ସ୍କାଉଟ୍ ଓ ଗାଇଡରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କଳାହାଣ୍ଡି ଶିକ୍ଷା ବିଭାଗ ପୁରସ୍କୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍କାଉଟ୍ ଓ ଗାଇଡର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କଳାହାଣ୍ଡି ଶିକ୍ଷା ବିଭାଗ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛି। ଭୁବନେଶ୍ୱର ସ୍ଥିତ ରାଜଭବନ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶି ଲାଲ ପୁରସ୍କାର ପ୍ରଦାନ କରିଛନ୍ତି। କଳାହାଣ୍ଡି ଭାରତ ସ୍କାଉଟ୍ ଓ ଗାଇଡ୍ ମୁଖ୍ୟ କମିଶନର୍ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଏବଂ ଜିଲ୍ଲା ସମ୍ପାଦକ ତଥା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ରାଜ୍ୟ ପୁରସ୍କାର ପରୀକ୍ଷାରେ ଉତ୍ତୀର୍ଣ୍ଣ ଜିଲ୍ଲାର ୧୦୦ରୁ ଉର୍ଦ୍ଧ୍ବ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। କଳାହାଣ୍ଡି ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ସମୀର ସାଗର ଓ ସରସ୍ବତୀ ଗୋପାଳ ଏହା ଗ୍ରହଣ କରିଥିଲେ। ଏଥିରେ କ୍ରୀଡ଼ା ଶିକ୍ଷକ ସନାତନ ସାହୁ, ପବିତ୍ର ମୋହନ ପାସା ଓ ବୀଣାପାଣି ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ସ୍କାଉଟ୍ ଓ ଗାଇଡ୍ ମୁଖ୍ୟ କମିଶନର ଶ୍ରୀ ଚୋପଦାରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଚାରିତ୍ରିକ ବିକାଶ, ବ୍ୟକ୍ତିତ୍ୱ ନିର୍ମାଣ ତଥା ସେବା ମନୋଭାବ ଜାଗ୍ରତ ପାଇଁ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଜିଲ୍ଲାରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିଛି। ଏହା ଭାରତ ସ୍କାଉଟ୍ ଓ ଗାଇଡ୍ କ୍ଷେତ୍ରରେ ଜାଗରଣ ଆଣିବା ସହ ରାଜ୍ୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି। ପୂର୍ବରୁ ଶ୍ରେଷ୍ଠ କେମ୍ପୋରି ଜିଲ୍ଲା ଭାବେ କଳାହାଣ୍ଡି ସମ୍ବର୍ଦ୍ଧିତ ହୋଇଥିବା ବେଳେ ଏବର ସଫଳତାକୁ ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.