ପଞ୍ଚଭୂତରେ ଲୀନ ହେଲା ସହିଦ ଦେବାଶିଷ ବିଶ୍ବାଳ ଙ୍କ ମର ଶରୀର

ଓଡ଼ିଆ ବାର୍ତ୍ତା/ ସାକ୍ଷୀଗୋପାଳ: ଏପ୍ରିଲ ୨୨ ତାରିଖ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହେଇଥିବା ଓଡ଼ିଆ ପୁଅ ଲାନ୍ସନାୟକ ଦେବାଶିଷ ବିଶ୍ବାଳ ଙ୍କ ମରଶରୀର ଶନିବାର ଅପରାହ୍‌ଣ ସାଢ଼େ ୨ଟା ରେ ପଞ୍ଚଭୂତରେ ଲୀନ ହେଇଯାଇଛି । ପରିବାର ବର୍ଗ ଓ ବନ୍ଧୁବାନ୍ଧବ ଙ୍କ ସହ ହଜାର ହଜାର ଜନତାଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତସାହିରେ ଦେବାଶିଷଙ୍କ ଶେଷକୃତ୍ୟ ଗାଁ ମଶାଣିରେ ସଂପନ୍ନ ହୋଇଛି। ଏହି ଅବସରରେ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ନେତା ଓମ ପ୍ରକାଶ ମିଶ୍ର, କୃଷ୍ଣଚନ୍ଦ୍ର ଜଗଦେବ, କାମାକ୍ଷା ପ୍ରଧାନ ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପ୍ରଶାସନ ପକ୍ଷରୁ ଏଡିଏମ୍‌ ଦିଲ୍ଲୀପ କୁମାର ମହାପାତ୍ର, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ବିଡ଼ିଓ ଲୋଚନ ଦାସ, ଏସ ଡ଼ି ପି ଓ ଦେବଦତ୍ତ ବରାଳ, ଆଇ ଆଇ ସି ବିଜୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତରହି ଶହୀଦ ଦେବାଶିଷ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ I

ଆଜି ସକାଳେ ଦେବାଶିଷଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା। ଏଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାଛଡ଼ା ସେଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ରଙ୍କ ସମେତ ବହୁ ରାଜନେତା ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ସହିଦ ଦେବାଶି‌ଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ଉପସ୍ଥିତ ଥଲେ।

ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅଳୁଗୁମ ପଞ୍ଚାୟତ ଖଣ୍ଡାୟତସାହିକୁ ନିଆଯାଇଥିଲା। ସହିଦ ଦେବାଶିଷ ବିଶ୍ୱାଳଙ୍କ ମରଶରୀର ଆଜି ପୂର୍ବାହ୍ନ ୯ ଟା ସମୟରେ ସତ୍ୟବାଦୀରେ ପହଞ୍ଚିଥିଲା I ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସହିଦଙ୍କ ଜନ୍ମସ୍ଥାନ ଖଣ୍ଡାୟତ ସାହି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଜନସାଧାରଣ ଉପସ୍ଥିତ ରହି ସହିଦ ଦେବାଶିଷ ଅମର ରହେ ସ୍ଲୋଗାନ ଦେବା ସହ ସହିଦଙ୍କୁ ତାଙ୍କର ଶେଷ ସମ୍ମାନ ଜଣାଇଥିଲେ I ସହିଦଙ୍କ ଶିକ୍ଷାନୁଷ୍ଠାନ ଗୁରୁକୁଳ ଆଥଲେଟିକସର ଶିକ୍ଷାନବିଶଙ୍କ ସମେତ ହଜାର ହଜାର ଜନସାଧାରଣ ଏକ ଶୋଭାଯାତ୍ରାରେ ସହିଦଙ୍କ ଗାଡିକୁ ପାଛୋଟି ନେଇଥିଲେ I ୫ ଘଂଟାର ଶୋଭାଯାତ୍ରା ପରେ ଅର୍ଥାତ ଅପରାହ୍ନ ସାଢେ ୨ ଟା ସମୟରେ ଶାହିଦ ଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିଥିଲା l ସେଠାରେ ପରିବାର ବର୍ଗ ଓ ଗ୍ରାମବାସୀ ସହିଦଙ୍କ ଶେଷ ଦର୍ଶନ କରିଥିଲେ l ସାମରିକ କର୍ମଚାରୀ କଫିନକୁ ଗ୍ରାମ ସ୍ମଶାନ ପର୍ଯ୍ୟନ୍ତ କାନ୍ଧରେ ନେଇଥିଲେ l ସ୍ମଶାନ ନିକଟରେ ସେନାବାହିନୀ ପକ୍ଷରୁ ସହିଦଙ୍କୁ ତୋପ ସଲାମୀ ଦିଆ ଯାଇଥିଲା I ସହିଦଙ୍କ ସାନ ଭାଇ ଦେବ ପ୍ରସାଦ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ I ସେନା ବାହିନୀର କର୍ନେଲ ରାହୁଲ ବସନ୍ତ ପୋଣ୍ଡାଲକର, ଲେଫ୍ଟନାଣ୍ଟ ଚିନ୍ମୟ ବେଉରାଙ୍କ ତରଫରୁ ପି ଓ ଏମ ଇ ବିଜୟ କୁମାର ସାହୁ, ଏ ଡ଼ି ଏମ ଏନ ସି ଓ ସୁନୀଲ କୁମାର ସାମଲ, କ୍ୟାପଟେନ ଦିବେଶ କୁମାର ସ୍ୱାଇଁ ଓ ୧୨୦ ବାଟାଲିୟନ କମାଣ୍ଡିଙ୍ଗ ଅଫିସର ସୁଶୀଲ ମୀନହାସଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଆସିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.