ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ମିଳିତ ଅମଲା ମଂଚ ପକ୍ଷରୁ ଚାଲିଥିବା ପ୍ରତିବାଦ ଚଉଦ ଦିନରେ ପହଞ୍ଚିଛି। ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ନେତୃତ୍ୱରେ ଆଂଦୋଳନର ଚଉଦ ଦିନରେ ନିଜ ନିଜ ବ୍ଲକରେ ତଥା ସଦରମହକୁମାରେ କାର୍ଯ୍ୟରତ ପ୍ରାୟ ସମସ୍ତ ଅମଲା ଭାଗ ନେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ମଞ୍ଚର ବୈଠକ ପରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ପ୍ରକାଶ ପାଇଛି। ବ୍ଲକ ସ୍ତରରେ ଏହି ପ୍ରତିବାଦ ଜାରି ରହିଥିବା ବେଳେ ଜିଲ୍ଲାରେ ମଧ୍ୟ ଏହା ତୀବ୍ରତର ହେଉଛି। ଫଳରେ ଜିଲ୍ଲାର ସରକାରୀ କାର୍ଯ୍ୟ ସବୁ ଠପ ହୋଇଯାଇଛି। ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଥାଉକି ପ୍ରଥମ ଥର ୨୦୧୩ ମସିହାରେ କନିଷ୍ଠ ସହାୟକମାନଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକରୁ +୨ ହୋଇଥିଲା। ୨୦୧୭ ମସିହାରେ କନିଷ୍ଠ ସହାୟକ ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତା +୨ରୁ ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନକୁ ବୃଦ୍ଧି କରାଯାଇଥିଲା। ମାତ୍ର ଦରମାରେ କୌଣସି ପରିବର୍ତ୍ତନ କିମ୍ବା ବୃଦ୍ଧି ଘଟିନଥିଲା। ତେଣୁ ମୂଳ ଦରମା ଲେଭେଲ-୯ ଗ୍ରେଡ ପେ-୪୨୦୦ କରିବା ପାଇଁ ଦାବି ସଂକ୍ରାନ୍ତୀୟ ଦାବିପତ୍ର ବାରମ୍ବାର ସରକାରଙ୍କୁ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ଗତ ମେ ୨୨ ତାରିଖ ଠାରୁ ୩୧ ସମସ୍ତ ଅମଲା କଳାବ୍ୟାଚ ପରିଧାନ ପୂର୍ବକ ନିଜ ନିଜ ଅଫିସରେ ପ୍ରତିବାଦ କରିଥିଲେ। ଏହି ଦାବି ଉପରେ ସରକାର କିଛି ପଦକ୍ଷେପ ନେଇନଥିବାରୁ ଜୁନ ୧ ତାରିଖରୁ ସମୂହ ଛୁଟିରେ ଥିବା ଅମଲା ମାନେ ଦାବି ପୂରଣ ପାଇଁ ଅଡ଼ି ବସିଥିବା ବେଳେ ସାଧାରଣ ଲୋକଙ୍କ ଚିନ୍ତା ବଢୁଛି। ଆଜି ପ୍ରତିବାଦ କରୁଥିବା ଅମଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାନବ ଶୃଙ୍ଖଳା ତିଆରି କରିଥିଲେ। ସେହିପରି ଏଯାବତ ଜିଲ୍ଲା ଓଏଏସ ସଂଘ, ଓଆରଏସ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସଂଘ ସମର୍ଥନ ଜଣେଇସାରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସମୟରେ ବରିଷ୍ଠ ଅମଲା ସୁକାନ୍ତ ମହାପାତ୍ର, ଅଲେଖ ନାଏକ, ରୂପକେଶରୀ ଦଳେଇ, ବ୍ରଜବନ୍ଧୁ ମୁଣ୍ଡ, ରାଜକିଶୋର ସାହୁ, ଟଂକଧର ସାହୁ, ରତ୍ନାକର ଧଙ୍ଗଡାମାଝୀ, ବିଶ୍ଵନାଥ ମୁଣ୍ଡ, ମନୋରଞ୍ଜନ ଛତ୍ରପାଲ, ସୁଶାନ୍ତ ମେହେର, ମନୀଷା ସାହୁ, ଚିନ୍ମୟୀ ଠାକୁର, କୃଷ୍ଣାରାଣୀ ନାଏକ, ଲବ ମେହେର, ଜଗତ ନାରାୟଣ ହୋତା, ବିହାରୀ ମହାନନ୍ଦ, ଜଗତରାମ ଗହୀର, ଲକ୍ଷ୍ମଣ ବଚ୍ଛା, ବିଶ୍ଵ ପାଢ଼ୀ, ସୁନୀଲ କାନୁନଗୋ, ଅର୍ଜୁନ ମେହେର, ଶିଶିର ଦାସ, ସୁବାଷ ପ୍ରଧାନ, ସୁଦୀପ୍ତ ସିଂ, ଦେବରାଜ ଛତ୍ରୀଆ ପ୍ରମୁଖ ଉପସ୍ଥିତ ଥିଲେ।