ଗରିବ ଜନତାଙ୍କ ପିଡିଏସ ଚାଉଳ ଉପରେ ଲୋଲୁପ ଦୃଷ୍ଟି; ୫୦ କେଜି ବସ୍ତାରେ ୩୭ କେଜି ଚାଉଳ, ଯୋଗାଣ ସଂସ୍ଥା ଓ ବିଭାଗର ମଧୁଚନ୍ଦ୍ରିକା !

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସମାଜର ଗରୀବ ଓ ଅବହେଳିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପିଡିଏସ ଚାଉଳ ଉପରେ ପଡ଼ଛି  କେତେକ ନ୍ୟାସ୍ତସ୍ବାର୍ଥ ବ୍ୟକ୍ତିଙ୍କ ନଜର। ବିଭିନ୍ନ ଉପାୟରେ ହଡ଼ପ ହୋଇ ଚାଲିଛି ଏହି ଚାଉଳ। ଏଥିରେ ଯୋଗାଣ ସଂସ୍ଥା ଓ ବିଭାଗର ମଧୁଚନ୍ଦ୍ରିକା ଥିବା ଚର୍ଚ୍ଚା ଯୋର ଧରିଛି। ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ୧ଟଙ୍କା ଦରରେ ମୁଣ୍ଡ ପିଛା ୫କେଜି ପିଡିଏସ ଚାଉଳ ଯୋଗଇ ଦିଆଯାଉଛି। ହେଲେ ଗରୀବଙ୍କ ପାଇଁ ଯୋଗାଣ ହେଉଥିବା ସେହି ଚାଉଳରେ ମଧ୍ଯ ଦୁର୍ନୀତି ଗନ୍ଧ ଭରି ରହିଛି। ବସ୍ତା ପିଛା ୫୦ କେଜି ଚାଉଳ ରହିବା କଥା ହେଲେ ୫୦ କେଜି ବଦଳରେ ୩୬ କେଜି ଚାଉଳ ରହୁଛି। ତେବେ ଚାଉଳ ଯୋଗାଣ ସଂସ୍ଥା, ଯୋଗାଣ ବିଭାଗ ଓ ପଞ୍ଚାୟତ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଏ ସବୁର ଲୁଟ ହେଉଛି। ଏମିତି କିଛି ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତରୁ ଆସିଛି। ଶୁକ୍ରବାର ସାଧାରଣ ଚାଉଳ ବଣ୍ଟନ ପାଇଁ ଆସିଥିବା ପିଡିଏସ ଚାଉଳ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲା। କୋକସରା ସିଉବ୍ଳୁସି ଗୋଦାମ ଗୃହରୁ ୨୭ ତାରିଖ ଗୁରୁବାର ଦିନ ୫.୪୬ ମିନିଟରେ ଗାଡ଼ି ନମ୍ବର (ଓଆର୦୮ଇ୨୧୧୧) ଯୋଗେ ଡହଗାଁ ପଞ୍ଚାୟତ ଅଭିମୁଖେ ବାହାରିଥିଲା। ତେବେ ଉକ୍ତ ଗାଡ଼ି ଟି ୨୮ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲା। ପଞ୍ଚାୟତ କର୍ମଚାରୀଙ୍କ ଉପସ୍ଥିତ ଚାଉଳ ଗୋଦାମ ଗୃହରେ ଅନଲୋଡ କରାଯାଇଥିଲା। ହେଲେ ୫୦ କେଜି ଚାଉଳ ବସ୍ତାରେ ୩୬ କେଜିରୁ ୪୨ କେଜି ପାଖାପାଖି ଓଜନ ଆସିଥିଲା। ତେବେ ବସ୍ତା ପିଛା ପାଖାପାଖି ୧୦ ରୁ ୧୨ କେଜି ମାପ ଉଜନରେ ହେରଫେର ହେଉଥିଲା। ଏନେଇ ଯୋଗାଣ ନିରୀକ୍ଷକଙ୍କୁ ଅବଗତ କରାଇଥିଲେ। ପରେ ଯୋଗାଣ ନିରୀକ୍ଷକ ପହଞ୍ଚି ତାଙ୍କ ଉପସ୍ଥିତିରେ ଚାଉଳ ଅନଲୋଡ କରାଯାଇଥିଲା। ୫ଶହ ବସ୍ତା ଚାଉଲ ମଧ୍ୟରେ ପ୍ରତ୍ୟେକ ବସ୍ତାରେ ୧୦/୧୨ କେଜି. ଓଜନ କମିଥିବା ଦେଖିବାକୁ ମିଳିଥିଲା। ଏସଏଫଏସଏସ ରେ ୨୪ ବସ୍ତାରେ ୧୧.୯୦୦୦ କ୍ଵିଣ୍ଟାଲ, ପିଏଚଏଚ ଚାଉଳ ୩୧୦ ବସ୍ତାରେ ୧୫୫.୦୫୦୦୦ କ୍ଵିଣ୍ଟାଲ, ଏଏୱାଇ ୧୬୬ ବସ୍ତାରେ ୮୨.