀର ଗନ୍ତାୟତଙ୍କ ଘର ତାଲାଭାଙ୍ଗି ଚୋରୀ, ରେଗିଡିମାଳ ମନ ସାହୁଙ୍କ ଘରୁ ରାତି ଅଧିଆ ରୋୟାଲ ଏନଫିଲ୍ଡ ବାଇକ ଚୋରୀ, ରୁପ୍ରାରୋଡ଼ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଜଣେ ଚାଷୀଙ୍କ ବାଇକ ଡିକିରୁ ୨ ଲକ୍ଷ ଟଙ୍କା ଲୁଟ, ଗତ ସପ୍ତାହରେ ଥାନା ଭିତରୁ ଦିନ ଦିପହର ରେ ବୋରିଂ ପଦର ଗ୍ରାମର ମକରନ୍ଦ ଗଡତିଆଙ୍କ ବଜାଜ ସିଟି ୧୦୦ ବାଇକ ଚୋରୀ ଭଳି ଘଟଣା ନର୍ଲା ପୋଲିସର ସ୍ଥାଣୁତା ପ୍ରମାଣିତ କରୁଛି । ଏହାବାଦ ନର୍ଲା, ରୁପ୍ରାରୋଡ଼, ବାଲିପଡା, ସେରଗଡ଼, ରୁପ୍ରା ଓ ଛତିକୁଡ଼ା ପ୍ରଭୃତି ନର୍ଲା ର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳି ଗୁଡିକରେ ଦେଶୀ ଓ ବିଦେଶୀ ମଦର ବନ୍ୟା ଛୁଟୁଛି । ନର୍ଲାରୋଡ଼, ଛତିକୁଡ଼ା, ରୁପ୍ରା ଓ ବାଲିପଡ଼ାରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଥିବା ବେଳେ ନର୍ଲାର ବାକି ସମସ୍ତ ଅଞ୍ଚଳକୁ ପୋଲିସର ସହମତିରେ ହେଉଛି ମଦ ଚୋରା ଚାଲାଣ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷେ ନର୍ଲା ଚାରିଛକରେ ରହିଥିବା ଅବକାରୀ ବିଭାଗ ଅଫିସ ଶ୍ରୀଖଣ୍ଡି ପାଲଟି ଗଲାଣି । ନର୍ଲା, ରୁପ୍ରାରୋଡ଼, ଲାଞ୍ଜିଗଡରୋଡ଼, ସେରଗଡ଼ ପ୍ରଭୃତି ସ୍ଥାନରେ ପାନ, ଚା, ଜଳଖିଆ ଓ ଥଣ୍ଡା ପାନୀୟ ଦୋକାନ ଗୁଡିକରେ ପର୍ଯ୍ୟାପ୍ତ ପରିମାଣ ରେ ଅବାଧ ମଦ ବ୍ୟବସାୟ ଚାଲୁଛି । ସେଥିରେ ଘର ମଧ୍ୟରେ ପରିବାର ଲୋକ ଜାଣୁଥିଲେ ମଧ୍ୟ ସ୍ୱାମୀ ସ୍ତ୍ରୀ ଗୁପ୍ତ ଭାବରେ ସଂପର୍କ ସ୍ଥାପନା କରିବା ଭଳି ତୁମେମାନେ ମଧ୍ୟ ସେହି ହିସାବରେ ମଦ ବ୍ୟବସାୟ କର ବୋଲି ବେଆଇନ ଚୋରା ମଦ ବ୍ୟବସାୟୀଙ୍କ ପ୍ରତି ନର୍ଲା ପୋଲିସର ସସ୍ନେହ ମାର୍ଗଦର୍ଶନ ରହୁଥିବା ନର୍ଲା ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କ ହୃଦୟରେ କୁଠାରଘାତ ହୋଇଛି । ସନ୍ଧ୍ୟା ହୋଇଗଲେ ମଦ ନିଶାରେ ନର୍ଲାର କାନ୍ଥବାଡ଼ ମଧ୍ୟ ଦୋହଲୁଛି । ଏଠି କେମିତି ଚାଲିବ ସାଧାରଣ ଜୀବନ ଯାତ୍ରା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନ୍ୟପକ୍ଷେ ସବଇନ୍ସପେକ୍ଟରରୁ ଆଇଆଇସି ଭାବରେ ପଦୋନ୍ନତି ପାଇ ରାଉରକେଲା ରୁ ଆସିଥିବା ଗଙ୍ଗାଧର ମେହେର ଗତ ୬ ମାସ ତଳେ ଆଇଆଇସି ଭାବରେ ନର୍ଲା ଥାନାରେ ଯୋଗଦେବା ପରେ ନର୍ଲା ଜନ ସାଧାରଣ ତାଙ୍କଠୁଁ ଅନେକ ଆଶା ରଖିଥିଲେ । ହେଲେ ଲୋକଙ୍କ ଆଶା ଆଶାରେ ହିଁ ରହିଗଲା । କେବଳ କାଁ ଭାଁ ହେଲମେଟ ଚେକିଂକୁ ଛାଡିଦେଲେ ନର୍ଲା ପୋଲିସ ଆଉ ସେଭଳି କିଛି ଆଖିଦୃଶିଆ କାମ କଲାଭଳି ଲୋକେ ଅନୁଭବ କରିପାରୁ ନଥିବା ଆଲୋଚନା ହେଉଛି । ନର୍ଲାରେ ନା ସୁଧୁରୁଛି