ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ ଟୋଲବ୍ରାହ୍ମଣୀରେ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଓ ଷୋହଳ ପ୍ରହର ବ୍ରହ୍ମ ନାମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହେଉଛି ଗଗନ ପବନ। ‘ଅଲେଖ ଅରୂପ ଶୁନ୍ୟ ନିତ୍ୟ ଶୁଦ୍ଧ ନିରଞ୍ଜନ। ଅବ୍ୟକ୍ତ ପରମବ୍ରହ୍ମ ବିଭୁସତ୍ୟ ସନାତନ।।’ ଷୋହଳ ପ୍ରହର ଅଖଣ୍ଡ ବ୍ରହ୍ମନାମ ଶ୍ରବଣରେ ତଲ୍ଲିନ ହୋଇ ଉଠୁଛନ୍ତି ଭକ୍ତ ମଣ୍ଡଳୀ। ଶହ ଶହ ସଂଖ୍ୟାରେ ମହିମା ଧର୍ମାବଲମ୍ବୀ ଓ ସାଧୁ ସନ୍ଥଙ୍କ ସମାଗମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏପରି ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମରେ। ପ୍ରବୁଦ୍ଧ ଗୁରୁ ତଥା ମହିମା ଧର୍ମର ସଂସ୍ଥାପକ ମହିମା ଗୋସାଇଁଙ୍କ ଦ୍ଵାରା ପ୍ରବର୍ତ୍ତିତ ହୋଇଛି ବିଶ୍ବ ଶାନ୍ତି ଯଜ୍ଞ । ଏହି କ୍ରମରେ ପ୍ରତିବର୍ଷ ପରି ଏଥର ମଧ୍ୟ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନ କୁଟିର ଠାରେ ଆୟୋଜିତ ହୋଇଛି ୬୫ତମ ବ୍ରହ୍ମ ଯଜ୍ଞ। ଟୋଲବ୍ରହ୍ମଣୀ ଗ୍ରାମର ବୈଦ୍ୟରାଜ ପବିତ୍ର ଶବର ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ହୋଇଥିବା ଏହି ବ୍ରହ୍ମ ଯଜ୍ଞରେ ପଶ୍ଚିମାଞ୍ଚଳର ଅନେକ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ଭକ୍ତବୃନ୍ଦ ଯୋଗ ଦେଇଛନ୍ତି। ଯଜ୍ଞାରମ୍ଭ ପୂର୍ବରୁ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଟୋଲବ୍ରାହ୍ମଣୀ ଓ ଚିଆଁପଦର ଗ୍ରାମର ମହିଳା ଓ ଭକ୍ତମାନେ ସାମିଲ ହୋଇଥିଲେ। ପ୍ରଥମ ଦିନରେ ବ୍ରହ୍ମ ଅବଧୂତ ଭଗବାନ ବାବାଙ୍କ ଦ୍ବାରା ସନ୍ଥକବି ଭୀମ ଭୋଇ ଓ ବ୍ରହ୍ମ ଅବଧୂତ ରତ୍ନମଣି ବାବାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଦ୍ବିତୀୟ ଦିବସରେ ଯଜ୍ଞ ବେଦିରେ କଳସ ସ୍ଥାପନା ପରେ ବଳ୍କଳଧାରୀ ସାଧୁ ମାନଙ୍କ ଦ୍ୱାରା ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ଯଜ୍ଞ ଆହୂତି ଅର୍ପଣ କରାଯାଇଥିଲା। ପ୍ରହରୀମଣ୍ଡପରେ ଷୋହଳ ପ୍ରହର ମହିମା ନାମ ସଂକୀର୍ତ୍ତନ୍ୟ ଚାଲିଛି। ଏଥିରେ ବଲାଙ୍ଗୀର ଜିଲ୍ଲା ପୂନ୍ୟାପାଲି, ମହଗାଁ, କଳାହାଣ୍ଡି ଜିଲ୍ଲା ମୁଷାନାଲ ଓ ଗୁଣ୍ଡରୀ ଗ୍ରାମର ଝିଅ କୀର୍ତ୍ତନ ଦଳ ସମେତ ବାହାଦୁର ପଦର, ଯାଜଲଦେଇପୁର, କଲମ, ପୋଢକମ ଏବଂ ମହେନ୍ଦ୍ରପୁର ଆଦି ସ୍ଥାନର ସଂକୀର୍ତ୍ତନ ଦଳସବୁ ଯୋଗ ଦେଇଏ। ଏହି ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ପରିଚାଳନା ନିମନ୍ତେ ପଶ୍ଚିମାଞ୍ଚଳ ମହିମା ସମାଜର ଅଧ୍ୟକ୍ଷ ବ୍ରହ୍ମ ଅବଧୁତ ଭଗବାନ ବାବା, ଲତା ଆଶ୍ରମ ପରିଚାଳନା ସମିତି ଯୋରନ୍ଦାର ସଂପାଦକ ବ୍ରହ୍ମ ଅବଧୁତ କିଶୋର ଚନ୍ଦ୍ର ବାବା, ବ୍ରହ୍ମ ଅବଧୂତ ମଦନ ଚନ୍ଦ୍ର ବାବା, ବ୍ରହ୍ମ ଅବଧୂତ ସୁରେଶ ବାବା, ପରବାଙ୍ଗି ମହିମା ଆଶ୍ରମର ମଠାଧିସ ସାଧୁ ପ୍ରଭାକର ଦାସ, ସଦାନନ୍ଦ ବାବା ପ୍ରମୂଖଙ୍କ ସହ ଅନେକ ସାଧୁସନ୍ଥ ଦାୟୀତ୍ୱ ଗ୍ରହଣ କରିଛନ୍ତି। ଶିଦ୍ଧ ରତ୍ନ କୁଟିର ପାଇଁ ଭୁମିଦାତା ତଥା ପ୍ରତିଷ୍ଠାତା ଭକ୍ତ ପବିତ୍ର ଶବର, ଭକ୍ତା ପଦ୍ମା, ଭକ୍ତା ପୁଷ୍ପା, ଭକ୍ତ ଶ୍ରୀକର ପ୍ରମୁଖଙ୍କୁ ସାଧୁସନ୍ଥ ମାନେ ଯଜ୍ଞ ବେଦୀରେ ଆଶିର୍ବଚନ ପ୍ରଦାନ କରିଥିଲେ। ଟୋଲବ୍ରାହ୍ମଣୀର ଚନ୍ଦ୍ରଶେଖର ଶବର, ନରେନ୍ଦ୍ର କୁମାର ଶବର, ଲିଙ୍ଗରାଜ ଶବର ଓ ଗ୍ରାମର ଅନେକ ଲୋକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ହୋମ ଯଜ୍ଞ ପରେ ପ୍ରତ୍ୟହ ଦିବା ୧୨ ଟା ଓ ସନ୍ଧ୍ୟା ପୂର୍ବରୁ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଛି। ଏହି ମହିମା ମେଳା ଓ ବ୍ରହ୍ମନାମ ସଂକିର୍ତ୍ତନ ଦେଖିବା ପାଇଁ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଛି।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ)

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.