କାଳୀକୃଷ୍ଣ ସଂଘର ବାର୍ଷିକ ଉତ୍ସବ ଓ ମହାବିଷ୍ଣୁ ଯଜ୍ଞ 

• ଯଜ୍ଞ ଦ୍ବାରା ସୃଷ୍ଟି, ବୃଷ୍ଟି ଓ ତୃଷ୍ଟି ପ୍ରାପ୍ତ ହୋଇଥାଏ -ସତ୍ୟନନ୍ଦ ଜୀ ମହାରାଜ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କାଳୀକୃଷ୍ଣ  ସଂଘର ୪୦ତମ ବାର୍ଷିକ ଉତ୍ସବ ଓ ତ୍ରିଦାନାତ୍ମକ ନବକୁଣ୍ଡୀୟ ବିଶ୍ବଶାନ୍ତି ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ ଭବାନୀପାଟଣା ନିକଟସ୍ଥ କନ୍ଧବାନ୍ଧୋପଳା ଠାରେ ତିନି ଦିନ ଧରି ମହାସମାରୋହରେ ସଂପନ୍ନ ହୋଇଯାଇଛି। ସଦଗୁରୁଦେବ ସତ୍ୟାନନ୍ଦ ସରସ୍ବତୀ ମହାରାଜା ଦ୍ବାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାଯଜ୍ଞ ପରିଚାଳିତ ହେଉଥିଲା। ଯଜ୍ଞ ବେଦୀର ସଂଘର ବେଦବ୍ରହ୍ମା ସରୋଜାନନ୍ଦଜୀ ଓ ଯଜ୍ଞ ଆଚାର୍ଯ୍ୟ ମାନଙ୍କ ଦ୍ବାରା ନବକୁଣ୍ଡରେ  ଘୃତଯଜ୍ଞ ଅନୁଷ୍ଠିତ ହେଉଥିଲା। ସର୍ବସାଧାରଣଙ୍କ ପାଇଁ ଆନନ୍ଦ ବଜାରରେ ଅନ୍ନଛତ୍ର ବ୍ୟବସ୍ଥା ହୋଇଥିଲା। ପ୍ରତ୍ୟହ ଜ୍ଞାନଯଜ୍ଞରେ ଶ୍ରୀ ଜଗଦାନନ୍ଦଜୀ ବିଶ୍ବଶାନ୍ତିର ବାର୍ତ୍ତା ପ୍ରଦାନ କରି କହିଥିଲେ ଯଜ୍ଞ ଦ୍ବାରା ସୃଷ୍ଟି, ବୃଷ୍ଟି ଓ ତୃଷ୍ଟି ପ୍ରାପ୍ତ ହୋଇଥାଏ। ଏହା ସହ ମାଟି, ପାଣି ଓ ବୃକ୍ଷର ସୁରକ୍ଷା କରିବାକୁ ସେ ଆହ୍ୱାନ ଦେଇଥିଲେ। ଯଜ୍ଞର ଦ୍ଵିତୀୟ ଦିନ ସଂଧ୍ୟା ସୃଷ୍ଟି ପ୍ରାରମ୍ଭ ଦିବସରେ ସଂଘର ବାର୍ଷିକ ଉତ୍ସବରେ ସଂଘର ସଂପାଦକ ଶ୍ରୀ ମାଧବାନନ୍ଦଙ୍କ ଦ୍ବାରା  ବାର୍ଷିକ ବିବରଣୀ ପାଠ, ବେଦବ୍ରହ୍ମା ସରୋଜାନନ୍ଦଜୀଙ୍କ ଦ୍ବାରା ବକ୍ତବ୍ୟ ଓ ଶ୍ରୀ ଜଗଦାନନ୍ଦଜୀଙ୍କ ଦ୍ବାରା ସାରଗର୍ଭକ ଜୀବନ ଦର୍ଶନ ଓ ସଂକିର୍ତ୍ତନ ଅନୁଷ୍ଠିତ ହୋଇଥିଲା। ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସଫଳତା ସହ ଆୟୋଜନ ନିମନ୍ତେ ଖଇରଭାଡି ଶାଖା, ଚାରବାହାଲ ଶାଖା ଓ ଗମ୍ଭାରୀଗୁଡା ଶାଖାକୁ  ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ମହାଯଜ୍ଞ ଅବସରରେ ବ୍ରତୋପନୟନ, ମୁଣ୍ଡନ, କୁଣାବରୀ, ଦୀକ୍ଷା ଗ୍ରହଣ ପରି ସଂସ୍କାର କାର୍ଯ୍ୟକ୍ରମ ଓ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ମହାଯଜ୍ଞ ଶେଷ ଦିନରେ ବନ୍ଦନୀୟା ଗୁରୁମାତା ସରୋଜିନୀ ଦେବୀ, ଗୁରୁପୁତ୍ର ଶ୍ରୀ ବଳଦେବାନନ୍ଦଜୀ ସମେତ ଗୁରୁପରିବାରଙ୍କ ପଦାର୍ପଣ ଓ ସାଧାରଣ ଲୋକଙ୍କ ଦର୍ଶନ  ଯଜ୍ଞ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା। ମହାଯଜ୍ଞ ଶେଷରେ ଆରୋଗ୍ୟ ଚରୁଅର୍ଣ୍ଣ ଓ ସନ୍ତାନ ପ୍ରାପ୍ତି ଚରୁଅର୍ଣ୍ଣ  ଶ୍ରଦ୍ଧାଳୁମାନଙ୍କୁ ପ୍ରଦାନ କରାଯାଇଥିଲା। ମୂଖ୍ଯ ସଂଘ, ଶାଖା ସଂଘ ଓ ଭବାନୀପାଟଣା ଶାଖା ସଂଘର ଭାଇ ଭଉଣୀ ଓ ଶୁଭେଚ୍ଛୁମାନେ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.