ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କରୁଛନ୍ତି ଛାତ୍ରଛାତ୍ରୀ; ୨ ଦିନରେ ଗଲାଣି ୧୦ ଜୀବନ

ପରୀକ୍ଷା ଫଳ ଖରାପ ହେବାରୁ ୨ ଦିନରେ ୧୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ଆନ୍ଧ୍ର ପ୍ରଦେଶକୁ ଦୋହଲାଇ ଦେଇଛି। ଗତ ବୁଧବାର ଯୁକ୍ତ ୨ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ପାସ୍‌ ହାର ୬୧% ରହିଥିବା ବେଳେ ଦ୍ୱିତୀୟ ବର୍ଷ ପାସ୍‌ହାର ୭୨% ରହିଛି। ତେବେ ପରୀକ୍ଷାରେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଉଭୟ ସରକାର ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।

ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିବା ଗୁଣ୍ଟୁର ଜିଲ୍ଲା ଫିରଙ୍ଗୀପୁରମର ଛାତ୍ରୀ ଜଗନ୍ନାଥମ ବାଣୀ ଗୋଟିଏ ବିଷୟରେ ଫେଲ୍ ହେବା ପରେ କଲେଜ ପ୍ରିନ୍ସିପାଲ୍ ଆସି ତାଙ୍କୁ ସାଙ୍ଗମାନଙ୍କ ସାମ୍ନାରେ ତାଗିଦ୍ କରିଥିଲେ। ଏହାପରେ ଶୁକ୍ରବାର ହଷ୍ଟେଲ ରୁମ୍‌ରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା।

ସେହିପରି ଶ୍ରୀକାକୁଲମ ଜିଲ୍ଲାର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ବି. ତରୁଣ ଚଳନ୍ତା ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ବିଶାଖାପଟନମର ଅଖିଳାଶ୍ରୀ, ତୁଲାସୋ ଥାରୁନ, ବି ଜଗଦୀଶ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଚିତ୍ତୋରର ୨ ଛାତ୍ର ବି ଫେଲ୍ ହେବାରୁ ଆତ୍ମହତ୍ୟା କରିଛନ୍ତି।

ଏହାବାଦ ଅନନ୍ତପୁର ଜିଲ୍ଲାର ଜଣେ ଛାତ୍ରୀ ନଦୀକୁ ଡେଇଁ ପଡ଼ିଥିବା ବେଳେ କୀଟନାଶକ ପିଇ ଜଣେ ଛାତ୍ର ମୃତ୍ୟୁମୁଖରେ ପଡ଼ିଛନ୍ତି। ସେହିପରି ଅନ୍ୟ କିଛି ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି।

ସୂଚନା ଥାଉକି ମାର୍ଚ୍ଚ-ଏପ୍ରିଲରେ ଆୟୋଜିତ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାରେ ୧୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରେ ପ୍ରଥମ ବର୍ଷର ପାସ୍ ହାର ୬୧ ପ୍ରତିଶତ ରହିଥିବା ବେଳେ ଦ୍ୱିତୀୟ ବର୍ଷର ପାସ୍ ହାର ୭୨ ପ୍ରତିଶତ ରହିଛି। ପରୀକ୍ଷାରେ ଫେଲ୍ ହେବା ପରେ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଥିବାରୁ ପୁଲିସ ଓ ମନୋବୈଜ୍ଞାନିକମାନେ ଏଭଳି ଚରନ ନିଷ୍ପତ୍ତି ନ ନେବାକୁ ପିଲାମାନଙ୍କୁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.