ନିର୍ବାଚନ ପୂର୍ବରୁ ବିଜେଡ଼ି ଠିକଣାର ନବକଳେବର

ଚିହ୍ନ ଯେମିତି ଗୋଟିଏ ଦଳର ପରିଚୟ । କାର୍ଯ୍ୟାଳୟ, ସେମିତି ଗୋଟିଏ ଦଳର ଠିକଣା । ଶାସକ ବିଜେଡି ଦଳର ସେହି ଠିକଣାର ହୋଇଛି ନବକଳେବର । ଯାହାର ନାଁ ରଖା ଯାଇଛି ଶଙ୍ଖ ଭବନ । ରାଜଧାନୀର ପେଣ୍ଠସ୍ଥଳୀରେ ନିର୍ମାଣ ହୋଇଥିବା ଏହି କାର୍ଯ୍ୟାଳୟରେ ସମ୍ମୁଖରେ ଶୋଭପାଉଛି ଏକ ବିଶାଳ ଶଙ୍ଖର ପ୍ରତିମୂର୍ତ୍ତ । ସୁଦୃଶ୍ୟ ଅଟ୍ଟାଳିକାରେ ଝଲସି ଉଠୁଛି ଓଡ଼ିଶା କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟାର ଝଲକ । ୩ ମହଲା ବିଶିଷ୍ଟ କାର୍ଯ୍ୟାଳୟର ପ୍ରଥମ ମହଲାରେ ରହିଛି ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ । ଏହି ସମ୍ମିଳନୀ କକ୍ଷରେ ଦେଢ଼ ହଜାର ଲୋକ ବସିବାର ସାମର୍ଥ୍ୟ ରହିଛି । ଦ୍ୱିତୀୟ ମହଲାରେ ବରିଷ୍ଠ ଛାମୁଆ ସଂଗଠନ କର୍ମକର୍ତାଙ୍କ କାର୍ଯ୍ୟାଳୟ ରହିଛି । ଯେଉଁଠି ଏକ ଅଡିଟୋରିୟମ ବ୍ୟବସ୍ଥା ରହିଛି ଏବଂ ତୃତୀୟ ମହଲାରେ ରହିଛି ଦଳୀୟ ସୁପ୍ରିମୋଙ୍କ କକ୍ଷ । ଏସବୁ ବାହାରେ ବେଶ ମେଣ୍ଟରେ ବିଶାଳ ପାର୍କିଂ ବ୍ୟବସ୍ଥା ରହିଛି । ଯେଉଁଥିରେ ପ୍ରାୟ ୪୦ଟି କାର ପାର୍କିଂ କରିପାରିବ । ସେଠି ଗରିବ ଲୋକଙ୍କ ପାଇଁ ବାହାଘର, ବ୍ରତଘର ଭଳି କାର୍ଯ୍ୟକ୍ରମ ପାଇଁ ମଧ୍ୟ ସ୍ଥାନ ରହିଛି । ତେବେ ପ୍ରଥମ ମହଲା ଯାଏଁ ସାଧାରଣ ଜନତା ଯାଇପାରିବେ । ଦ୍ୱିତୀୟ ଓ ତୃତୀୟ ମହଲାକୁ ଯିବା ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ର ଦେବାକୁ ପଡ଼ିବ । ବଡ଼ କଥା ହେଉଛି, କାର୍ଯ୍ୟାଳୟରେ ଏଭଳି କିଛି ସୁବିଧା ରହିଛି, ଯାହା ଦଳୀୟ କର୍ମୀ ଓ ନେତାଙ୍କୁ ବାନ୍ଧି ରଖିପାରିବ । ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ବିଜେଡି ସଭାପତି । ଏହି ନୂଆ କାର୍ଯ୍ୟାଳୟର ନିର୍ମାଣ ପାଇଁ ୨୦ ମାସ ମଧ୍ୟରେ ଏହି ଶଙ୍ଖ ଭବନ ନିର୍ମାଣ ଶେଷ ହୋଇଛି । ରିପୋର୍ଟ ଅନୁଯାୟୀ ଏହି ପ୍ଲଟ ପାଇଁ ଦଳ ୧୨.୩୮ କୋଟି ଟଙ୍କା ଦେଇଛି । ତେବେ ନିର୍ମାଣ କାର୍ଯ୍ୟ ବିଷୟରେ ପୂର୍ତ୍ତ ବିଭାଗର ପୂର୍ବତନ ଇଞ୍ଜିନିୟର-ଇନ୍-ଚିଫ୍ ପିତବାସ ପଣ୍ଡା କହିଛନ୍ତି, “ନିର୍ମାଣର ମୂଲ୍ୟ ବର୍ଗଫୁଟ ପିଛା ୨୫୦୦ ରୁ ୨୯୦୦ ଟଙ୍କା ହୋଇପାରେ, ଯାହା ମୋଟ ମୂଲ୍ୟ ୫୧ କୋଟି ଟଙ୍କା ହୋଇପାରେ ।” ତେବେ ଏନେଇ ଦଳ ତରଫରୁ କୌଣସି ବିଦ୍ଧିବଦ୍ଧ ତଥ୍ୟ ପ୍ରଦାନ କରାଯାଇ ନାହିଁ । ସେପଟେ ବିଜେଡିର ଏଭଳି ଆଲିଶାନ ବିଲ୍‌ଡିଂକୁ ନେଇ ବିରୋଧୀ କଡା ସାମଲୋଚନା କରିଛନ୍ତି । କର୍ପୋରେଟ୍ ଟଙ୍କାରେ ବିଜେଡିର ଅଫିସ୍ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିବା ବେଳେ ସରଳ ନେତାଙ୍କ ଏହା ସରଳ ପାର୍ଟି ଅଫିସ କି ବୋଲି ପ୍ରଶ୍ନ କରିଛି ବିଜେପି ।
ଶଙ୍ଖ ଭବନକୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସେବାରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ଓଡ଼ିଶାକୁ ଭଲ ପାଉଥିବା ଓଡ଼ିଶାର ବିକାଶ ପାଇଁ, ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ତଥା ଏକ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କର ମିଳନସ୍ଥଳୀ ହେବ ଏହି ଶଙ୍ଖ ଭବନ । ଏହା ସାଢ଼େ ୪କୋଟି ଓଡ଼ିଆଙ୍କ ପ୍ରିୟ ଭବନ ହେବ । ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ, ୧୯୯୭ରେ ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା । ବିଜୁ ବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜେଡି ଜନ୍ମ ନେଇଥିଲା । ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ସେବାରେ ରହି ସେଦିନର ବିଜେଡି ଆଜି ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଯାଇଛି । ବିଜୟର ଶୁଭଶଙ୍ଖ ବାଜି ଚାଲିଛି । ଶଙ୍ଖ ଭବନ ଓଡ଼ିଶାର ଅତୀତ ସହ ଏହାର ଭବିଷ୍ୟତକୁ ଯୋଡ଼ିବ । ସାଢ଼େ ଚାରି କୋଟି ଓଡ଼ିଶାବାସୀକୁ ଏକାଠି କରିବ । ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମର୍ପିତ ହେବ । ଓଡ଼ିଶାର ବିକାଶ ସହ କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ । ଏହା କେବଳ ଆମର ଭୌତିକ, ସାମାଜିକ, ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ନାହିଁ, ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ବ ଆଧାରରେ ଆମର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର ମଧ୍ୟ ହେବ । ଏହି ଭବନ ‘ବସୁଧୈବ କୁଟୁମ୍ବକମ୍‌’ର ବାର୍ତ୍ତା ପ୍ରଚାର କରିଚାଲିବ ।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.