ବାସୁଦେବ ସୁଢ଼ଳଦେବ, ୧୮୫୦ ମସିହା ମେ ୧୬ତାରିଖରେ ବାମଣ୍ଡାର ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ବଡ଼ବାପା ବ୍ରଜ ସୁନ୍ଦର ତ୍ରିଭୁବନ ଦେବ ନିଃସନ୍ତାନ ଥିବାରୁ, ସୁଢ଼ଳଦେବଙ୍କୁ ପୋଷ୍ୟ କରିଥିଲେ। ତ୍ରିଭୂବନ ଦେବଙ୍କ ଅନ୍ତେ, ବାସୁଦେବ ମାତ୍ର ୧୮ବର୍ଷ ବୟସରେ ବାମଣ୍ଡାର ରାଜ୍ୟଭାର ଗ୍ରହଣ କରିଥିଲେ।ରାଜ-ପରିବାରରେ ଜନ୍ମ ହୋଇଥିଲେ ହେଁ ତାଙ୍କର ପ୍ରାଥମିକ ଶିକ୍ଷା ଚାଟଶାଳିରେ ହୋଇଥିଲା। ସେ ମେଧାବୀ ଥିଲେ। ପଣ୍ଡିତ ଆନନ୍ଦ ବ୍ରହ୍ମାଙ୍କଠାରୁ ସଂସ୍କୃତ ଶିକ୍ଷା କରିଥିଲେ। ପଣ୍ଡିତ ଭୁବନେଶ୍ବର ବଡ଼ପଣ୍ଡା ଓ ପଣ୍ଡିତ ପୁରୁଷୋତ୍ତମଙ୍କଠାରୁ ବେଦ, ଉପନିଷଦ୍, କାବ୍ୟ, ନାଟ୍ୟ ଆଦି ଶିକ୍ଷା କରିଥିଲେ। ସିଂହାସନ ଆରୋହଣ ପୂର୍ବରୁ ସେ ସଂସ୍କୃତିବନ୍ତ ଓ ସୁରୁଚି ସଂପନ୍ନ ହୋଇସାରିଥିଲେ। ଆଜୀବନ ଏହି ଦୁଇ ଗୁଣ ତାଙ୍କ ସହ ଥିଲା। ତାଙ୍କ ସମୟରେ ବାମଣ୍ଡାରେ ମାତ୍ର ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥିଲା। ସେ ଅଠେଇଶଟି ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ୧୮୮୨ରେ ରାଜଧାନୀ ଦେବଗଡ଼ରେ ଉଚ୍ଚ ବିଦ୍ୟାଳୟ ଆରମ୍ଭ କରିଥିଲେ। ବଙ୍ଗ ପ୍ରଦେଶର ବିଶିଷ୍ଟ ଶିକ୍ଷାବିତ୍ ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ଓ ଆଶୁତୋଷ ମୁଖାର୍ଜୀଙ୍କଠାରୁ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ନେଉଥିଲେ। ୧୮୯୪-୧୯୦୦ ମଧ୍ୟରେ ସେ ବାମଣ୍ଡାରେ ଡାକ ସେବା ଓ ଟେଲିଫୋନ୍ ସେବା ଆରମ୍ଭ କରିଥିଲେ। କାଠ କଳ ବସାଇଥିଲେ। ନଦୀ ପଥରେ ବାଣିଜ୍ୟ ପାଇଁ ବ୍ୟବସ୍ଥା କରିଥିଲେ। ନୂଆ ସଡ଼କ ପଥ ନିର୍ମାଣ କରିଥିଲେ। ରାଜ୍ୟରେ ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ନିଷିଦ୍ଧ କରିଥିଲେ। ସୁଢ଼ଳଦେବ ରାଜା ହୋଇଥିଲେ ହେଁ ଅତ୍ୟନ୍ତ ସରଳ ଜୀବନଯାପନ କରୁଥିଲେ।ଛତ୍ର-ଚାମରଧାରୀ ବା ଅଙ୍ଗରକ୍ଷୀ ଆଦି ସୀମିତ ବ୍ୟବହାର କରୁଥିଲେ । କଳା ଭାସ୍କର୍ଯ୍ୟର ସେ ପ୍ରଂଶସକ ଥିଲେ।ଚିତ୍ରୋତ୍ପଳା’, ‘ବୀରବାମା’, ‘କିସ୍କିନ୍ଧ୍ୟା’, ଜହ୍ନ ମାମୁଁ, ଆଦି ତାଙ୍କ ଦ୍ବାରା ରଚିତ ପ୍ରସିଦ୍ଧ କାବ୍ୟ।
