ଇନଟେକ ତରଫରୁ ଜାତୀୟ ଐତିହ୍ୟ କୁଇଜ୍ ୨୦୨୬ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୋନପୁର: କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ କାର୍ଯ୍ୟରତ ସର୍ବଭାରତୀୟ ଅନୁଷ୍ଠାନ ଇନ଼ଟାକର ସୋନପୁର ଚ୍ୟାପ୍ଟର ତରଫରୁ ଜାତୀୟ ଐତିହ୍ୟ କୁଇଜ୍ ୨୦୨୬ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାହାରା ଟ୍ରଷ୍ଟ ହାଇସ୍କୁଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସାହାରା ଟ୍ରଷ୍ଟ ହାଇସ୍କୁଲ, ଆଇଡିଏଲ ପବ୍ଲିକ ସ୍କୁଲ, ପିଏମଶ୍ରୀ ମହାରାଜା ହାଇସ୍କୁଲ, କୋଶଳ ହାଇସ୍କୁଲ, ସେଣ୍ଟ ଆନିସ୍ କନଭେଣ୍ଟ ସ୍କୁଲ, ପ୍ରଜ୍ଞା ଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୁକାନ୍ତି ଇଣ୍ଟରନେସନାଲ ସ୍କୁଲ, ଶ୍ରୀ ଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପିଏମଶ୍ରୀ କେନ୍ଦ୍ରିୟ ବିଦ୍ୟାଳୟ ଆଦି ସ୍କୁଲରୁ ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର ଅତିଥିଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଣ୍ଟାକ୍‌ ଦ୍ୱାରା ଶ୍ରେଣୀ ୭ ରୁ ୧୦ ପର୍ଯ୍ୟନ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସର୍ବ ଭାରତୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ କରାଯାଇଛି । ପ୍ରତିଯୋଗିତାରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ସତିଶ କୁମାର ନାୟକ ଏବଂ ରମାଶିଷ ପ୍ରଧାନ ପ୍ରଥମ, ସାହାରା ଟ୍ରଷ୍ଟ ହାଇସ୍କୁଲର ତ୍ରିଲୋଚ଼ନ ପେରା ଏବଂ ସଂକେତ ହୋତା ଦ୍ଵିତୀୟ, ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଯଶୋସିକ୍ତା ପଟେଲ, ଅଭିଲିପ୍ସା ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାହାରା ଟ୍ରଷ୍ଟ ହାଇସ୍କୁଲର ଆଲିସାନ ଖମାରୀ ଓ ଅନିମେଶ ପଧାନ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଏଥି ସହିତ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ଆଗାମୀ ଦିନରେ ରାଜ୍ୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରତିଯୋଗିତା ପରେ ଇନଟାକ ସୋନପୁର ଚାପ୍ଟରର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଇନଟାକର ସହ ଆବାହକ ବନମାଳି ପଣ୍ଡା, ଆଜୀବନ ସଦସ୍ୟ ବେଣୁଧର ପ୍ରଧାନ, ଦେବକୀ ନନ୍ଦନ ମିଶ୍ର, ଗତିକୃଷ୍ଣ ବଣିଆଁ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.