୯୫୦୦୦ କ୍ଵିଣ୍ଟାଲ ଚାଉଳ ଜୁନ୍ ମାସ ପାଇ ଆସିଛି। ତେବେ ୫ଶହ ବସ୍ତାରେ ୨୪୯.୯୦୦୦ କ୍ଵିଣ୍ଟାଲ ଚାଉଳ ଏଲାଟମ୍ୟାଣ୍ଟ ହୋଇଛି। ହେଲେ ପ୍ରତି ବସ୍ତାରେ ୧୦/୧୨ କିଲୋ ଓଜନ କମିଥିବା ବେଳେ ୧୭.୭୨ କ୍ଵିଣ୍ଟାଲ ଚାଉଳ ହେରାଫେରି ହୋଇଥିବା ପଞ୍ଚାୟତ କତୃପକ୍ଷ ପକ୍ଷରୁ ସୂଚନା ରହିଛି। ତେବେ ଡହଗାଁ ପଞ୍ଚାୟତରେ ତିନୋଟି ଲୋଡ଼ରେ ୧୩ ଶହ ବସ୍ତା ଚାଉଳ ଆସିଥିବାବେଳେ ହାରାହାରି ୩୮ କ୍ଵିଣ୍ଟାଲରୁ ଊର୍ଦ୍ଧ୍ବ ଚାଉଳ ହୋରାଫରି ହୋଇଥିବା ଅନୁମାନ କରାଯାଉଛି। ତେବେ ବିଭିନ୍ନ ସମୟରେ ବାରମ୍ବାର ହିତାଧିକାରୀ ମାନେ ଚାଉଳ ବସ୍ତାରେ ମାପ ଓଜନ କମିଥିବା ଅଭିଯୋଗ କରିଆସିଛନ୍ତି ହେଲେ ଯୋଗାଣ ସହାୟକ ଠାରେ ଆରମ୍ଭ କରି ଯୋଗାଣ ବିଭାଗ ଓ ଚାଉଳ ଯୋଗାଣ କରି ସଂସ୍ଥା ପର୍ଯ୍ୟନ୍ତ ମିଲି ଭଗତ ଥିବା ଯୋଗୁଁ ସମ୍ପୃକ୍ତ ଚାଉଳ ଯୋଗାଣ କାରି ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଯଦି ଗୋଟିଏ ପଞ୍ଚାୟତରେ ଅନଲୋଡ ପ୍ରତି ୧୭ କ୍ଵିଣ୍ଟାଲ ପାଖାପାଖି ହେରାଫେରି ହେଉଥିବାବେଳେ ୨୨ଗୋଟି ପଞ୍ଚାୟରେ ମାସକ ମଧ୍ୟରେ କୋଟିଏ ଟଙ୍କାର ଚାଉଳ ଲୁଟ କରାଯାଉଛି। ସମ୍ପୃକ୍ତ ଚାଉଳ ଯୋଗାଣ ସଂସ୍ଥା ଏମଏସ ଅମିତ୍ କୁମାର ଅଗ୍ରୱାଲଙ୍କ ଲାଇସେନ୍ସ ବାତିଲ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ହିତାଧିକାରୀ ମହଲରେ ଦାବି ହୋଇଛି। ଚାଉଳ ବସ୍ତାରେ ଗଜଲକ୍ଷ୍ମୀ ଏଗ୍ରେ ପ୍ରଡକ୍ଟ ରାଇସ ମିଲ ଲଡୁଗାଁର ଟ୍ୟାଗ୍ ରହିଥିବାବେଳେ ସଂପୃକ୍ତ ରାଇସ ମିଲ ଉପରେ ମଧ୍ୟ ଚଢ଼ାଉ କରି ମାପ ଓଜନ ଯାଞ୍ଚ କରି କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି। ଚାଉଳ ଯୋଗାଣ କରୁଥିବା ଏମଏସ ଅମିତ୍ କୁମାର ଅଗ୍ରୱାଲ ଜଣେ ବାହୁବଳୀ ବ୍ୟକ୍ତି ହୋଇଥିବାବେଳେ ଅନେକ ନେତା ମନ୍ତ୍ରୀ ସହିତ ଲମ୍ବା ହାତ ଥିବାରେ ବର୍ଷ ତମାମ ସାଧାରଣ ଚାଉଳ ବଣ୍ଟନରେ ଆସୁଥିବା ଚାଉଳକୁ ଚଳୁ କରୁଥିଲେ ମଧ୍ୟ ପ୍ରଶାସନ ସବୁ ଜାଣି କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାହସ ଜୁଟାଇ ପାରୁନଥିବା ବେଳେ ଯୋଗାଣ ନିରୀକ୍ଷକ ଠାରୁ ବିଡ଼ିଓ ପର୍ଯ୍ୟନ୍ତ ସଲାସୁତୁରା ଥିବା ଆଲୋଚନା ହେଉଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏନେଇ କୋକସରା ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ ଚାଲିଛି ବୋଲି କହି ହାଲୁକା ଭାବରେ ଉତ୍ତର ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.