ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ନିକଟରେ ଥିବା ଠିକା କ୍ୟାମ୍ପରେ ସୋମବାର ନିଆଁ ଲାଗି ସୁପରଭାଇଜର ଭାବରେ ଥିବା କୋକସରା ଥାନା କାଶିବାହାଲ ଗ୍ରାମର ଜଳନ୍ଧର କେତକୀଙ୍କ ପୁଅ ପ୍ରଦୀପ କେତକୀ(୪୨) ଜୀବନ୍ତ ଦଗ୍ଧ ହୋଇଥିବା ଘଟଣାକୁ ପରିବାର ଲୋକେ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। ତେବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ କ୍ଷତିପୂରଣ ଦାବିରେ ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ କୋକସରା ବ୍ଳକ ଚିଲିଗୁଡା ଠାରେ ପରିବାର ଲୋକେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, କାଶିବାହାଲ ଗ୍ରାମର ପ୍ରଦୀପ କେତକୀ ସୁପରକ୍ଳାସ ଠିକାଦାର ରାଜେଶ ଠାକୁରଙ୍କ ନିକଟରେ ଦିର୍ଘ ଦିନରୁ ସୁପରଭାଇଜର ଭାବରେ କାମ କରି ଆସୁଥିଲେ। ତେବେ ପାଷ୍ଟିକୁଡି ଠିକା କ୍ୟାମ୍ପରେ ପ୍ରଦିପ କାର୍ଯ୍ୟରତ ରହିଥିବାବେଳେ ସୋମବାର ପରିବାର ଲୋକଙ୍କୁ ଫୋନ୍ କରି ମୋତେ ଏକ କୋଠରୀରେ ବନ୍ଦ କରାଯାଇଛି କହି ଉଦ୍ଧାର କରିବା ପାଇଁ ଜଣାଇଥିଲେ। ଏନେଇ ପରିବାର ଲୋକେ ଖବର ପାଇବା ମାତ୍ରେ ପାଷ୍ଟିକୁଡି ଠିକା କ୍ୟାମ୍ପକୁ ବାହାରି ଥିଲେ। ସେତେବେଳକୁ ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚି ପ୍ରଦିପଙ୍କୁ ବନ୍ଦ କରିଥିବା କୋଠରୀରେ ଲାଗି ଥିବା ନିଆଁକୁ ଆୟତ୍ତ କରିଥିବାବେଳେ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ଥିଲେ। ପରେ ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ମଙ୍ଗଳବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ପରିବାର ଲୋକେ କ୍ୟାମ୍ପର ସୁପରଭାଇଜର ଥିବା ପ୍ରତାପ ଜେନା ହତ୍ୟାରେ ସଂପୃକ୍ତ ଥିବା ଅଭିଯୋଗ ଆଣି ତାଙ୍କୁ ତୁରନ୍ତ ଗିରଫ କରିବା ସହ ନ୍ୟାୟ ଦାବିରେ ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ଚିଲିଗୁଡାଠାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ବର ଲହଜଲ, ବରିଷ୍ଠ ଯାଦବ ନେତୃତ୍ବ ଧନୁ ଗୋପାଳ, ବଳରାମ ଚଣ୍ଡୀ, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରାଙ୍କ ସମେତ କର୍ମକର୍ତ୍ତା ମାନେ ଏଥିରେ ସାମିଲ ହୋଇ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଘଟଣାର ଖବର ପାଇ କୋକସରା ଥାନା ଅଧିକାରୀ ପ୍ରଶନ୍ନ କୁମାର ବେହେରା, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ ପହଞ୍ଚି ଦିର୍ଘ ସମୟ ଧରି ବୁଝାସୁଝା କରିଥିବା ବେଳେ ପରିବାର ଲୋକେ ଜିଦରେ ଅଟଲ ରହିଥିଲେ। ପରେ ଠିକା ସଂସ୍ଥା ପକ୍ଷରୁ କ୍ଷତିପୂରଣ ଦେବା ସହ ପୁଲିସ ପ୍ରଶାସନ ପକ୍ଷରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରା ନଗଲେ ଯୋରଦାର ଆନ୍ଦୋଳନ ହେବ ବୋଲି ଯାଦବ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି। ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଅଟକି ରହି ଦିର୍ଘ ୪ଘଣ୍ଟା ପାଖାପାଖି ଭବାନୀପାଟଣା-ନବରଙ୍ଗପୁର ଯାତାୟତ ଠପ୍ ହୋଇଥିଲା।