ଅପରାଧିକ କାର୍ଯ୍ୟକଳାପ ନା ସୁଧୁରୁଛି ଚୋରୀ ରାହାଜାନୀ । ଅନ୍ୟପକ୍ଷେ ଅଞ୍ଚଳବାସୀ ଘରୁ ପଦାକୁ ଗୋଡ କାଢ଼ିବାକୁ ଭୟ କରୁଛନ୍ତି । ନର୍ଲାରେ ପେଟ୍ରୋଲିଂ ଆଉ ଆଗ ଭଳି ହେଉନଥିବା ସାଧାରଣରେ ଆଲୋଚନା ହେଉଛି । ପ୍ରତି ସୋମବାର ନର୍ଲା ରାଜ ରାସ୍ତାରେ ସକାଳ ୧୦ ଟା ରୁ ଅପରାହ୍ନ ୩ ଟା ଯାଏଁ ଗୋରୁପଲଙ୍କ ଟ୍ରାଫିକ ସମସ୍ୟା କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଓ ଜନ ସାଧାରଣଙ୍କୁ ନାକେଦମ କରି ସାରିଥିବା ବେଳେ ଏସବୁ ପରିସ୍ଥିତିକୁ ଦେଖି ଶୁଣି ନର୍ଲା ପୋଲିସ ଆଖି ବୁଜି ଦେଉଥିବାରୁ ଲୋକେ ଆଶ୍ଚର୍ଯ୍ୟ ଚକିତ ହେବାସହ ନର୍ଲା ପୋଲିସର କାର୍ଯ୍ୟ ପନ୍ଥାକୁ ଦେଖି ସତରେ ପୋଲିସର କାର୍ଯ୍ୟ କଣ ଏଇୟା କି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।  ଏସବୁକୁ ଦେଖି ସାମ୍ବାଦିକ ରଞ୍ଜନ ମହାନ୍ତି ସୂଚନା ଅଧିକାର ଆଇନ ବଳରେ ନର୍ଲା ଥାନାରୁ କେତେକ ତଥ୍ୟ ମାଗିଥିଲେ । ଆରଟିଆଇ ତଥ୍ୟରୁ ପ୍ରାପ୍ତ ସୂଚନାରୁ ଜାଣିବାକୁ ମିଳିଛି ରାଜ୍ୟ ସରକାରଙ୍କ ମା କୁ ସମ୍ମାନ ଦେବାର ନାରା ଏଠି ଫସର ଫାଟିଛି । ନର୍ଲା ଥାନାରେ କେସ ଦେଇଥିବା ଦୁଇଜଣ ମହିଳାଙ୍କ ଅଭିଯୋଗକୁ ଦେଖିଲେ ଜଣା ପଡୁଛି ବିନା ତଦନ୍ତରେ ପର୍ଯ୍ୟାପ୍ତ ପ୍ରମାଣ ଅଭାବ ଦର୍ଶାଇ କେସ କୁ ମିଛ ବୋଲି କହି କୋର୍ଟକୁ ରିପୋର୍ଟ ପ୍ରଦାନ କରାଯାଇଛି । ନାହିଁ ନାହିଁରେ ଚାଲିଛି ନର୍ଲା ଥାନା । ନର୍ଲାରୋଡ଼ ବିଦେଶୀ ମଦ ଦୋକାନ ଅନେକ ଦାବୀ ପରେ ହନୁମାନ ମନ୍ଦିର ପାଖରୁ ଘୁଞ୍ଚି ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ପାଖକୁ ଚାଲି ଯାଇଛି । ହାଇସ୍କୁଲ ରାସ୍ତାରେ ମଦ ଦୋକାନ ଯୋଗୁଁ ଦିନରାତି ମଦ୍ୟପଙ୍କ ଭିଡ଼ । ଛାତ୍ରୀମାନେ ପାଠପଢି ଯିବାବେଳେ ମଦ୍ୟପଙ୍କ ଅଶ୍ଳୀଳ ଇଙ୍ଗିତର ଶରବ୍ୟର ଶିକାର ହେଉଥିବା ଦେଖିବାକୁ ମିଳୁଛି । ମୋଟାମୋଟି ଭାବରେ କହିବାକୁ ଗଲେ ନର୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବା ଯୋଗୁଁ ଅପରାଧ ବଢ଼ିବାରେ ଲାଗିଛି । କେବେ ସୁଧୁରିବ ନର୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଫଳରେ ନର୍ଲା ଜନସାଧାରଣ ନର୍ଲାକୁ ଅପରାଧିକ ପୃଷ୍ଠଭୂମିର ପେଣ୍ଠସ୍ଥଳି ବୋଲି ବିଦିତ କରୁଥିବା ଶୁଣିବାକୁ ମିଳୁଛି । ଏଣୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମହୋଦୟ ନର୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ନର୍ଲାରେ ଜଣେ ଯୋଗ୍ୟ ଆଇଆଇସିଙ୍କୁ ନିଯୁକ୍ତି ଦିଆଯାଉ ବୋଲି ନର୍ଲା ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.