ଆଉ ଗୋଟେ ବାଦାମବାଡି କେବେ ହେଇପାରିବ ନାହିଁ

କଟକ ଓଡିଶାବାସୀଙ୍କ ପ୍ରିୟ ସହର । କଟକର ପୂଜା, କଟକର ବାଲିଯାତ୍ରା, ବାରବାଟୀ କ୍ରିକେଟ ମ୍ୟାଚ, ବାଦାମବାଡ଼ି ବସଷ୍ଟାଣ୍ଡ, ଏସ୍.ସି.ବି. ମେଡିକାଲ କଲେଜ ସବୁବେଳେ ଓଡିଶାର ବଡ ପରିଚୟ ହୋଇ ରହିଛି । ଏସବୁ ଭିତରେ ବାଦାମବାଡି କେତେ କଥା, କେତେ କବିତା, କେତେ କାହାଣୀର ସ୍ରଷ୍ଟା, ସୃଷ୍ଟି ଓ ସାକ୍ଷୀ । ବର୍ଷା, ବୈଶାଖ, ବସନ୍ତ ହେଉ କି ହାଡଭଙ୍ଗା ଶୀତ । କେତେ ଋତୁକୁ ଛାତି ପାତି ସହିଛି ଏ ମାଟି । କେତେକେତେ ପାଦ, କେତେକେତେ ଚକ ଚଢି ଯାଇଛି ଏ ଚଟାଣ ଉପରେ । କୁଢକୁଢ ଆବର୍ଜନାକୁ ସହିଛି, କୋଳାହଳ ଶୁଣିଛି, କେତେ ଅଭିଯୋଗ, କେତେ ଅଭିମାନ କେତେ ଆବେଗ ଆଉ କେତେ ଆତଙ୍କର ସାକ୍ଷୀ ସାଜିଛି ଏ ବସଷ୍ଟାଣ୍ଡ । ବାଲେଶ୍ୱରରୁ ବଲାଙ୍ଗୀର, ପୁରୀରୁ ପଟ୍ଟାମୁଣ୍ଡାଇ । ଏଇଠି କିଏ ଓହ୍ଲାଏ ତ କିଏ ଚଢେ । ଏଠି କିଏ କାହାକୁ ପାଏ ତ ପୁଣି କିଏ ହରାଇଦିଏ । କେତେ ଅସହାୟତା, କେତେ ଅବ୍ୟକ୍ତ ଯନ୍ତ୍ରଣା, ଆଉ କେତେ ଆଶା ଆକାଂକ୍ଷାର ଷପେଜ ସାଜିଥିବା ବାଦାମବାଡି ଯେ ଦିନେ ଇତିହାସ ପାଲଟିଯିବ… ତାହା କେହି କେବେ କଳ୍ପନା ହିଁ କରିନଥିଲେ । କଟକ ! ହଜାରେ ବର୍ଷର ସହର । ପୁରୁଣା ରାଜଧାନୀ ଆମ ଓଡିଶାର । ୫୨ ବଜାର, ୫୩ ଗଳି । କୁହାଯାଏ କଟକରେ ହୁଏନି ରାତି, ଏଠି ପାଣି ପବନରେ ଖାଲି ପ୍ରେମ ଆଉ ପ୍ରିତୀ । କଟକ ! କେବଳ ଗୋଟେ ସହର ନୁହେଁ, ଏହା ଇତିହାସ ଓ ଐତିହ୍ୟର ମୁକସାକ୍ଷୀ । ଆଉ ଏହି ରୌପ୍ୟନଗରୀର ମୁଖଶାଳା ‘ବାଦାମବାଡି’ । ଯିଏ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ହାତ ଠାରି ସହର ଭିତରକୁ ସ୍ୱାଗତ କରେ । ଦିନେ ବସର ପେଁ ପାଁ ହର୍ଣ୍ଣରେ ଫାଟି ପଡୁଥିଲା ଏ ଅଞ୍ଚଳ । ଅଳ୍ପଟିକେ ଜାଗାରେ ସମୟକୁ ଲାଞ୍ଚ ଦେଇ ବସ ବସ ଭିତରେ ଚାଲୁଥିଲା ପ୍ରତିଯୋଗିତା । ଚାବାଲା, ଚଣାବାଲା, ବାଦାମବାଲାର ଡାକ ତ ବାଦାମବାଡି ପାଇଁ ସାଜିଥିଲା ସ୍ୱାଗତ ସଙ୍ଗୀତ । ଆଉ ବସ ଭିତରେ ଖେଳନା ବାଲା, ଘଣ୍ଟା ଦୋକାନୀର ଦର ପାଇଁ ମୁଲଚାଲ ସହ କିନ୍ନରଙ୍କ ଆଶିର୍ବାଦର ହାତ, ବାଦାମବାଡିକୁ ପଶିଥିବା କେଉଁ ଲୋକ ଉପରେ ବାଜି ନଥିବ ତାହା ଅସ୍ୱିକାର କରିପାରିବେନି । କିନ୍ତୁ ଆଜି ସେସବୁ ଆମ ସମସ୍ତଙ୍କ ପାଇଁ ଖାଲି ନିରୋଳା ସ୍ମୃତି ଆଉ ସ୍ମୃତି… । ନେତାଜୀ ବସ ଟର୍ମିନାଲ ନୂଆ ଓଡିଶାର ନୂଆ ପରିଚୟ ସୃଷ୍ଟି କଲା ସତ । କଟକର ଇତିହାସରେ ରୂପାନ୍ତରଣର ନୂଆ ଫର୍ଦ୍ଦ ଯୋଡିଲା ସତ କିନ୍ତୁ ବାଦାମବାଡି… ବାଦାମବାଡି… ବାଦାମବାଡିର ବିକଳ୍ପ ନାହିଁ, ଆଉ ଗୋଟେ ବାଦାମବାଡି କେବେ ହେଇପାରିବ ନାହିଁ… । ପ୍ରକାଶଯୋଗ୍ୟ ଯେ ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲରେ ଏକା ସାଙ୍ଗରେ ୧୯୨ଟି ବସ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଯାତ୍ରୀମାନଙ୍କ ପାଇଁ ପ୍ରତିକ୍ଷାଳୟ, ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟର ଓ ସହିତ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇ ଟର୍ମିନାଲ ଭିତରେ ଯାତ୍ରୀମାନଙ୍କ ପାଇଁ ବିମାନ ବନ୍ଦର ଭଳି ସୁବିଧା କରାଯାଇଛି। ତେବେ ବ୍ୟସ୍ତବହୁଳ ବାଦାମବାଡି ଆଜି ଖାଁ ଖାଁ, ସବୁଠି ଶୂନ୍ୟତା ଆଉ ନିସ୍ତବ୍ଦତାର ନାଗରା । ନୂଆ ବସ ଟର୍ମିନାଲ ହେବା ପରେ ପୁରୁଣା ହୋଇଯାଇଛି ବାଦାମବାଡି । ଆଉ ବସ୍ ଆସୁନି ବୋଲି ବନ୍ଦ ପଡିଛି ଦୋକାନ- ଭିତରକୁ ଚକ ଗଡୁନି ବୋଲି ଜୀବନଜୀବିକାରେ ବି ପଡିଛି ଚାବି । ବସଷ୍ଟାଣ୍ଡରେ ବେଉସା କରୁଥିବା ଲୋକ ଆଜି ବେସାହାରା । ପ୍ରଭାବିତ ଆଜି ଅନେକ ଦୋକାନୀ । କୁଆଡେ ଯିବେ ? କଣ କରିବେ ? ଦିନେ ଯେଉଁ ବାଦାମବାଡି ଦେଉଥିଲା ଦାନାପାଣି, ଆଜି ତାରି ପାଇଁ ଆଖିରୁ ଝରୁଛି ଅସରନ୍ତି ଲୁହ । ଚାରିଆଡେ ଚମକହୀନ ପରିବେଶ, ଆଉ ଜୀବନ-ଜୀବିକାର ଆର୍ତ୍ତଚିକ୍ରାର ଶୁଣି ନିଜ ଭିତରେ ନିରବତାର ନିଆଁ ଜାଳି ବିରହର ବହି ପଢୁଛି ବାଦାମବାଡି । ଆଉ ବାଦାମବାଡିର ଏ ବିକଳ ରୂପ ଦେଖି ଆଜି କଇଁ କଇଁ କାନ୍ଦୁଛି ସହନଶୀଳର ସହର କଟକ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.