ସପ୍ତମ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା

ନଗର ପରିକ୍ରମାର ଚତୁର୍ଥ ଦିନରେ ବ୍ୟାପକ ପଟୁଆର ସହ ପାତ୍ରସାହି ପରିଭ୍ରମଣ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି l ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା ଶନିବାର ସପ୍ତମ ଦିନରେ ମା’ଙ୍କ ଘଟକୁ ସୁସଜିତ କରାଯାଇଛି l ଏଥିରେ ଦେଶୀବେହେରା ଭାବେ ଏ.ସନ୍ତୋଷ କୁମାର ଦୋରାଙ୍କ ପରିବାରର ସମସ୍ତେ ଉପସ୍ଥିତ ରହି ଯଥାରିତି ସହକାରେ ପୁଜାର୍ଚ୍ଚନା କରାଯାଇଥିଲା। ସକାଳ ଓ ସନ୍ଧ୍ୟାର ଆଳତୀ ପରେପରେ ଭକ୍ତ ମାନଙ୍କୁ ମା’ ଦର୍ଶନ ଦେଇଛନ୍ତି ।

ସନ୍ଧ୍ୟା ଆଳତୀ ପରେ ମା’ ଶନିବାର ଚତୁର୍ଥ ନଗର ପରିକ୍ରମା ରେ ବାହାରିଥିଲେ l ପ୍ରତିଦିନର ନଗର ପରିକ୍ରମା ରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହି ୨୧ ଦିନ ଭିତରେ ମା’ ବାଲିଗୁଡାର ବିଭିନ୍ନ ସାହି ପରିକ୍ରମା କରିବେ। ଭକ୍ତ ଓ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ଆୟୋଜକ ସମିତି ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯିବା ସହ ମିନି ଷ୍ଟାଡିୟମ ପରିସରରେ ରାମ ଦୋଳି, ମୀନାବଜାର ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏହି ପଟୁଆରରେ ବ୍ୟାପକ ଆତସବାଜ଼ି ଫୁଟାଇବା ସହ ପ୍ରସିଦ୍ଧ ଦଶ ଅବତାର, ନିଶାନ ବାଜା, ସାଇ ଜାତ, ବାଘଘୋଡା ନାଚ, ସହ ଅନେକ ପଟୁଆର ସହ ମାନସିକ ଧାରୀ ମାନେ ବିଭିନ୍ନ ପ୍ରକାର ବେଶ ରେ ପରିକ୍ରମା କରୁଛନ୍ତି । ସପ୍ତମ ଦିନରେ ମା ‘ଙ୍କ ଚତୁର୍ଥ ନଗର ପରିକ୍ରମା ଅସ୍ଥାୟୀ ପୀଠ ବରାଳ ଦେବୀ ମନ୍ଦିରରୁ ଏକ ବିରାଟ ପଟୁଆର ରେ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଜଗନ୍ନାଥ ମାର୍କେଟ, ତ୍ରିବେଦୀ ପାର୍କ ଛକ, ନେହେରୁ ଛକ, ଡେଙ୍ଗସିଲ ଛକ, ଲଷ୍ମୀ ମାର୍କେଟ ପରେ ପାତ୍ରସାହି ଅଞ୍ଚଳରେ ମା’ପ୍ରବେଶ କରିବା ପରେ ସାହି ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ସମ୍ମୁଖରେ କୁମ୍ଭ, ଦୀପ, ଧୂପ, ଫୁଲ, ଚନ୍ଦନ ଓ ଭୋଗ ରଖି ପୂଜାର୍ଚ୍ଚନା କରିବା ପରେ ସାହିର ଏକ ଅସ୍ଥାୟୀ ପୂଜନ ସ୍ଥଳରେ ସମସ୍ତ ଭକ୍ତ ଏକତ୍ରିତ ହୋଇ ପୂଜାର୍ଚନା କରିଥିଲେ l ଏଥିରେ ମା ‘ପାଟଖଣ୍ଡାଙ୍କ ସମେତ ବରାଳଦେବୀ, ମା’ଦୁର୍ଗା, ମହାମାୟୀ, ଡେଙ୍ଗଶୀଳ, ଏବଂ ମା’କାଳୀଙ୍କ ଘଟ ଏହିଯାତ୍ରା ରେ ମିଳିତ ଭାବରେ ଯାଉଛନ୍ତି । ଶେଷରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ଅସ୍ଥାୟୀ ପୀଠରେ ମା’ ଙ୍କ ମିଠାଭୋଗ ନିମନ୍ତେ ଏକ ମିଷ୍ଠାନ୍ନ କେନ୍ଦ୍ର ଖୋଲା ଯାଇଛି l

୨୧ ଦିନ ଧରି ଆୟୋଜିତ ହେଉଥିବା ଏହି ପୁଜାକାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ପୁଜକ ଶ୍ରୀକାନ୍ତ ପଣ୍ଡା, ସଂଜୟ କୁମାର ଦାସ, ନିଳକଣ୍ଠ ମିଶ୍ର, ଟୁଲୁ ପାଢି, ପୁର୍ଣ୍ଣଚନ୍ଦ୍ର ଶତପଥୀ ଙ୍କ ସମେତ ଅନ୍ୟ ପୂଜକ ମାନେ ପୁଜା କାର୍ଯ୍ୟରେ ସାମିଲ ଅଛନ୍ତି । ଆୟୋଜକ ସମିତି ତଥା ଯାତ୍ରାର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି । ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମାଙ୍କ ନିର୍ଦେଶରେ ସ୍ଥାନୀୟ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱରେ ସମସ୍ତ ଛକ ତଥା ଗହଳି ପୂର୍ଣ୍ଣ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ରହି ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳାରେ ନିୟୋଜିତ ଥିବା ଜଣାପଡିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.