ନକଲି ଆଦିବାସୀ ଶିକ୍ଷକ ମାମଲା; ଅବସର ନେବା ଦିନକ ପୂର୍ବରୁ ପ୍ରମାଣିତ ହେଲେ ପଛୁଆ ବର୍ଗ ବୋଲି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକରେ କାର୍ଯରତ ଜନୈକ ନକଲି ଆଦିବାସୀ ପ୍ରଧାନ ଶିକ୍ଷକ ଅବସର ନେବା ଦିନକ ପୂର୍ବରୁ ପଛୁଆ ବର୍ଗ ର ବୋଲି ଜଣା ପଡିବା ଓ ନକଲି ଆଦିବାସୀ ବୋଲି ପ୍ରମାଣିତ ହେବା ପରେ ନକଲି ଆଦିବାସୀ ଚାକିରିଆଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ସୂଚନା ମତେ କେସିଙ୍ଗା ବ୍ଲକ ହାତୀଖୋଜ ପଞ୍ଚାୟତ ପିପଲ ପଦର ଗ୍ରାମର (ସିଙ୍ଗାରିବାହାଲ)ର ଗନ୍ଧର୍ବ ସାହୁ ( ୫୯)ପିତା ସ୍ବର୍ଗତ ଧର୍ମୁ ସାହୁ ୧୯୬୩ ମସିହାରୁ ନିଜକୁ କନ୍ଧ ସମ୍ପ୍ରଦାୟର ବୋଲି ନିଜ ନାମକୁ ଗନ୍ଧର୍ବ ମାଝୀ ପିତା ଲାଲ ସାଏ ମାଝି ଦର୍ଶାଇ ଶିକ୍ଷକତା ଚାକିରୀ କରିଆସୁଥିଲେ। ଏ ସମ୍ବନ୍ଧରେ କଳାହାଣ୍ଡି ଆଦିବାସୀ ଯୁବ ସଂଗଠନ ଓ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ଦୀର୍ଘ ଦିନ ରୁ ନକଲି ଆଦିବାସୀ ଙ୍କ ଜାତିଗତ ପ୍ରମାଣ ପତ୍ର ସଂଗ୍ରହ ପାଇଁ ଅନବରତ ଚେଷ୍ଟା କରି ଆସୁଥିଲେ। ତେବେ ଶନିବାର କେସିଙ୍ଗା ତହସିଲଦାର ଗନ୍ଧର୍ବ ମାଝୀ ନାମକ ଶିକ୍ଷକ (ତେଲି) ପଛୁଆ ବର୍ଗର ହେଇଥିବାରୁ ତାଙ୍କ ଆଦିବାସୀ ଜାତି ପ୍ରମାଣ ପତ୍ରକୁ ଖାରଜ କରିଥିବା ଏକ ଦସ୍ତାବିଜ ଜିଲ୍ଲା ଆଦିବାସୀ ଯୁବ ସଂଗଠନ ସଭାପତି ଗଜପତି ମାଝୀ ଓ କର୍ଲାମୁଣ୍ଡା ବ୍ଳକ ଆଦିବାସୀ ଯୁବ ସଂଗଠନ ସଭାପତି ନନ୍ଦି କିଶୋର ଭୋଇଙ୍କୁ ଦେବା ପରେ ସଂଘ ତରଫରୁ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ଓ କର୍ଲାମୁଣ୍ଡା ଯୁବ ଆଦିବାସୀ ସଂଘ ସଭାପତି ନନ୍ଦି କିଶୋର ଭୋଇ ଉକ୍ତ ନକଲି ଆଦିବାସୀ ଶିକ୍ଷକଙ୍କୁ ବହିଷ୍କାର ସହିତ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସରକାର ଙ୍କ ଯାହା ନିୟମ ରହିଛି, ସେ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅନ୍ୟ ପଟେ ନକଲି ଆଦିବାସୀ ଶିକ୍ଷକ ଗନ୍ଧର୍ବ ମାଝୀଙ୍କ ବିରୁଦ୍ଧରେ ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଜିଲ୍ଲା ଆଦିବାସୀ ଯୁବ ସଂଗଠନ ଓ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ରକାଶଥାଉକି ଗନ୍ଧର୍ବ ମାଝୀ ବର୍ତମାନ କର୍ଲାମୁଣ୍ଡା ବ୍ଲକର ରେଗଡା ସ୍ଥିତ ଜଗଦୀଶ ମଧ୍ୟଇଂରାଜୀ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ଓ ଆଜି (ଅପ୍ରେଲ ୩୦, ରବିବାର )ସେ ଅବସରଗ୍ରହଣ କରିବେ l ଏହି ଅଞ୍ଚଳରେ ନକଲି ଆଦିବାସୀ ମାନେ ଚାକିରୀ କରୁଥିବା ଓ ସେମାନଙ୍କୁ ବାହାର କରି ଆଇନଗତ କାର୍ଯାନୁଷ୍ଠାନ ନେବାପାଇଁ ଦୀର୍ଘ ବର୍ଷ ହେଲା ଆଦିବାସୀ ସଂଗଠନ ପକ୍ଷରୁ ଦାବୀ ଓ ଆନ୍ଦୋଳନ ହେଇଆସୁଅଛି l ବର୍ତମାନ ତନ୍ମଧ୍ୟରୁ ଜଣେ ନକଲିର ଅସଲ ପରିଚୟ ପ୍ରମାଣିତ ହେବା ପରେ ଆଗକୁ ସବୁ ନକଲିର ପ୍ରମାଣ ଆସିଯିବ ବୋଲି ସାଧାରଣରେ ଆଶା ଉତଜୀବିତ ହୋଇଛି l

(ଫଟୋ: ଆଦିବାସୀ ସଂଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ)

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.