ଉତ୍କଳୀୟ ସଂସ୍କୃତିରେ କାର୍ତ୍ତିକ ମାସର ଯଥେଷ୍ଟ ଗୁରୁତ୍ବ ରହିଛି। କାର୍ତ୍ତିକ ମାସ ଅମାବାସ୍ୟା ଦିନ ଦୀପାବଳି ପର୍ବ ପାଳିତ ହୋଇଥାଏ। ଏହି ଦିବସରେ ପିତୃପୁରୁଷଙ୍କୁ ଦୀପଦାନ କରାଯାଇଥାଏ। ଦୀପାବଳୀ ପର୍ବ ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ପ୍ରାଚୀନ ମୂଲ୍ୟବୋଧକୁ ରିଦ୍ଧିମନ୍ତ କରିଛି। ଏହି ଦୀପର ଆଲୋକ ଅନ୍ଧକାରକୁ ଦୂର କରି ସମାଜରେ ନୂତନ ଉନ୍ମାଦନା ସୃଷ୍ଟି କରିଥାଏ। ଓଡ଼ିଶାରେ ଘରର ପୂର୍ବଜମାନଙ୍କୁ ବଡ଼ବଡ଼ିଆ ବା ବଡ଼ବଡ଼ୁଆ ବୋଲି କୁହାଯାଇଥାଏ। ଦୀପାବଳୀ ଦିନ ଲୋକେ କାଉଁରିଆ କାଠି ଜାଳି ତାହାର ଆଲୋକକୁ ଆକାଶକୁ ଦେଖାନ୍ତି ଯାହାଦ୍ୱାରା ପିତୃପୁରୁଷଙ୍କ ପଥ ଆଲୋକିତ ହୁଏ ବୋଲି ବିଶ୍ୱାସ ରହିଛି। ମହାଳୟା ସମୟରେ ଯେଉଁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ପାରନ୍ତି ନାହିଁ, ସେମାନେ କାର୍ତ୍ତିକ ଅମାବାସ୍ୟାରେ ଶ୍ରାଦ୍ଧ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଦୀପାବଳୀ ଦିନ ସନ୍ଧ୍ୟା ସମୟରେ ବଡ଼ବଡ଼ିଆ ଶ୍ରାଦ୍ଧ ପାଳନ କରାଯାଏ। ଏହାକୁ ପୟା ଶ୍ରାଦ୍ଧ ବୋଲି ମଧ୍ୟ କୁହାଯାଇଥାଏ। ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷମାନେ ଦୀପାବଳୀ ଦିନ ପିତୃଲୋକକୁ ପୁନର୍ଗମନ କରନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି। ସେହିମାନଙ୍କ ସ୍ମୃତି ଚାରଣ କରି ବଂଶଧରମାନେ ଏହି ଶ୍ରାଦ୍ଧ ପାଳନ କରିଥାନ୍ତି। ବଡ଼ବଡ଼ୁଆ ଶ୍ରାଦ୍ଧ ଦିନ ଘରର ସଦସ୍ୟମାନେ ବାରଣ୍ଡା ବା ଅଗଣାରେ ଏକତ୍ରିତ ହୋଇଥାନ୍ତି। ସେଠାରେ ମୁରୁଜ ପକାଇ ଏକ ବଡ଼ ବୋଇତ ବା ଡଙ୍ଗାର ଚିତ୍ର ଅଙ୍କିତ କରାଯାଇଥାଏ। ଏହି ଡଙ୍ଗାର ଉତ୍ତରରେ ୭ଟି କୋଠରୀ ଥାଏ ଯାହା ଋଷିମାନଙ୍କ ପାଇଁ ଉଦ୍ଦିଷ୍ଟ। ଡଙ୍ଗାର ପୂର୍ବରେ ରହିଥିବା ୧୦ଟି କୋଠରୀ ଦେବତାମାନେ ଅବସ୍ଥାନ କରନ୍ତି। ଦକ୍ଷିଣ ପଟକୁ ରହିଥିବା ୧୨ଟି କୋଠରୀ ପିତୃପୁରୁଷମାନଙ୍କ ନିମନ୍ତେ ଉଦ୍ଦିଷ୍ଟ। ମୁରୁଜ ବା ଝୋଟି ପଡ଼ିଥିବା ଏହି ସବୁ କୋଠରୀରେ ତୁଳା, ସୋରିଷ, ହଳଦି, ପନିପରିବା, ପିଠା, ମିଠା, ଲୁଣ, ଶତାବରୀ ମୂଳ, ବନ୍ୟ ଲତା ଇତ୍ୟାଦି ଦ୍ରବ୍ୟ ରଖାଯାଏ। ମଧ୍ୟଭାଗରେ ରହିଥିବା ଗୋଟିଏ କୋଠରୀରେ ଭୋଗ ରଖାଯାଇଥାଏ। ଏହି ପ୍ରସାଦ ପ୍ରକୋଷ୍ଠରେ କିଛି କାଉଁରିଆ କାଠି ମଧ୍ୟ ରଖାଯାଇଥାଏ। ଛୋଟ କପଡ଼ା ଖଣ୍ଡିଏ ତେଲ ବା ଘିଅରେ ଭିଜାଇ ଏହି କାଉଁରିଆ କାଠିର ଅଗରେ ଗୁଡ଼ାଇ ବାନ୍ଧି ଦିଆଯାଇଥାଏ। କେତେକ ଘରେ କାଉଁରିଆ କାଠିରେ ଦୁବ, ବରକୋଳି ପତ୍ର ଓ ଫୁଲ ଇତ୍ୟାଦି ମଧ୍ୟ ବନ୍ଧାଯାଏ। ଏହି ସବୁ ବ୍ୟତୀତ ଡଙ୍ଗା ନିକଟରେ ଶିଳ, ଶିଳପୁଆ, ହଳ ଇତ୍ୟାଦି ମଧ୍ୟ ରଖି ପୂଜା କରାଯାଏ। ଶ୍ରାଦ୍ଧ ଆରମ୍ଭରେ ଦଶ ଦେବ, ସପ୍ତ ଋଷି, ପିତାଙ୍କ ପରିବାରର ତିନି ପୂର୍ବପୁରୁଷ, ମାମୁଁଘରର ତିନି ପୂର୍ବପୁରୁଷଙ୍କୁ ଆବାହନ କରାଯାଏ। ସେମାନଙ୍କୁ ପୁଷ୍ପ, ଚନ୍ଦନ, ଧୂପ ଦୀପ, ପ୍ରସାଦ ଇତ୍ୟାଦି ଅର୍ପଣ କରାଯାଏ। ତାହାପରେ କାଉଁରିଆ କାଠି ଅଗରେ ମୁଖ୍ୟ ଦୀପରୁ ନିଆଁ ଲଗାଇ ଦିଆଯାଏ ଓ ସେଗୁଡ଼ିକ ଛୋଟ ମଶାଲ ପରି ଜଳି ଉଠନ୍ତି। ଘରର ସମସ୍ତ ସଦସ୍ୟ ଏହି ଜଳନ୍ତା କାଠିଟିକୁ ଟେକି ଧରି ଆକାଶଆଡ଼କୁ ଦେଖାଇ ନିଜ ପିତୃପୁରୁଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥାନ୍ତି। ଏହି ସମୟରେ ପରିବାରର ସମସ୍ତେ ମିଶି ବଡ଼ବଡ଼ିଆଙ୍କ ଉଦ୍ଦେଶ୍ୟରେ ଡାକ ପକାଇଥାନ୍ତି ଯାହାକୁ “ବଡ଼ବଡ଼ିଆ ଡାକ” ବୋଲି କୁହାଯାଏ। ଏହିଦିନ ଛଅ ପୁରୁଷଙ୍କୁ ଆବାହନ କରି ପିଣ୍ଡଦାନ କରିବାର ବିଧି ରହିଛି। ପୂର୍ବପୁରୁଷଙ୍କୁ ସ୍ନେହ, ଶ୍ରଦ୍ଧା ସ୍ୱରୂପ ଏହି ଦିବସରେ ଆଲୋକବର୍ତ୍ତିକା ଧରି ଡାକନ୍ତି- “ବଡ଼ବଡ଼ୁଆ ହୋ! ଅନ୍ଧାରରେ ଆସି ଆଲୁଅରେ ଯାଅ। ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ।।” ଆଉ କେହି କେହି କହିଥାନ୍ତି – “ହେ ବଡ଼ ବଡ଼ ପିତୃ ଲୋକେ, ଅନ୍ଧାରରେ ଆସି ଆଲୁଅରେ ଯାଅ। ବାଇଶି ପାହାଚରେ ଗଡଗଡାଇ ଥାଅ।”