୭୮ତମ ପରିଚାଳକ ନିକାୟ ତଥା ୭୧ ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପକ୍ଷରୁ ଆଜି ୭୮ତମ ପରିଚାଳକ ନିକାୟ ତଥା ୭୧ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଶଙ୍କର କେରକେଟା ଓ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ପ୍ରମୁଖ ମଞ୍ଚାସିନ ରହିଥିଲେ। ଆଜିର ଏହି ବୈଠକରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ୨୦୧୮-୧୯ ଓ ୨୦୧୯-୨୦ ଠାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନାରେ ପ୍ରାପ୍ତ ରାଶି ଓ ବ୍ୟୟ ସମ୍ପର୍କିତ ସୂଚନା ଗୃହରେ ପ୍ରକଳ୍ପ ପ୍ରଶାସକ ଉପସ୍ଥାପନ କରିଥିଲେ ।

ସେହିପରି ୨୦୨୪-୨୫ ବର୍ଷ ପାଇଁ ବିଭିନ୍ନ ଯୋଜନାରେ ପ୍ରାପ୍ତ ଅର୍ଥ ରାଶି ଓ ତାହାର ଆବଣ୍ଟନ ସବିଶେଷ ତଥ୍ୟ ଉପସ୍ଥାପନା କରା ଯାଇଥିଲା ଯଥା- ରାମଗିରି ଛାତ୍ରବାସର କାର୍ଯ୍ୟକ୍ରମ , ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସର ନିର୍ମାଣ ଓ ମରାମତି ସହ ତାର ରକ୍ଷଣାବେକ୍ଷଣ , କର୍ମଚାରୀଙ୍କ ବାସଗୃହ ମରାମତି ଓ ରକ୍ଷଣାବେକ୍ଷଣ , ପାଚେରୀ ନିର୍ମାଣ ଓ ସଂପ୍ରସରଣ , ନୂତନ କର୍ମଚାରୀଙ୍କ ବାସଗୃହ ନିର୍ମାଣ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ଇତ୍ୟାଦି ଅନୁମୋଦନ କରା ଯାଇଥିଲା । ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ବିଭାଗ ଦ୍ଵାରା କାର୍ଯକାରୀ ହେଉଥିବା ବିଭିନ୍ନ ଯୋଜନା ତଥା ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନା ଅଧିନରେ ଗଜପତି ଜିଲ୍ଲାରେ ୫ ଗୋଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍ ଯଥା ମୋହନା , ଆର.ଉଦୟଗିରି , ଗୁମ୍ମା , ନୂଆଗଡ ଓ ରାୟଗଡ’ର ମୋଟ ୭୯ ଟି ଗ୍ରାମପଞ୍ଚାୟତ ଏଵଂ ୩୧୧ ଗୋଟି ରାଜସ୍ବ ଗ୍ରାମରେ ୧୪୩ ଗୋଟି ଜନଜାତି ଜୀବିକା ପରିଷଦ ଗଠନ କରାଯାଇ ୧୪,୩୮୫ ଜଣ ହିତାଧିକାରୀଙ୍କୁ ଅର୍ନ୍ତଭୁକ୍ତ କରାଯାଇ ଜୀବନ ଜୀବିକା ସହିତ ଅର୍ଥନୈତିକ ସ୍ତରରେ ବିକାଶ କରା ଯାଉଥିବା ସୂଚନା ଦିଆ ଯାଇଥିଲା।

ସେହିପରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ଯମରେ ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟକ୍ରମ କରାଯାଉଛି ଯଥା: – ଜମି ଉନ୍ନତ କରଣ , ଭୂତଳ ଜଳ ସଂରକ୍ଷଣ ନିମନ୍ତେ ଗର୍ତ୍ତ ଖନନ , ମୂତ୍ତିକା ସଂରକ୍ଷଣ ନିମନ୍ତେ ପଥର ବନ୍ଧ ନିର୍ମାଣ , ବୃକ୍ଷ ରୋପଣ , ଗାଇ ଓ ଛେଳି ଗୁହାଳ ଆଦି କାର୍ଯ୍ୟ ସମ୍ପାଦନ କରାଯାଇ ଜବ କାର୍ଡ ଧାରୀଙ୍କୁ ଉକ୍ତ କର୍ମରେ ନିୟୋଜିତ କରୀ ଆର୍ଥିକ ସମ୍ବଳ ଅଭିବୃଦ୍ଧି ନିମତେ ପ୍ରୟାସ କରାଯାଉଛି।

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ମାଧ୍ଯମରେ କାର୍ଯ୍ୟକାରୀ କରାଯାଉଛି , ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ଆଦିମ ଜନଜାତି ମାନଙ୍କର ସାମାଜିକ , ଆର୍ଥିକ , ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଏହି ଯୋଜନା ମାଧ୍ଯମରେ ମୌଳିକ ସୁବିଧା ପ୍ରଦାନ କରାଯାଉଛି। ସେହିପରି ଧରତି ଅବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ମାଧ୍ୟମରେ ଜିଲ୍ଲାର ସାତ ଗୋଟି ବ୍ଲକ୍ ର ଜନଜାତି ଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାସହ ଆର୍ଥିକ ଭାବେ ସଶକ୍ତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ।

ଆର୍ଥିକ ବର୍ଷ ୨୦୨୫-୨୬ ରେ କାର୍ଯକାରୀ ହେଉଥିବା ବିଭିନ୍ନ ବିଭାଗ , କାର୍ଯ୍ୟଳୟ , ବିଭାଗୀୟ ଯନ୍ତ୍ରୀ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଭାଗର ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ଦ୍ବାରା ପ୍ରାପ୍ତ ହୋଇଥିବା ପ୍ରସ୍ତାବ ସମୂହକୁ ଆଦିବାସୀ ମାନଙ୍କ ସ୍ବାର୍ଥ ପାଇଁ ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଅଗ୍ରାଧିକାର ଭିତ୍ତିରେ କାର୍ଯକାରୀ କରାଯିବା ନିମନ୍ତେ ବୈଠକରେ ଉପସ୍ଥାପନ କରା ଯାଇଥିଲା। ପରେ ପରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଦ୍ଵାରା ବିଭିନ୍ନ ଯୋଜନାରେ ଆଦିବାସୀଙ୍କ ବିକାଶ ତଥା “ମାନାରାଙ୍ଗାନ୍ ” ପତ୍ରିକାର ଅତିଥି ମାନଙ୍କ ଦ୍ଵାରା ଉନ୍ମଚନ କରା ଯାଇଥିଲା । ଆଜିର ଏହି ବୈଠକରେ ଆର. ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମନାରାୟଣ ଶବର , ନୂଆଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ , ରାୟଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣବାସୀ ନାୟକ , ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ , ମୋହନା ବିଧାୟକ ପ୍ରତିନିଧି ଶ୍ରୀ କୁନା ମାଝୀ , ଜିଲ୍ଲାପରିଷଦ ସଭ୍ୟସଭ୍ୟା , ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.