ଆଧ୍ୟାତ୍ମିକ ଓ ସାମାଜିକ ଶୃଙ୍ଖଳାର ସଂସ୍କାରକ : ସ୍ଵାମୀ ସତ୍ୟାନନ୍ଦ

ଏହି ଦେବୋତ୍ତୀର୍ଣ୍ଣ ଭାରତ ଭୂମିରେ ଯେତେବେଳେ ଧର୍ମ ବିଚ୍ୟୁତି ଘଟେ, ସମାଜ ବିଶୃଙ୍ଖଳିତ ହୋଇଯାଏ, ସେହି ବିଷମ ସମୟରେ ଦେବଲୋକରୁ ଅନେକ ଧର୍ମାତ୍ମା ପରମାତ୍ମାଙ୍କ କିଛି ଦିବ୍ୟ ଶକ୍ତି ଧାରଣ କରି ଧରାପୃଷ୍ଠରେ ଅବତରଣ ହୋଇ ମାନବ ସମାଜକୁ ସତ୍ ଗ୍ରନ୍ଥର ମାର୍ଗ ଦେଖାଇବା ସହ ନିଜ ଜୀବନ କାଳରେ କଠୋର ଭାବରେ ଆଚରଣ କରି ସମାଜକୁ ଜ୍ଞାନାଲୋକ ବର୍ତ୍ତିକା ଦେଇ ବିପଥଗାମୀ ମାନଙ୍କୁ ସତ୍ ପଥରେ ଆଣିବାରେ ଚେଷ୍ଟିତ ଥାଆନ୍ତି। ସତ୍ୟ, ଧର୍ମ, ନ୍ୟାୟକୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରି ନେଇ ଥାଆନ୍ତି ଏହି ମହାତ୍ମା ମାନେ ଜୀବନର ଅନେକ ଦୁଃଖ କଷ୍ଟ ସହ୍ୟ କରି ଅନ୍ୟାୟ ଅନୀତିର ପୃଷ୍ଠପୋଷକ ସାଜିଥିବା ବ୍ୟକ୍ତିମାନଙ୍କୁ ସତ୍ ପଥକୁ ଆଣିବାରେ ଅନୁପ୍ରାଣିତ କରିଥାଆନ୍ତି ନିଜର ବଳିଷ୍ଠ ବ୍ୟକ୍ତିତ୍ବ ବଳରେ। ସେମାନଙ୍କ ବାଣି, ବ୍ୟବହାର ଓ ନୀତିସମ୍ମତ୍ତ ଉପଦେଶ ବିପଥଗାମୀ ମାନଙ୍କୁ ସତ୍ ପଥରେ ଆଣି ଏକ ସରସ ସୁନ୍ଦର ଜୀବନ ଯାପନ କରାଇବାରେ ସହାୟକ ହୋଇଥାଆନ୍ତି। 

ଏହି ପରଂପରା ଅତୀବ ପ୍ରାଚୀନ କେତେବେଳେ ବ୍ୟାସଦେବ, ଶୁକଦେବ, ବଶିଷ୍ଠ,ଆତ୍ରୀୟ ଋଷିଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ଅନେକ ସାଧୁ ସନ୍ଥ ଅବସ୍ଥିତ ଏବଂ ତନ୍ମଧ୍ୟରୁ ସଦ୍ ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜ ଅନ୍ୟତମ। ଭାରତୀୟ ସନାତନ ଧର୍ମଧାରାର ପ୍ରବାହରେ ବୈଷ୍ଣବ ତଥା ଶାକ୍ତ ଦୁଇଟି ସ୍ବୟଂ ଶିଦ୍ଧ ଏବଂ ସମୟର କଷଟି ପଥରରେ ପରିକ୍ଷିତ ପରମ୍ପରା। ଏହି ଦୁଇଟି ପରମ୍ପରାରେ ବିରୋଧାଭାଷ ନାହିଁ ବରଂ ପରସ୍ପର ଉଭୟ ମାର୍ଗର ଲକ୍ଷ୍ୟ ଏକ “ବ୍ରହ୍ମ ପ୍ରାପ୍ତି”। ଉଭୟ ପରମ୍ପରାର ପରିପ୍ରକାଶ ହିଁ କାଳୀକୃଷ୍ଣ ଏବଂ ତହିଁରୁ ଜନ୍ମଲାଭ କରିଥିବା “କାଳୀକୃଷ୍ଣ ସଂଘ”। ସତ୍ୟର ସନ୍ଧାନୀ ଶ୍ରୀ ସତ୍ୟାନନ୍ଦ ନିଜର ସତ୍ୟ ନିଷ୍ଠା ସାଧନା ବଳରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ  ମା ‘କାଳୀ ଓ ଶ୍ରୀକୃଷ୍ଣ’ ଏକ ନୀର୍ଗୁଣ ବ୍ରହ୍ମରୁ ସଗୁଣ ପରିପ୍ରକାଶ। ଭାରତୀୟ ଧର୍ମ ଶାସ୍ତ୍ର କହେ, ଯଃ କାଳୀ ସଃ କୃଷ୍ଣ, ନୀଳାଦୌ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳୀକା। ଏମିତି ଅନେକ ଶାସ୍ତ୍ରରେ ପ୍ରମାଣ ରହିଛି ଉତ୍କଳର ଶ୍ରୀ ଜଗନ୍ନାଥ କାଳୀ ଓ କୃଷ୍ଣ ତତ୍ତ୍ଵର ଅପୂର୍ବ ମିଶ୍ରିତ ପରମ୍ପରା ଏବଂ ପୂର୍ଣ୍ଣବ୍ରହ୍ମ ଏହି ସିଦ୍ଧାନ୍ତ ଉପରେ ଆଧାରିତ। କାଳୀକୃଷ୍ଣ ସଂଘ ଯାହାର ପ୍ରତୀକ ହେଲା :-
      “ପରୋପକାରାୟ ସ୍ଵର୍ଗାୟ ପାପାୟ ପରପୀଡନମ୍”।
“ସ୍ବଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହ” ।
ମହାମନ୍ତ୍ର:- ଓଁ ଶ୍ରୀଗୁରୁ କାଳୀକୃଷ୍ଣ ଜଗନ୍ନାଥାୟ ନମଃ ।”

ତ୍ୟାଗ ଆତ୍ମୋତ୍ସର୍ଗର ତପୋବନରେ ହିଁ ଆଦର୍ଶର ପୁଷ୍ପ ପ୍ରଷ୍ଫୁଟିତ ହୋଇ ନିଜର ସୌରଭରେ ଜନମନ ହରଣ କରିଦେଇଥାଏ। ଆତ୍ମ ବଳିଦାନ ହିଁ ଯେ କୌଣସି ବ୍ୟକ୍ତିକୁ ଶ୍ରେଷ୍ଠତର ସର୍ବୋଚ୍ଚ ଶିଖରକୁ ନେଇଯାଇଥାଏ। ଶ୍ରୀସତ୍ୟାନନ୍ଦ ମହାରାଜ ଓଡ଼ିଶା ରାଜ୍ୟର କୋରାପୁଟ ଜିଲ୍ଲା ଜୟପୁର ସହରର ବଣ ଜଙ୍ଗଲ ଘେରା ଆଦିବାସୀ ବହୁଳ ଅଞ୍ଚଳ ଯେଉଁଠାରେ ଅନ୍ଧବିଶ୍ୱାସ, ବଳୀ ପ୍ରଥା ଯୋଗୁଁ ନିରୀହ ପଶୁମାନଙ୍କ ଜୀବନହାନୀ;  ଏପରିକି ମନୁଷ୍ୟକୁ ମଧ୍ୟ ବଳି ଦିଆଯାଉଥିଲା ବୋଲି ପ୍ରଚାର ହେଉଥିଲା, ତେଣୁ କରି ସତ୍ୟାନନ୍ଦ ସରସ୍ବତୀ ମହାରାଜ ଆଜକୁ ୪୦ବର୍ଷ ପୂର୍ବେ ୧୯୮୫-୮୬ ମସିହାରେ କାଳୀକୃଷ୍ଣ ସଂଘ ସଂସ୍ଥାପିତ କରି ବିଭିନ୍ନ ଗାଁ, ବସ୍ତି, ସାହି ସାହି ଭ୍ରମଣ କରି ସାଧାରଣରୁ ସାଧାରଣ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପ୍ରଚାର କଲେ ଭଗବାନ କାଳୀକୃଷ୍ଣଙ୍କ ମହିମା ଭଗବାନ ଶ୍ରୀକୃଷ୍ଣଙ୍କୁ ଯେମିତି ତୁଳସୀ ପତ୍ର, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ  ଦେଇ ପୂଜା କରାଯାଏ ଠିକ୍ ସେମିତି ମା କାଳୀଙ୍କୁ ମନ୍ଦାର ଫୁଲ, ବେଳପତ୍ର, ଗନ୍ଧ, ପୁଷ୍ପ, ଧୂପ, ଦୀପ, ଫଳ, ମିଷ୍ଟାନ୍ନ ନୈବେଦ୍ୟ ଦେଇ ସନ୍ତୁଷ୍ଟ କରାଯାଇ ପାରିବ, କାରଣ  :- ମା କାଳୀ ହିଁ ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ ହିଁ ଜଗନ୍ନାଥ। ଶାସ୍ତ୍ରରେ ଉଲ୍ଲେଖ ଅଛି:-

“ତାରା ସାକ୍ଷାତ ଶୂଳ ପାଣି ସୁଭଦ୍ରା ଭୂବନେଶ୍ଵରୀ।

ନିଳାଦ୍ରୈତୁ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳୀକା।।”

ଏହି ପରିପ୍ରେକ୍ଷୀରେ ଲୋକମାନଙ୍କ ଆଧ୍ୟାତ୍ମିକ ଦିଗକୁ ଆକର୍ଷଣ କରିବା ନିମନ୍ତେ କାଳୀକୃଷ୍ଣ ମେଳା ଓ ପ୍ରାର୍ଥନା ଅନୁଷ୍ଠାନ କରି ଗ୍ରାମେ ଗ୍ରାମେ ଶାଖା ସଂଘ ଗଠନ କରିବା  ସଙ୍ଗେ ସଙ୍ଗେ ଲୋକମାନଙ୍କ ମାନସିକ ଶାନ୍ତି ଆଣିବା ସହ ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ ହେବାରେ ସହାୟକ ହୋଇଥିଲେ। ଯେପରି କୌଣସି ମହାନ୍ କାର୍ଯ୍ୟ କରିବା ପାଇଁ ଶକ୍ତିର ଇଙ୍ଗିତର ଆବଶ୍ୟକ ଥାଏ ଠିକ୍ ସେହିପରି ସ୍ବାମୀ ସତ୍ୟାନନ୍ଦ ନିଜ ପୂର୍ବ ଜନ୍ମର ଗୁରୁ ଠାକୁର ନିଗମାନନ୍ଦ ଏବଂ ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ନିର୍ଦ୍ଦେଶ ପ୍ରାପ୍ତ ହୋଇଥିଲେ। ସ୍ଵାମୀ ସତ୍ୟାନନ୍ଦ ମହାରାଜ ଲୋକମାନଙ୍କ ମନରେ ଆଧ୍ୟାତ୍ମିକତା,ବିଶ୍ଵ ମଙ୍ଗଳ ଓ ବିଶ୍ଵ ଶାନ୍ତି ପାଇଁ ଚିନ୍ତା କରୁଥିଲେ। ଏଣୁ ସେ ବିଶ୍ଵଶାନ୍ତି ମହାଵିଷ୍ଣୁ ଯଜ୍ଞ ପ୍ରତି ବର୍ଷ ଅନୁଷ୍ଠାନ କରୁଥିଲେ। ଅଦ୍ୟାବଧି କାଳୀକୃଷ୍ଣ ସଂଘ ୪୦ଟି ବିଶ୍ଵଶାନ୍ତି ମହାବିଷ୍ଣୁ ଯଜ୍ଞ ଅନୁଷ୍ଠାନ କରି ଏହାର ପୂଣ୍ୟ ଫଳ ବିଶ୍ଵଶାନ୍ତି ସକାଶେ ଉତ୍ସର୍ଗ କରାଯାଇଛି। ସଦ୍ ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ନିଜ ଶିଷ୍ୟମାନଙ୍କୁ ଯୋଗ, ପରୋପକାର, କୁଳାଚାର ପାଳନ, ଧର୍ମ ଶାସ୍ତ୍ର ଅଧ୍ୟୟନ କରିବା, କାଳୀକୃଷ୍ଣ ତତ୍ତ୍ଵ ଏବଂ ଗୁରୁ ତତ୍ତ୍ଵର ମହାନତା ବୁଝାଉଥିଲେ। ଶ୍ରୀ ସତ୍ୟାନନ୍ଦ ଦେବ ଜ୍ଞାନ ଅର୍ଜ୍ଜନ ସକାଶେ ଅନେକ ଥର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିଥିଲେ  ଓ ସେଠାରୁ ପ୍ରାପ୍ତ କରିଥିବା ଜ୍ଞାନ ଜନ ସମାଜରେ ବିତରଣ କରିଥିଲେ। ବିଭିନ୍ନ ଶାସ୍ତ୍ର ଅନୁଧ୍ୟାନ କରି  ସଦ୍ ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ  ସମାଜକୁ ମାର୍ଗଦର୍ଶନ କରୁଥିଲେ। ସାତ୍ତ୍ୱିକ ମାର୍ଗରେ ରୋଗୀ, ଅସହାୟ ଓ ଦୁଃଖ କଷ୍ଟରେ ଥିବା ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରୁଥିଲେ, ତାଙ୍କର ଅପାର କରୁଣାରୁ କେତେ ଯେ ବ୍ୟକ୍ତି ଉପକୃତ ହୋଇଛନ୍ତି ତାର କଳନା ନାହିଁ। ସଦ୍ ଗୁରୁଦେବ ଆଧ୍ୟାତ୍ମିକ ତତ୍ତ୍ଵ ସମ୍ବଳିତ ଅନେକ ଉପାଦେୟ ପୁସ୍ତକ ମାନ ଲେଖିଯାଇଛନ୍ତି ତନ୍ମଧ୍ୟରୁ କାଳୀକୃଷ୍ଣ ତତ୍ତ୍ଵ, ତନ୍ତ୍ର ବ୍ରହ୍ମ, ଦୀକ୍ଷା ପଦ୍ଧତି, ଆତ୍ମ ତତ୍ତ୍ଵ, କର୍ଣ୍ଣ ଭାରମ୍, କାଳୀକୃଷ୍ଣ ମେଳା ଓ ପ୍ରାର୍ଥନା ଏମିତି ଅନେକ। ସଦ୍ ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜ କେତେ ଉଦାର ଏବଂ ମହାନ୍ ତାଙ୍କର ଏହି ଉଦ୍ ଘୋଷଣାରୁ ଜଣାଯାଏ।

