ପିଲାଙ୍କୁ ନେଇ ବିକଳ୍ପର ଅଭିନନ୍ଦନ ପତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିକଳ୍ପ – ଆମ ମାଟି : ଆମ ସଂକଳ୍ପ ପକ୍ଷରୁ ରାୟଗଡ ଜିଲ୍ଲା କୋଡାପାଡି ଗ୍ରାମରେ ଚଳିତ ଛୁଟି ସମୟରେ ପ୍ରାଥମିକ ଶ୍ରେଣୀର ପିଲାଙ୍କୁ ନେଇ ଗାଁ ଦାଣ୍ଡରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ନେତୃତ୍ବ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଗଠିତ ଏକ ଶିଷ୍ଟ ମଣ୍ଡଳୀ କୋଡାପାଡିକୁ ଯାଇ ପ୍ରଥମେ ନୈତିକ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରାଯାଇଥିଲା । ଆଗକୁ ନୂଆ ବର୍ଷ ଆସୁଥିବାରୁ ନିଜ ସାଙ୍ଗସାଥିଙ୍କୁ ଅଭିନନ୍ଦନ ଜଣାଇବାର କୌଶଳ ସମ୍ପର୍କରେ କୁନି କୁନି ପିଲାଙ୍କୁ ଅବଗତ କରାଯାଇଥିଲା । ପରେ ବିକଳ୍ପର ସଦସ୍ୟ ଜଗଦୀଶ ଚନ୍ଦ୍ର ଦୋରା ଓ ଡ଼ଃ ଦ୍ବିତୀ ଚନ୍ଦ୍ର ସାହୁ ଅନାଵନା ଓ ଅଦରକାରୀ ଜିନିଷକୁ ନେଇ କିଭଳି ସୁନ୍ଦର ଅଭିନନ୍ଦନ ପତ୍ର ପ୍ରସ୍ତୁତ କରିହେବ ସେ ସମ୍ପର୍କରେ ପିଲାଙ୍କୁ ତାଲିମ ପ୍ରଦାନ କରିଥିଲେ ଏବଂ ପିଲାଙ୍କ ଗହଣରେ ଗ୍ରୀଟିଂ କାର୍ଡ ମଧ୍ୟ ପ୍ରସ୍ତୁତ କରିଥିଲେ । ପରେ ପିଲାମାନେ ନିଜସ୍ବ ସୃଜନରେ ଅଭିନନ୍ଦନ ପତ୍ର ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଗତ ଏକ ବର୍ଷ ଧରି ବିକଳ୍ପ ପକ୍ଷରୁ ଏଇ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଏସଏଚଜି ମହିଳା ମାନଙ୍କୁ ସଚେତନତା ଓ ସାକ୍ଷର କରାଇବା, ଗ୍ରାମବାସୀଙ୍କୁ ନୈତିକ ଶିକ୍ଷା ପ୍ରଦାନ ସହ ପିଲାମାନଙ୍କୁ ବ୍ୟବହାରିକ ଓ ମୁଲ୍ୟବୋଧଭିତ୍ତିକ ଶିକ୍ଷାଦାନ ଦିଗରେ କାର୍ଯ୍ୟ କରି ଆସୁଛି ।ଏଇକ୍ରମରେ ଅବହେଳିତ ଅବସ୍ଥାରେ ଥିବା ଗାଁର ବାଇନା ହୁଇକାଙ୍କ ଦିବ୍ୟାଙ୍ଗ ଝିଅ ରମା ହୁଇକାଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର କରାଇବା, ତିନି ଚକିଆ ସାଇକେଲ ପ୍ରଦାନ ବ୍ୟବସ୍ଥା ସହ ନିୟମିତ ବିଦ୍ୟାଳୟ ଯିବାକୁ ମାନସିଜ ସ୍ତରରେ ପ୍ରସ୍ତୁତ କରାଇବା ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲା ଏଇ ଅନୁଷ୍ଠାନ । ନିକଟରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଏହି ଗ୍ରାମକୁ ଯାଇ ପିଲାଙ୍କ ସହ ଆଲୋଚନା କରିଥିଲେ ଏବଂ ଆଲୋଚନା କାଳରେ ଗ୍ରାମର ଚପଳମତିପିଲାଙ୍କ ଭିତରେ ଥିବା ବିଚକ୍ଷଣତାକୁ ଭୁୟଶୀ ପ୍ରଶଂସା କରିଥିଲେ । କ୍ରମାଗତ ଭାବେ ଏଠାକାର ପିଲାଙ୍କ ସର୍ବାଙ୍ଗୀନ ବିକାଶ ଲାଗି ବିକଳ୍ପ କାମ କରିଥିବାରୁ ଏଭଳି ସ୍ଥିତିରେ ପହଁଚିବା ଅନୁଷ୍ଠାନ ପାଇଁ ଶୁଭ ଲକ୍ଷଣ ଏବଂ ଏହା ଆମକୁ ପ୍ରେରଣା ଦେବ ବୋଲି ଡ଼ଃ ମହାନ୍ତି କହିଛନ୍ତି । ଗ୍ରାମର ସାମଗ୍ରିକ ବିକାଶ ଓ ପୂର୍ଣ୍ଣ ସଚେତନତା ଲାଗି ସଂକଳ୍ପ ନେଇଥିବା ଟିମ ବିକଳ୍ପର ଏଇ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ପ୍ରସନ୍ନ କୁମାର ଗନ୍ତାୟତ, ଡ଼ଃ ବିନୋଦ କୁମାର ପାତ୍ର, ମନ୍ମଥ ନାଥ ତୁଳ, ରବି ଶତପଥୀ ପ୍ରମୁଖ ପ୍ରେରଣାପ୍ରଦ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.