ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର କମ, ପର୍ଯ୍ୟାୟକ୍ରମେ ହେବ ଜଳସେଚେନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କଳାହାଣ୍ଡି ଜିଲ୍ଲା ର ଜୀବନ ରେଖା କୁହାଯାଉଥିବା ଓ ଆର୍ଥିକ ସ୍ଥିତି କୁ ସୁଦୃଢ କରୁଥିବା ଏକ ନିର୍ଭର ଯୋଗ୍ୟ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଏବର୍ଷ ଚାଷକାର୍ଯ୍ୟ ରେ ନିରାଶାଜନକ ସ୍ଥିତି ସୃଷ୍ଟି ହେବା ସମ୍ଭାବନା ଦେଖା ଦେଇଛି l ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ଯୋଗୁଁ କଳାହାଣ୍ଡି ଶଶ୍ୟ ଶ୍ୟାମଳା ହୋଇ ପାରିଥାଏ । ଧାନ ଉତ୍ପାଦନରେ କଳାହାଣ୍ଡି ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଉପର ଇନ୍ଦ୍ରାବତୀ କେନାଲ ଓ ପାଇପ୍ ଯୋଗେ ଭୂତଳ ଶାଖା କେନାଲରେ କୋକସରା ବ୍ଳକର ୪୬ଟି ଗ୍ରାମରେ ହାରାହାରି ୧୨୪୯୪.୭୫ ହେକ୍ଟର ଓ ଜୟପାଟଣା ବ୍ଳକର ୨୩ ଗୋଟି ଗ୍ରାମର ୭୬୪୭.୭୪ ହେକ୍ଟର ଜମିରେ ଧାନ ଚାଷ ହୋଇ ପାରୁଛି। ତେବେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର ସର୍ବନିମ୍ନ ସ୍ତରରେ,ବର୍ତ୍ତମାନ ସୁଦ୍ଧା ୩୦.୧୨୫ ପ୍ରତିଶତ ରହିଛି। ତେଣୁ ଚାଷୀଙ୍କ ଜମିକୁ ପର୍ଯ୍ୟାପ୍ତ ପରିମାଣରେ ପାଣି ଛାଡିବା ସମ୍ଭବ ହୋଇ ପାରୁନାହିଁ। ତେଣୁ ଅପର ଇନ୍ଦ୍ରାବତୀ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏବେ ଡ଼ାକବାଜି ଯନ୍ତ୍ର ଦ୍ବାରା କୋକସରା ବ୍ଲକର ଚାଷୀଙ୍କୁ ଅବଗତ କରାଯାଇ ଥିବାବେଳେ ଶନିବାରଠାରୁ ପର୍ଯ୍ୟାୟକ୍ରମେ କେନାଲରୁ ପାଣି ଛଡ଼ାଯିବା ନେଇ ସୂଚନା ରହିଛି। ବର୍ତ୍ତମାନ ମଧ୍ୟ କୋକସରା ଅଞ୍ଚଳରେ କେନାଲରେ ଆବଶ୍ୟକ ମୁତାବକ ପାଣି ଆସି ପାରୁ ନଥିବାବେଳେ ଚାଷୀମାନେ କଷ୍ଟେ ମଷ୍ଟେ ଚାଷ କାର୍ଯ୍ୟ କରି ଆସୁଛନ୍ତି। ଏଭଲି ସ୍ଥିତିରେ ପର୍ଯ୍ୟାୟ କ୍ରମେ କେନାଲର ପାଣି ଛଡାଯିବା ନେଇ ସୂଚନା ପରେ ଚାଷୀର ଚିନ୍ତା ବଢ଼ିଥିବାବେଳେ ଚାଷ କାର୍ଯ୍ୟରେ ବାଧା ଉତ୍ପନ୍ନ ହେବା ନେଇ ଆଶଂକା ରହିଛି। ବ୍ଳକର ଅଣ ଜଳସେଚିତ ଅଞ୍ଚଳର ଚାଷୀଙ୍କ ଜମି ଫାଟି ଆଁ କରିଥିବାବେଳେ ଜଳସେଚନ ଥିବା ଅଞ୍ଚଳର ଚାଷୀଙ୍କ ମଧ୍ୟ ଏବେ ଚିନ୍ତା ବଢ଼ିଛି। କାରଣ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ସର୍ବନିମ୍ନ ସ୍ତରରେ ଜଳ ରହିଥିବାବେଳେ ଅପର ଇନ୍ଦ୍ରାବତୀ କେନାଲରୁ ପର୍ଯ୍ୟାୟକ୍ରମେ ଜଳ ଯୋଗାଣ ହେଲେ ଚାଷ କାର୍ଯ୍ୟ କ୍ଷତି ହେବା ଆଶଙ୍କା ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାର ଜଳ ଧରଣ କ୍ଷମତା ସର୍ବାଧିକ ୬୪୨ ମି. ରହିଛି। ଜଳଭଣ୍ଡାର ସମୁଦାୟ ଜଳ କ୍ଷେତ୍ର ୧.୪୮.୫୫୦ ହେକ୍ଟର ମିଟର ରହିଛି। ଗତ ବର୍ଷ ୩୧ ଅଗଷ୍ଟ ପର୍ଯ୍ୟନ୍ତ ୧୬୨୮ ମିଲିମିଟର ବର୍ଷା ରହିଥିବାବେଳେ ଚଳିତବର୍ଷ ୩୧ ଅଗଷ୍ଟ ପର୍ଯ୍ୟନ୍ତ ୮୪୩ ମିଲିମିଟର ବର୍ଷା ରହିଛି। ଜଳଭଣ୍ଡାରରେ ବର୍ତ୍ତମାନର ଜଳ ପ୍ରତିଶତ ୩୦.୧୨୫ ପ୍ରତିଶତ ରହିଥିବାବେଳେ ଗତ ବର୍ଷ ଏହି ଦିନ ଜଳ ହାର ୮୭.୫୮୯ ପ୍ରତିଶତ ରହିଥିଲା। ଜଳଭଣ୍ଡାରର ସମୁଦାୟ ଜଳ କ୍ଷେତ୍ର ୧,୪୮,୫୫୯ ହେକ୍ଟର ମିଟର, ବର୍ତ୍ତମାନର ଜଳ କ୍ଷେତ୍ର ୪୪୭୫୧ ହେକ୍ଟର ମିଟର, ଗତ ବର୍ଷ ଏହି ଦିନ ଜଳ କ୍ଷେତ୍ର ୧,୩୦,୧୧୩ ହେକ୍ଟର ମିଟର ରହିଥିବାବେଳେ ପୂର୍ଣ୍ଣ ହେଲେ ଜଳ ସ୍ତର ୬୪୨ ମିଟର ହେବ। ବର୍ତ୍ତମାନ ଜଳ ସ୍ତର ୬୩୧ ମିଟର ରହିଥିବାବେଳେ ଗତ ବର୍ଷ ଜଳ ସ୍ତର ୬୪୦.୬୧ ମିଟର ରହିଥିଲା। ତେବେ ଗତବର୍ଷ ତୁଲନାରେ ଚଳିତ ବର୍ଷ ୯.୬୧ ମିଟର ଜଳ ସ୍ତର କମିଥିବା ଜଣାପଡିଛି। ତେବେ ସ୍ବଳ୍ପ ବୃଷ୍ଟିପାତ ଦୃଷ୍ଟିରୁ ପର୍ଯ୍ୟାୟ କ୍ରମେ କେନାଲରେ ଜଳ ଛଡାଯିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଚାଷ କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହେବା ଚାଷୀ ମାନେ ଆଶଙ୍କା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.