ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଉପରି ବାୟୁ ଚକ୍ରବାତୀୟ ପରିସଞ୍ଚରଣର ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଜିଲ୍ଲା ପାଣିପାଗ ବିଜ୍ଞାନ ଅଧିକାରୀ-ଭାରପ୍ରାପ୍ତ ମଦନ ମୋହନ ଦାସ ଏହି ସୂଚନା ଦେଇଛନ୍ତି। ଏହି ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଅଗଷ୍ଟ ୧୬ରୁ ୧୮ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ଏବଂ ତତ୍ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ତଥା ପଶ୍ଚିମବଙ୍ଗ, ବାଂଲାଦେଶ ସଂଲଗ୍ନ ଅଞ୍ଚଳ, ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଏବଂ ଝଟକା ସହ ୬୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବହିବାର ସମ୍ଭାବନା ରହିଛି।ଏହି ସମୟରେ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭାବନା ରହିଛି। ପ୍ରତିକୂଳ ପାଣିପାଗ ଓ ସମୁଦ୍ରର ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ପଶ୍ଚିମ ଏବଂ ତତ୍ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ତଥା ଓଡ଼ିଶା ସମେତ ସମ୍ପୃକ୍ତ ଉପକୂଳ ଅଞ୍ଚଳରେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏହି ଲଘୁଚାପ କ୍ଷେତ୍ର ଉପରେ ପାଣିପାଗ ବିଭାଗ ନଜର ରଖିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।