“ଜଗତ ବାସୀଙ୍କ ଯେତେ ଦୁଃଖ ଅଛି
  ସବୁ ମୋର ମୁଣ୍ଡେ ଥୁଅ।
ମୋର ପୂଣ୍ୟ ଫଳ ସମସ୍ତେ ଭୋଗନ୍ତୁ
   ପାପ ସବୁ ମୋତେ ଦିଅ।”

କାଳୀକୃଷ୍ଣ ତତ୍ତ୍ଵ ଭଳି ଏକ ଗହନ ରହସ୍ୟକୁ ଉନ୍ମୋଚନ କରି ଶ୍ରୀ ସତ୍ୟାନନ୍ଦ କହୁଥିଲେ:- ପ୍ରଭୁ ଜଗତ ଠାକୁର ହିଁ ଆରାଧ୍ୟ କାଳୀକୃଷ୍ଣ, ଜଗନ୍ନାଥଙ୍କ କଳକୀ ଅବତାର ସ୍ବୟଂ କାଳୀକୃଷ୍ଣ ଅଟନ୍ତି। ଏହି ମହାନ୍ ଗୋପନ ତତ୍ତ୍ଵକୁ ଜନ ସମାଜରେ ଅବଗତ କରାଇବା ପାଇଁ ସେ ବାରମ୍ବାର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ଧର୍ମ ପୁସ୍ତକର ଉଦାହରଣ ଦେଇ ପ୍ରଚାର ପ୍ରସାର କରୁଥିଲେ। ୧୯୪୨ ମସିହା ଜୁଲାଇ ୨୦ତାରିଖରେ ଜନ୍ମଗ୍ରହଣ କରିଥିବା ସତ୍ୟାନନ୍ଦ ସରସ୍ୱତୀ ମହାରାଜା ଅନ୍ୟମାନଙ୍କ ପାଇଁ ବଞ୍ଚିବା ଅପେକ୍ଷା ସେମାନଙ୍କ ହୃଦୟରେ ସବୁଦିନ ବଞ୍ଚିରହିବା ସକାଶେ ମତପ୍ରକାଶ କରୁଥିଲେ। ଜୀବନ ତମାମ ପରୋପକାର କରି ୧୯୮୪ ସେପ୍ଟେମ୍ବର ୧୦ତାରିଖରେ ଶରୀର ତ୍ୟାଗକରି ସମସ୍ତଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିଛନ୍ତି।‌‌ ସଦ୍ ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ଧରାବତରଣ ଦିବସ ଉପଲକ୍ଷେ କାଳୀକୃଷ୍ଣ ସଂଘ ପ୍ରତିବର୍ଷ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଯଥା ରକ୍ତଦାନ ଶିବିର, ବୃକ୍ଷ ରୋପଣ, ଅନାଥ ଏବଂ ରୋଗୀ ସେବା, ଦୃଷ୍ଟିହୀନ (ଦିବ୍ୟାଙ୍ଗ) ମାନଙ୍କ ସେବା, ବିଦ୍ୟାଳୟରେ ପାଠ୍ୟ ଉପକରଣ ବଣ୍ଟନ ଇତ୍ୟାଦି କରିଆସୁଅଛି।ସତ୍ୟାନନ୍ଦଙ୍କ ଅକ୍ଷୟ କୀର୍ତ୍ତି ଓ କୃତ୍ତି ବିଶ୍ୱବାସୀଙ୍କ ହୃଦୟରେ ସଦା ସ୍ମରଣୀୟ ହୋଇ ରହିବ। 
      

ଶ୍ରୀ ଜଗଦାନନ୍ଦଜୀ

ସଂସ୍କୃତି ଗବେଷକ
ଜୟପୁର, ଓଡିଶା
ଦୂରଭାଷ:-୯୪୩୭୨୩୬୫୭୫

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.