ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚିଲିରେ ଆୟୋଜିତ ଏକ ଟପ ଡିଭିଜନ ଫୁଟବଲ ଲିଗରେ ଗୋଲକିପର ଲିଏଣ୍ଡ୍ରୋ ରିକେନା ଏକ ଅଦ୍ଭୁତପୂର୍ବ ଗୋଲ କରିଛନ୍ତି। ସେ ୧୦୧ ମିଟର ଦୂରତାରୁ ଗୋଲ ସ୍କୋର କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। କାହାକୁ ପାସ ନ ଦେଇ ଗୋଟିଏ କିକରେ ସେ ଏହି ଗୋଲ କରିଥିଲେ। କେବ୍ରେସେଲ ଟିମ ଓ କୋଲୋ କୋଲୋ ମଧ୍ୟରେ ଏହି ମୁକାବିଲା ଚାଲିଥିଲା। କେବ୍ରେସେଲ ଟିମ ପକ୍ଷରୁ ଆର୍ଜେଂଟିନାର ଗୋଲକିପର ରିକେନା ଖେଳୁଥିଲେ। ତାଙ୍କରି ଗୋଲ ବଳରେ କେବ୍ରେସେଲ ଟିମ ୩-୧ରେ ବିଜୟ ହାସଲ କରିଥିଲା। ଏହି ଗୋଲ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବ କି ନାହିଁ ସେ ନେଇ ଭେରିଫାଇ ଚାଲିଛି। ଚିଲି ଫୁଟବଲ ଫେଡେରେଶନ ବିଧିବଦ୍ଧ ଭାବେ ଏ ନେଇ ଆବେଦନ କରିଛି। ଏବେ ଶେଷ ସୁଦ୍ଧା ନ୍ୟୁପୋର୍ଟ କାଂଉଟି ଟମ କିଙ୍ଗଙ୍କ ନାମରେ ସବୁଠାରୁ ଅଧିକ ଦୂରତାରୁ ଗୋଲ କରିବା ରେକର୍ଡ ରହିଛି। ସେ ୨୦୨୧ରେ ୯୬.୦୧ ମିଟର ଦୂରତାରୁ ଗୋଲ କରିଥିଲେ। ଏହା ବ୍ୟତୀତ ଅସ୍ମିର ବେଗାବିକ (୯୧.୯), ମାଟିୟସ ଡିଟୁରୋ (୯୧.୪), ଟିମ ହୋବାର୍ଡ (୯୧.୪) ଓ ଆଣ୍ଡି ଲୋନେର୍ଗନ (୯୧.୪) ଅଧିକ ଦୂରତାରୁ ଗୋଲ କରିଛନ୍ତି।