ଚାନ୍ଦିଲି ଥାନା ପୋଲିସ ହାତରେ ବାଇକ ଚୋର ଗ୍ୟାଙ୍ଗ ପଡିଲେ ଧରା

୧୨ଟି ମୋଟର ସାଇକେଲ, ୪ଟି ମୋବାଇଲ ଓ ଲ୍ୟାପଟପ ଉଦ୍ଧାର

ଗିରଫ ୬ ଚୋରଙ୍କ ମଧ୍ୟରେ ୨ ନାବାଳକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ସ୍ଥାନରୁ ମଟର ସାଇକେଲ, ମୋବାଇଲ ଏବଂ ଲ୍ୟାପଟପ ଚୋରି ଘଟଣାରେ ୬ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଚାନ୍ଦିଲି ଥାନା ପୋଲିସ । ଏ ନେଇ ଥାନା ପରିସରରେ ଅତିରିକ୍ତ ଜିଲ୍ଲା ଏସପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଉପସ୍ଥିତରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚୋରି ଘଟଣାର ଫର୍ଦ୍ଦାଫାଶ କରାଯାଇଛି । ଚାନ୍ଦିଲି ଥାନା ଅଂଚଳରେ ବିଭିନ୍ନ ସମୟରେ ମଟର ବାଇକ, ମୋବାଇଲ ଚୋରୀକୁ ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇ ଆସୁଥିଲା । ଏ ନେଇ ଚାନ୍ଦିଲି ଥାନା ଆଇଆଇସି ଯଶବନ୍ତ ହିଆଲଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ଚୋରି ମଟର ସାଇକେଲ, ମୋବାଇଲ ଏବଂ ଲ୍ୟାପଟପ ଉଦ୍ଧାର କରିବା ସହ ଚୋରକୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରାଯାଇଥିଲା । ଟିମ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯିବା ପରେ ବିଶେଷ ସୂତ୍ରରୁ ଖବର ଏବଂ ଅନ୍ୟ ତଥ୍ୟକୁ ଆଧାର କରି ପୋଲିସ ଭାକୁରଗୁଡା ଗ୍ରାମରେ ଚଢାଉ କରି ଚୋରି ଘଟଣାରେ ସମ୍ପୃକ୍ତ କିଛି ଯୁବକଙ୍କୁ ଗିରଫ କରିଥିଲା । ଏହି ଗ୍ରାମର କିଛି ନାବାଳକ ପିଲା ମଧ୍ୟ ଏହି ଚୋରି ଘଟଣାରେ ସାମିଲ ଥିବା ଜାଣିବା ପରେ ସେମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ସବୁ ଚୋରି ଘଟଣାର ପର୍ଦାଫାସ ହୋଇଥିଲା ।

ଜେରା ବେଳେ ତଥ୍ୟ ପାଇ ପୋଲିସ କୋତାପେଟା ଅଂଚଳରେ ରହୁଥିବା ଚୋରମାନଙ୍କୁ କାବୁ କରିବା ସହ ୧୨ଟି ମୋଟର ସାଇକେଲ ଉଦ୍ଧାର କରିଥିଲା । ସେଥି ମଧ୍ୟରୁ ୫ଟି ବାଜାଜ ପଲସର, ଗୋଟିଏ ହିରୋ ଗ୍ରେମର, ଦୁଇଟି ପେସନ ପ୍ଲକ, ଦୁଇଟି ହିରୋ ହଣ୍ଡା ସ୍ପେଣ୍ଡର, ଗୋଟିଏ ବଜାଜ ଡିସକୋଭର, ଗୋଟିଏ ହରୋହଣ୍ଡା ସିବିଜି ଜବତ କରିଥିଲେ । ସେହିପରି ସେମାନଙ୍କ ଠାରୁ ୪ଟି ମୋବାଇଲ ସହ ଗୋଟିଏ ଲ୍ୟାପଟପ ମଧ୍ୟ ଉଦ୍ଧାର କରାଯାଇଥିଲା । ଗିରଫ ଚୋରମାନେ ହେଲେ ରିବେଲକଣା ଗ୍ରାମର ସନ୍ତୁ ପାଲକା, କେ ମାଲିଙ୍ଗା ଗ୍ରାମର ସିଧାନ୍ତ ମେଲକା ଓ ଶରତ ସାମଲ, ବାସନଗୁଡା ଗ୍ରାମର ଶ୍ରୀହରି ହୁଇକା ସହ ଅନ୍ୟ ଦୁଇ ଜଣ ନାବାଳକ ଅଟନ୍ତି । ରାୟଗଡା ସହର ସମେତ ଆଖପାଖ ଅଂଚଳରେ ଲଗାତାର ମଟର ସାଇକେଲ ସହ ମୋବାଇଲ ଚୋରି ବୃଦ୍ଧି ପାଇଥିଲା । ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ପେଟ୍ରୋଲିଂ ଜୋରଦାର କରାଯିବା ସହ ଗୁଇନ୍ଦା ସୂଚନା ପ୍ରକାରେ ପଦକ୍ଷେପ ଗ୍ରହଣ କରାଯାଉଥିଲା । ଏହି ଗିରଫ ଏବଂ ମଟର ସାଇକେଲ ଉଦ୍ଧାର ପରେ ପୋଲିସ ଉପରେ ଲୋକଙ୍କର ବିଶ୍ବାସ ବଢିଥିବା କୁହାଯାଇଛି । ଉଦ୍ଧାର ହୋଇଥିବା ମଟର ସାଇକେଲ ଓ ମୋବାଇଲଗୁଡିକୁ ଅଭିଯୋଗକାରୀଙ୍କୁ ଥାନାକୁ ଡକାଯାଇ ପ୍ରଦାନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.