ଓଡ଼ିଆ ଓ ସଂସ୍କୃତ ଭାଷା ସାହିତ୍ୟର ଉନ୍ନତି ପ୍ରତି ସୁଢ଼ଳଦେବଙ୍କ ପ୍ରମୁଖ ଅବଦାନ ରହିଥିଲା । ସଂସ୍କୃତ ଭାଷାରେ ଶିକ୍ଷାଦାନ ପାଇଁ ସଂସ୍କୃତ ଟୋଲମାନ ପ୍ରତିଷ୍ଠା କରିଥିଲେ । ୧୮୮୬ମସିହାରେ ଦେଓଗଡ଼ରେ ଜଗନ୍ନାଥ ବଲ୍ଲଭ ପ୍ରେସ ପ୍ରତିଷ୍ଠା କରିଥିଲେ।ସମ୍ବଲପୁର ହିତୈଷିଣୀ ନାମକ ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରଚଳନ ଆରମ୍ଭ କରିଥିଲେ । ନୀଳମଣି ବିଦ୍ୟାରତ୍ନ ଏହି ସମ୍ବାଦପତ୍ରରେ ସମ୍ପାଦନା କରୁଥିଲେ । ପତ୍ରିକାଟି ସମଗ୍ର ଓଡ଼ିଶାରେ ଆଦୃତି ହାସଲ କରିଥିଲା । ଫକୀର ମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ରାଓ, ବିଶ୍ୱନାଥ କର ପ୍ରମୂଖ ଏହି ପତ୍ରିକାରେ ଲେଖାଲେଖି କରୁଥିଲେ । ଫକୀର ମୋହନ ସୁଢ଼ଳଦେବଙ୍କ ଉଦ୍ଦେଶ୍ୟରେ କହିଥିଲେ
“ ହେ ସୁଢ଼ଳ ମହାରାଜ କରେଁ ନମସ୍କାର
ହିତୈଷିଣୀ ତୁମ୍ଭ ଯଶ କରୁଛି ପ୍ରଚାର
ବାମଣ୍ଡା ରାଜ୍ୟରେ କରୁଅଛ ରାଜପଣ
ମାତ୍ର ଜ୍ଞାନରାଜ୍ୟେ ଅଟ ନୃପତି ଆପଣ
ହେ ରାଜନ ମାତୃଭାଷା ଉନ୍ନତି କରଣେ
ଉତ୍ସାହିତ କରୁଅଛ ଗ୍ରନ୍ଥକର୍ତ୍ତା ଗଣେ ॥ ”
ତାଙ୍କ ଶାସନକାଳରେ ବାମଣ୍ଡା ଥିଲା ଓଡ଼ିଆ ସାହିତ୍ୟର ପ୍ରାଣକେନ୍ଦ୍ର । ଏହାକୁ ଲୋକମୁଖରେ “ବୁଧହଂସ କେଳିସର” କୁହାଯାଉଥିଲା । ତାଙ୍କ ଦରବାରରେ ରାଧାନାଥ ରାୟଙ୍କୁ କବିବର ଉପାଧୀ ପ୍ରଦାନ କରାଯାଇଥିଲା । ସେ ନିଜେ ମଧ୍ୟ କବିତା ରଚନା କରୁଥିଲେ । କବିବର ରାଧାନାଥ ରାୟ ତାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ
“ ତୁମ୍ଭ ଶୁଭ ଆବିର୍ଭାବ ହୋଇଛି ଉତ୍କଳେ, ଦେବଦୁର୍ଗ ଦେବ!
ଏବେ ତୀର୍ଥ ସାରସ୍ୱତ, ବୁଧହଂସ କେଳିସରଃ, ଅବିଦ୍ୟା ଉଷରେ॥”
ସୁଢ଼ଳଦେବଙ୍କ ସୁଶାସନ ଓ ସର୍ବାଙ୍ଗୀନ ଉନ୍ନତିକୁ ସ୍ୱୀକୃତି ପ୍ରଦାନ କରି ୧୮୯୫ ମସିହା ମାର୍ଚ୍ଚ ୬ ତାରିଖରେ ବ୍ରିଟିଶ ସରକାର ତାଙ୍କୁ ‘Knight Commander of Indian Empire’ ବା “ସାର୍” ଉପାଧୀ ପ୍ରଦାନ କରିଥିଲା । ଏହି ଉପାଧୀ ହାସଲ କରିବାରେ ସେ ପ୍ରଥମ ଓଡ଼ିଆ ଥିଲେ ।ଉତ୍କଳ ଗୌରବ ମଧୁସୂଦନ ରାଓ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେସନରେ ତାଙ୍କୁ ସଭାପତି ଭାବରେ ନିମନ୍ତ୍ରଣ କରିଥିଲେ । କିନ୍ତୁ ସେ ଅଧିବେଶନ ପୂର୍ବରୁ ୧୯୦୩ମସିହା ନଭେମ୍ବର ୧୯ତାରିଖରେ ଏହି ପ୍ରଜାବତ୍ସଳ ସଂସ୍କୃତିପ୍ରେମୀ ରାଜାଙ୍କର ଦେହାନ୍ତ ହୋଇଥିଲା। ଆଜି ତାଙ୍କର ଜୟନ୍ତୀ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି।