ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକରେ ଶ୍ରମିକମାନେ ବଂଚିବା ପାଇଁ ଭିଟା ମାଟିରେ କୌଣସି ସୁଯୋଗ ନଥିବାରୁ ଓଡ଼ିଆ ଦାଦନ ଶ୍ରମିକମାନେ ରାଜ୍ୟ ବାହାରକୁ ଓ ଦେଶ ବାହାରକୁ ଯାଇ ନିର୍ଯାତନାର ଶିକାର ହେବା ସହ ମୃତ୍ୟୁ ମୁଖରେ ପଡ଼ିବାର ଅନେକ ନଜିର ଦେଖା ଦେଇଥିବା ବେଳେ ସମାଧାନର କୌଣସି ବ୍ୟବସ୍ଥା ହୋଇ ପାରୁନାହଁ। ଫଳରେ ଶ୍ରମିକମାନେ ରୋଜଗାର କରିବାକୁ ଯାଇ ଘରକୁ ଶବ ହୋଇ ଫେରିବା ଦେଖିବାକୁ ମିଳିଛି।
ଗତ ଏକ ସପ୍ତାହ ତଳେ ଖଲ୍ଲିକୋଟ ବ୍ଲକର ଦୁଇଜଣ ଶ୍ରମିକ ଦୁବାଇ ଓ ଇଥିଓପିଆରେ ମୃତ୍ୟୁବରଣ କରିଥିବା ବେଳେ ଖଲ୍ଲିକୋଟ ବ୍ଲକର ଭିକାପଡା ଗ୍ରାମରେ ଦାଦନ ଶ୍ରମିକ ମୃତ୍ୟୁର କରୁଣ ଚିତ୍ର ଦେଖିବାକୁ ମିଳିଛି। ଝିଅର ବାହାଘର କରଜ ଶୁଝିବା ପାଇଁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଭିକାପଡା ଗ୍ରାମ ର ସୁକୁଟା ଜେନା (୫୦) ମରିସସକୁ ଶ୍ରମିକ ଭାବେ ଗତ ଦେଢ଼ ବର୍ଷ ତଳେ ଯାଇଥିଲେ। ସେଠାରେ କିଛି ଦିନ କାମ କଲା ପରେ ଗତ ଦୁଇମାସ ତଳେ ହଠାତ ଅସୁସ୍ଥ ହୋଇପଡିଲେ। ଡାକ୍ତରଖାନାରେ ଭର୍ତି କଲା ପରେ ସେ ମଧୁମେହ, ଉଚ୍ଚ ରକ୍ତଚାପ, ଭଳି ଗୁରୁତର ରୋଗରେ ଶିକାର ହୋଇ ଦୀର୍ଘ ୨୦ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଆସୁଥିଲେ। ତେବେ କମ୍ପାନୀ କର୍ତ୍ତୃପକ୍ଷ ଆବଶ୍ୟକ ଚିକିତ୍ସା ସେବା ନଦେବା ଫଳରେ ରୋଗଗ୍ରସ୍ତ ସୁକୁଟା ଜେନା ଗତକାଲି ଆଖି ବୁଜି ଦେଇଥିବା ପରିବାର ନିକଟକୁ ଖବର ଆସିଥିଲା। ଏକମାତ୍ର ରୋଜଗାରିଆ ସଦସ୍ୟଙ୍କୁ ହରାଇ ପରିବାର ଭାଙ୍ଗି ପଡିଛି। ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଥିବା ସୁକୁଟାଙ୍କ ପରିବାର ଅସହାୟ ହୋଇପଡିବା ସହ ଶବକୁ ତୁରନ୍ତ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଛି। ସୁକୁଟାଙ୍କ ମୃତ୍ୟୁ ଖବର ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ପରିବାର କାନ୍ଦ ବୋବାଳିରେ ଫାଟି ପଡୁଛି।
ସରକାର ମାଳ ମାଳ ଯୋଜନା ପ୍ରଣୟନ କରୁଥିବା ବେଳେ ଶ୍ରମିକ ମାନଙ୍କୁ ଭିଟାମାଟି ରେ କୌଣସି ବୃହତ ଶିଳ୍ପ, କ୍ଷୁଦ୍ର ଶିଳ୍ପ କିମ୍ବା କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ମନସ୍ଥ କରୁନାହାନ୍ତି। ଯାହାଫଳରେ ଖଲ୍ଲିକୋଟ ବ୍ଲକ ଓ ସମଗ୍ର ଗଞ୍ଜାମ ଜିଲ୍ଲା ଦାଦନ ଭଳି ଅପବାଦ ମୁଣ୍ଡାଇ ସାର ରାଜ୍ୟରେ ନିନ୍ଦିତ ହେଉଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରଙ୍କ ଜିଲ୍ଲା ଗଞ୍ଜାମ ଦାଦନ ଯନ୍ତ୍ରଣାର ଚରାଭୂଇଁ ପାଲଟିଛି। ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଦାଦନ ଯନ୍ତ୍ରଣାକୁ ରୋକିବା ପାଇଁ କି ପଦକ୍ଷେପ ନେଉଛନ୍ତି, ତାହା ସମୟ କହିବ।