• ୫୬ ବର୍ଷ ବୟସରେ ୭୫ କିଲୋମିଟର ଦୌଡିଲେ ୧୧ ଘଣ୍ଟାରେ
• ଦେଢ ବର୍ଷ ମଧ୍ୟରେ ୨୪ ଟି ରାଜ୍ୟର ମାରାଥନରେ ଅଂଶଗ୍ରହଣ କରି ରେକର୍ଡ଼ କଲେ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମନୋବଳ ଦୃଢ଼ ଥିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ଅଚିରେ କରିହେବ। ଏ କଥାକୁ ପ୍ରମାଣିତ କରିଛନ୍ତି ବାଲେଶ୍ୱରର ନିଆରା ବ୍ୟକ୍ତିତ୍ୱ ମାରାଥନ୍ ରନର୍ ଡମ୍ବରୁଧର ଚଣ୍ଡ। ୫୬ ବର୍ଷ ବୟସ୍କ ଶ୍ରୀ ଚଣ୍ଡ ସମ୍ପ୍ରତି ୧୧ ଘଣ୍ଟାରେ ୭୫ କିଲୋମିଟର ଦୌଡି ବାଲେଶ୍ଵର ପାଇଁ ଗୌରବ ଆଣିଛନ୍ତି କହିଲେ ଭୁଲ ହେବ ନାହିଁ।ପରିଣତ ବୟସରେ ୭୫ କିଲୋମିଟର ଦୌଡ଼ିବା ସହଜ ଲାଗୁନଥିଲେ ମଧ୍ୟ ଏହାକୁ ୧୧ ଘଣ୍ଟାର ସମାପ୍ତ କରିଛନ୍ତି ଶ୍ରୀ ଚଣ୍ଡ। ଏଇ ମାରାଥନ ଦୌଡରେ ସେ ବିଜୟୀ ହେବା ସହ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ସିକିମର ଗ୍ୟାଙ୍ଗଟକରେ ଆୟୋଜିତ ହୋଇଯାଇଥିବା ମାରାଥନ ଦୌଡରେ ଅଂଶଗ୍ରହଣ କରି ସେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ବାଲେଶ୍ୱର ତଥା ଓଡ଼ିଶାରୁ ସେ ଏକମାତ୍ର ଆଥଲେଟ୍ ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସେ ପ୍ରକାଶ କରିଛନ୍ତି। ଏଥିରେ ୭୫ କିଲୋମିଟର ଦୌଡକୁ ୧୨ ଘଣ୍ଟା ଭିତରେ ଶେଷ କରିବାର ଏକ ଇଭେଣ୍ଟ ଥିଲା। ଯେଉଁଥିରେ ବାଲେଶ୍ଵର ସହର କୁରୁଡା ଅଞ୍ଚଳରେ ରହୁଥିବା ଡମ୍ବରୁଧର ଚଣ୍ଡ ଅଂଶଗ୍ରହଣ କରିଥିଲେ। ସେ ଏହି ପ୍ରତିଯୋଗିତାକୁ ୧୧ ଘଣ୍ଟା ୧୦ ମିନିଟ ୫୫ ସେକେଣ୍ଡରେ ଶେଷ କରିଥିଲେ। ଫଳରେ ସେ ଷଷ୍ଠ ସ୍ଥାନ ଅଧିକାର କରି ପଦକ ହାସଲ କରିଥିଲେ। ବିଭିନ୍ନ ଇଭେଣ୍ଟ ମଧ୍ୟରେ ଏହି ୭୫ କିମି ଦୌଡ ପ୍ରତିଯୋଗିତାଟି ଚ୍ୟାଲେଞ୍ଜିଂ ରହିଥିଲା। କାରଣ ବରଫପାତ ଭିତରେ ପାର୍ବତ୍ୟାଞ୍ଚଳରେ ଏହି ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଦୃଢ଼ ମନୋବଳ ନେଇ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଡମ୍ବରୁଧର ଏବଂ ସଫଳ ମଧ୍ୟ ହୋଇଥିଲେ। ସଫଳତା ହାସଲ କରି ସେ ବାଲେଶ୍ଵର ଫେରିବା ପରେ ତାଙ୍କୁ ବାଲେଶ୍ବର ମାରାଥନ ଆସୋସିଏସନ୍ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ବାଲେଶ୍ଵର ସହର ଉପକଣ୍ଠସ୍ଥ କୁରୁଡା ଅଞ୍ଚଳର ନୁତିପାଟଣା ଗ୍ରାମରେ ଡମ୍ବରୁଧର ଚଣ୍ଡୀଙ୍କ ଜନ୍ମ। ଡମ୍ବରୁଧର ବିର୍ଲା ଟାୟାର୍ସରେ କାର୍ଯ୍ୟ କରୁଥିଲେ। ତେବେ ସେ ଚାକିରି କରିବା ସହିତ ଦୌଡ଼ିବା ମଧ୍ୟ ଆରମ୍ଭ କରିଥିଲେ। ଦୁଇ ବର୍ଷ ଧରି ଦୌଡ଼ିବା ଆରମ୍ଭ କରିଥିବା ବେଳେ ୨୦୨୪ ମସିହା ଅଗଷ୍ଟ ମାସରେ ଆରମ୍ଭ କରିଥିଲେ ମାରାଥନ୍ ରେ ଅଂଶଗ୍ରହଣ। ଏହିପରି ଗୋଟିଏ ପରେ ଗୋଟିଏ ମାରାଥନରେ ଅଂଶଗ୍ରହଣ କରି ସେ ଦୌଡ଼ ପ୍ରତି ତାଙ୍କର ଏକାଗ୍ରତା ବଢାଇଥିଲେ। ସେ ଏହି ଦେଢ ବର୍ଷ ମଧ୍ୟରେ ୨୪ଟି ରାଜ୍ୟରେ ଅନୁଷ୍ଠିତ ବିଭିନ୍ନ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି। ସିକିମ୍ ରାଜ୍ୟକୁ ମିଶାଇଲେ ଏହା ତାଙ୍କର ୨୪ ତମ ରାଜ୍ୟ। ବିଭିନ୍ନ ରାଜ୍ୟରେ ସେ ପ୍ରତିଯୋଗିତାରେ ସ୍ଥାନିତ ହୋଇ ପଦକ ହାସଲ କରିଛନ୍ତି।
ଗତ ସେପ୍ଟେମ୍ବର ମାସରେ ସେ ପ୍ରଥମ ଓଡ଼ିଆ ଭାବେ ଲଦାଖରେ ଦ୍ବିତୀୟ ସ୍ଥାନ ଅଧିକାର କରି ପଦକ ହାସଲ କରିବା ସହିତ ଓଡ଼ିଶା, ପଶ୍ଚିମବଙ୍ଗ, ଲଦାଖ, ମଣିପୁର, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ଆର୍ଥିକ ପୁରସ୍କାର ସହିତ ସମ୍ମାନିତ ମଧ୍ୟ ହୋଇଛନ୍ତି। ଆସନ୍ତା ରବିବାର ଦିନ ସେ ପାଟନା ମାରାଥନରେ ଅଂଶଗ୍ରହଣ କରିବାକୁ ଯିବେ। ତା ପରବର୍ତ୍ତୀ ରବିବାର ହରିୟାନାର ଏକ ମାରାଥନରେ ସେ ଯୋଗ ଦେବାକୁ ଯିବେ। ୨୦୨୬ ସୁଦ୍ଧା ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ କଭର୍ କରିବାର ସେ ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟକ ରାଜ୍ୟରୁ ପଦକ ହାସଲ ମଧ୍ୟ ଡମ୍ବରୁଧରଙ୍କ ଟାର୍ଗେଟ ବୋଲି ତାଙ୍କ ସହିତ କଥା ହେଲେ ଜଣା ପଡେ। ଏହାବ୍ୟତୀତ ଓ୍ବାର୍ଲଡ ମାରାଥନରେ ଅଂଶଗ୍ରହଣ ପାଇଁ ସେ ବୁଷ୍ଟର୍ଣ୍ଣ ମାରାଥନରେ ମନୋନୀତ ମଧ୍ୟ ହୋଇସାରିଛନ୍ତି।
ବାଲେଶ୍ବରକୁ ଗୌରବାନ୍ୱିତ କରିଥିବା ଏହି ଦୌଡ଼ ରାଜା ନିଜ ସହରରେ ପ୍ରାକ୍ଟିସ୍ ବା ଅଭ୍ୟାସ କରିବା ପାଇଁ ପ୍ରକୃଷ୍ଟ ଟ୍ରାକ୍ ବା ଉପଯୁକ୍ତ ପଡ଼ିଆ ନଥିବା କଥା କ୍ଷୋଭର ସହିତ ଜଣାନ୍ତି। ବାଧ୍ୟ ହୋଇ ସେ ସହରର ବ୍ୟସ୍ତବହୁଳ ମୁଖ୍ୟ ସଡ଼କ ଉପରେ ନିଜର ଦୌଡ଼ ଅଭ୍ୟାସ ଜାରି ରଖିଥିବା ବେଳେ ତାଙ୍କୁ ଦୌଡିବା ପାଇଁ ଉଦ୍ଦିଷ୍ଟ ପଡିଆ କିମ୍ବା ଉପଯୁକ୍ତ ସ୍ଥାନ ମିଳେନାହିଁ ସହରରେ ବୋଲି କହନ୍ତି। ଦ୍ରୁତଗତିରେ ଯାନବାହନ ଚଳପ୍ରଚଳ କରୁଥିବା ବିପଦପୂର୍ଣ୍ଣ ରାସ୍ତାରେ କେବଳ ସେ ନୁହନ୍ତି ବହୁ ବରିଷ୍ଠ ପ୍ରାତଃ ଭ୍ରମଣକାରୀ ମଧ୍ୟ ଦୌଡିବା ଅଭ୍ୟାସ ଚାଲୁ ରଖିଥିବା ବେଳେ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।




