କିଙ୍ଗସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲା ଓମପ୍ରକାଶ ସାହୁଙ୍କ ବାଲୁକା କଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କ ଦ୍ୱାରା ନିର୍ମିତ ୩୬ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳା ” କିଂଗ୍ସ ବୁକ ଅଫ ୱାର୍ଲଡ ରେକର୍ଡ “ରେ ସ୍ଥାନ ପାଇଛି । କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ର ସୀମାନ୍ତବର୍ତ୍ତୀ ଅଂଚଳ ଗୁଡଭେଳା ବ୍ଲକରେ ପ୍ରବାହିତ ତେଲ ନଦୀର ପେନ୍ଦିମୁଣ୍ଡା ଘାଟରେ ତେନ୍ତୁଳୀଖୁଣ୍ଟି ମକର ମେଳା ଅବସରରେ ଗତ ଜାନୁଆରୀ ୧୪ ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ବାଲୁକା କଳାଟି ପ୍ରଦର୍ଶିତ ହୋଇଥିଲା । ଏହି ମଡେଲ ଟି ତିଆରି କରିବା ପାଇଁ ୩୮୦୦ ଟନ ବାଲି ବ୍ୟବହୃତ ହୋଇଥିବା ବେଳେ ଏହାକୁ ଶେଷ କରିବା ପାଇଁ ୧୫ ଦିନ ସମୟ ଲାଗିଥିଲା । ଏହି ସଫଳତା ପରେ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ୱର୍ଦ୍ଧନା ପ୍ରଦାନ କରାଯାଉଛି । ଗତ ମାର୍ଚ୍ଚ ୫ ଦିନ ପଶ୍ଚିମ ଓଡ଼ିଶାର ସର୍ବପୁରାତନ କଳା ଶିକ୍ଷା ଅନୁଷ୍ଠାନ କଳାୟତନ କଲେଜ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟସ, ସୁନ୍ଦରଗଡ଼ର ବାର୍ଷିକ ଉତ୍ସବ ଓ ଚିତ୍ରକଳା ପ୍ରଦର୍ଶନୀ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି ୨୦୨୦ ମସିହାରେ ମଧ୍ୟ ଉକ୍ତ ସ୍ଥାନରେ ଶ୍ରୀ ସାହୁ ଭାରତର ଐତିହ୍ୟ ଉପରେ ୨୬ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳା ନିର୍ମାଣ କରି ଏସିଆ ବୁକ ଅଫ ରେକର୍ଡସ ଓ ଏକ୍ସକ୍ଲୁସିଭ ୱାର୍ଲଡ ରେକର୍ଡରେ ଏହାକୁ ସାମିଲ କରିଥିଲେ । ଭାରତରେ ବାଲୁକା କଳାରେ ବିଶ୍ୱ ରେକର୍ଡ ହାସଲ କରିଥିବା ଶିଳ୍ପୀ ମାନଙ୍କ ମଧ୍ୟରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପରେ ଶ୍ରୀ ସାହୁ ହେଉଛନ୍ତି ଦ୍ଵିତୀୟ ବ୍ୟକ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.