ବିଜୁ ଯୁବବାହିନୀର ଅଭିନବ ପଦକ୍ଷେପ : ମଧୁପୁର ଠାରେ ହେବ ରାଜ୍ୟର ପ୍ରଥମ ଗ୍ରାମାଞ୍ଚଳ ଯୁବ ଉତ୍ସବ

ନଭେମ୍ବର ୨୪ରେ ଉଦଘାଟିତ ହେବ ଉତ୍ସବ, ସମ୍ବର୍ଦ୍ଧିତ ହେବେ ବହୁ ଯୁବ ପ୍ରତିଭା

ଲାଞ୍ଜିଗଡ଼,୨୦/୧୧ : ଲାଞ୍ଜିଗଡ ବ୍ଲକ ତଥା କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଠାରେ ହେବ ରାଜ୍ୟର ପ୍ରଥମ ଗ୍ରାମାଞ୍ଚଳ ଯୁବ ଉତ୍ସବ । ଏନେଇ ବ୍ୟାପକ ଆୟୋଜନ କରାଯାଇଥିବା ଜଣାପଡିଛି । ପୂର୍ବରୁ ଅନେକ ସାମାଜିକ କାର୍ଯ୍ୟ ଓ ମାନବିକତାର ଉଦାହରଣ ସୃଷ୍ଟି କରିଥିବା ଏହି ଗ୍ରାମ ପଞ୍ଚାୟତ ସ୍ତରୀୟ ବିଜୁ ଯୁବବାହିନୀ ଏଥର ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜନ କରିବାକୁ ଯାଉଛି ଗ୍ରାମାଞ୍ଚଳ ଯୁବ ଉତ୍ସବ ।

ପୂର୍ବରୁ ସରକାରୀ ସହାୟତାରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଯୁବ ଉତ୍ସବମାନ ଆୟୋଜିତ ହେଉଥିବାବେଳେ ବିନା ସରକାରୀ ସହାୟତାରେ ସଦସ୍ୟମାନଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏହି ଯୁବ ଉତ୍ସବ ରୂପ ନେବାକୁ ଯାଉଛି । ବିଜୁ ଯୁବବାହିନୀର ଏହି ପରିକଳ୍ପନାକୁ ସାକାର ରୂପ ଦେବାକୁ ଗୋବର୍ଦ୍ଧନପୁର ଗ୍ରା.ପ. ଅଞ୍ଚଳର ଦଶରୁ ଅଧିକ ଯୁବକ ସଂଘ ଓ ସାଂସ୍କୃତିକ ଅନୁଷ୍ଠାନ ଆଗେଇ ଆସିଥିବାବେଳେ ଏହି ଅବସରରେ ଯୁବ ଉତ୍ସବ ସହିତ ଗ୍ରାମାଞ୍ଚଳର ଯୁବ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଥିବାବେଳେ ଆସନ୍ତା ୨୪ ତାରିଖ ଦିନ ଟିଡିସିସି ଅଧ୍ୟକ୍ଷ ଡମ୍ବରୁଧର ମାଝୀ ଏହି ଉତ୍ସବର ଉଦ୍ଘାଟନ କରିବେ ଓ ସମ୍ବର୍ଦ୍ଧନା ସମାରୋହରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କ ସମେତ ଅନେକ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 

ନିକଟରେ ବିଶ୍ୱ କବି ସମ୍ମିଳନୀରେ ସାମିଲ ହୋଇ ଯୁବସମାଜ ପାଇଁ ଉଦାହରଣ ସାଜିଥିବା ବୁଢୀପଦର ଗାଁର ଗାଳ୍ପିକ ସୁଧୀର କୁମାର ଧଙ୍ଗଡାମାଝୀ, ସମାଜର ଅବହେଳିତ ବର୍ଗର ଛାତ୍ରଛାତ୍ରୀମାନଙ୍କ ସ୍ୱରକୁ ଜାତୀୟ ଶିକ୍ଷାନୁଷ୍ଠାନ ଜେଏନୟୁରେ ଶାଣିତ କରୁଥିବା ପୌରକେଲା ଗାଁର ଜିତେନ୍ଦ୍ର ସୁନା, ବାଲ୍ୟବିବାହକୁ ବିରୋଧ କରି ଉଦାହରଣ ସାଜିଥିବା ଥୁଆମୂଳ ରାମପୁରର ରଞ୍ଜିତା ମାଝୀ, ଜିଲ୍ଲାର ପ୍ରଥମ ମହିଳା ପର୍ବତାରୋହୀ ମ.ରାମପୁରର ଇପ୍ସାମୟୀ ଦୁବେ, ସୁଦୂର ଆମେରିକାରେ ନିଜର ଯୋଗ ଓ ପ୍ରାଣାୟାମ ଦ୍ୱାରା ଲୋକଙ୍କୁ ଚକିତ କରିଥିବା ଲାଞ୍ଜିଗଡ ବ୍ଲକ ଦୁର୍ଗମ ଜିରାଗାଁର ଜୟନ୍ତ ମାଝୀ, ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବରେ ଶ୍ରେଷ୍ଠ ବିବେଚିତ ନର୍ଲା ବ୍ଲକ ମୁରସିଂ ଗାଁର ହେମଲତା ମାଝୀ, ଅତି ଅଳ୍ପବୟସରୁ ଜିଲ୍ଲା ତଥା ରାଜ୍ୟସ୍ତରୀୟ ଦୌଡ ପ୍ରତିଯୋଗିତାରେ ଭାଗ ନେଇଥିବା ଚର୍ଚ୍ଚିତ ଧାବିକା ପୂଜା ମାଝୀ, କୁର୍ଶୁଲା ଗାଁର ଯୁବ ନାଟ୍ୟକାର ଦକ୍ଷ ସାହୁ ପ୍ରମୁଖଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯିବ ବୋଲି ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଯୁବବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ତଥା ଯୁବ କଲ୍ୟାଣ ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ବିଜୁ ଯୁବବାହିନୀ ପକ୍ଷରୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ତେବେ ଏ ସବୁଥିରୁ ଦୁଇପାଦ ଆଗକୁ ବଢାଇ ଏପରି ଏକ ଉତ୍ସବର ଆୟୋଜନ କରିବାକୁ ଯାଉଥିବାରୁ ଗୋବର୍ଦ୍ଧନପୁର ଗ୍ରା.ପ.ର ବିଜୁ ଯୁବବାହିନୀକୁ ଜିଲ୍ଲାର ବିଭିନ୍ନ ମହଳରୁ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିବାସହ କାର୍ଯ୍ୟକ୍ରମର ସଫଳତା କାମନା କରାଯାଉଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.