ରଜ ପର୍ବ : ସାମାଜିକ ଓ ପରିବେଶଗତ ମହତ୍ତ୍ୱ

ପ୍ରତିବର୍ଷ ଜୁନ୍ ମାସ ମିଥୁନ ସଂକ୍ରାନ୍ତି ଅବସରରେ ସମଗ୍ର ଓଡ଼ିଶା ରଜ ପର୍ବର ଆନନ୍ଦ ଓ ଉଲ୍ଲାସରେ ମୁଖରିତ ହୋଇଉଠେ । ଓଡ଼ିଆ ଜୀବନ ଓ ସଂସ୍କୃତିର ଏହି ଅନନ୍ୟ ପର୍ବ କେବଳ ଦୋଳି, ପିଠାପଣା ଓ ମନୋରଞ୍ଜନର ପର୍ବ ନୁହେଁ; ଏହା ନାରୀତ୍ୱ, ପ୍ରକୃତି, ଉର୍ବରତା, ସାମାଜିକ ସମନ୍ୱୟ ଏବଂ ପରିବେଶ ସଚେତନତାର ଏକ ଗଭୀର ସାଂସ୍କୃତିକ ପ୍ରତୀକ । ‘ରଜ’ ଶବ୍ଦଟି ‘ରଜସ୍ୱଳା’ ଶବ୍ଦରୁ ଉତ୍ପନ୍ନ । ଲୋକବିଶ୍ୱାସ ଅନୁଯାୟୀ ଏହି ତିନିଦିନ ଧରି ଧରିତ୍ରୀ ମାତା ଋତୁମତୀ ହୁଅନ୍ତି । ମୌସୁମୀ ବର୍ଷାର ଆଗମନ ସହିତ ଭୂମି ପୁନର୍ବାର ଶସ୍ୟଶ୍ୟାମଳା ହେବା ପାଇଁ ପ୍ରସ୍ତୁତ ହୁଏ । ଏହି ବିଶ୍ୱାସ ମାଧ୍ୟମରେ ରଜ ପର୍ବ ପ୍ରକୃତିର ସୃଜନଶୀଳ ଶକ୍ତିକୁ ସମ୍ମାନ ଜଣାଇଥାଏ ଏବଂ ମଣିଷ ଓ ପରିବେଶ ମଧ୍ୟରେ ଥିବା ଅନ୍ତରଙ୍ଗ ସମ୍ପର୍କକୁ ସ୍ମରଣ କରାଏ । ରଜ ପର୍ବର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ଏହାର ନାରୀକୈନ୍ଦ୍ରିକ ଦୃଷ୍ଟିଭଙ୍ଗୀ । ଏହି ପର୍ବ ନାରୀଙ୍କ ଋତୁସ୍ରାବକୁ ଅପବିତ୍ରତାର ପ୍ରତୀକ ଭାବେ ନୁହେଁ, ବରଂ ସୃଷ୍ଟି ଓ ଜୀବନଧାରାର ଏକ ସ୍ୱାଭାବିକ ଏବଂ ପବିତ୍ର ପ୍ରକ୍ରିୟା ଭାବେ ଗ୍ରହଣ କରିଥାଏ । ରଜ ସମୟରେ ମହିଳାମାନେ ଦୈନନ୍ଦିନ ଘରୋଇ କାର୍ଯ୍ୟ ଓ କୃଷିକାମରୁ ବିରତି ପାଇଥାନ୍ତି । ନୂଆ ବସ୍ତ୍ର ପରିଧାନ କରି, ଦୋଳି ଖେଳିବା, ଲୋକଗୀତ ଗାଇବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେମାନେ ଏହି ପର୍ବକୁ ଉପଭୋଗ କରିଥାନ୍ତି । ଏହା ନାରୀଙ୍କ ପ୍ରତି ସମାଜର ସମ୍ମାନ ଓ ସ୍ୱୀକୃତିର ଏକ ଅନନ୍ୟ ନିଦର୍ଶନ ରୂପେ ବିବେଚିତ । ରଜ ପର୍ବର ସାମାଜିକ ଗୁରୁତ୍ୱ ମଧ୍ୟ ଅପରିସୀମ । ଏହା ପରିବାର ଓ ସମାଜ ମଧ୍ୟରେ ସମ୍ପର୍କର ବନ୍ଧନକୁ ସୁଦୃଢ଼ କରିଥାଏ । ପରିବାରର ସଦସ୍ୟ, ସମ୍ପର୍କୀୟ ଏବଂ ପଡ଼ୋଶୀମାନେ ଏକତ୍ରିତ ହୋଇ ଆନନ୍ଦ ଉତ୍ସବରେ ସାମିଲ ହୁଅନ୍ତି । ଏହି ପର୍ବ ଗ୍ରାମାଞ୍ଚଳରେ ଦୋଳି, ମେଳା, ଲୋକସଙ୍ଗୀତ ଓ ସାମୂହିକ ଭୋଜନ ହିଁ ସାମାଜିକ ଏକତା ଏବଂ ସମ୍ପ୍ରୀତିକୁ ସୁଦୃଢ଼ କରିଥାଏ । ରଜ ପର୍ବ ପିଢ଼ିରୁ ପିଢ଼ିକୁ ସାଂସ୍କୃତିକ ମୂଲ୍ୟବୋଧର ସଂଚାର କରିଥାଏ । ରଜ ଅବସରରେ ପ୍ରସ୍ତୁତ ପାରମ୍ପରିକ ପିଠାପଣା ମଧ୍ୟ ଓଡ଼ିଆ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପୋଡ଼ପିଠା, ମଣ୍ଡାପିଠା, ଚକୁଳି ପିଠା ଓ ବିଭିନ୍ନ ଋତୁକାଳୀନ ଫଳକୁ ପରିବାର ଏବଂ ପଡ଼ୋଶୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । ଏହା କେବଳ ଖାଦ୍ୟ ସଂସ୍କୃତିର ପରିଚୟ ନୁହେଁ, ବରଂ ସାମାଜିକ ସମ୍ପର୍କ ଓ ଆତ୍ମୀୟତାର ମଧୁର ପ୍ରକାଶ । ରଜ ପର୍ବର ପରିବେଶଗତ ଦିଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ଷା ଋତୁର ଆରମ୍ଭରେ ପାଳିତ ଏହି ପର୍ବ ସମୟରେ ଚାଷ, ହଳକର୍ଷଣ, ମାଟି ଖୋଳିବା ଭଳି କାର୍ଯ୍ୟରୁ ବିରତ ରହିବାର ପରମ୍ପରା ରହିଛି । କାରଣ ଧରିତ୍ରୀ ମାତା ଋତୁମତୀ ଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଏ । ଧାର୍ମିକ ବିଶ୍ୱାସର ଆବରଣ ଭିତରେ ଲୁକ୍କାୟିତ ଏହି ପରମ୍ପରା ବାସ୍ତବରେ ପରିବେଶ ସୁରକ୍ଷା ଓ ମୃତ୍ତିକା ସଂରକ୍ଷଣର ଏକ ସୁନ୍ଦର ଉଦାହରଣ । ଆଧୁନିକ ପରିବେଶ ବିଜ୍ଞାନ ମୃତ୍ତିକାର ସ୍ୱାସ୍ଥ୍ୟ, ଜୈବ ବିବିଧତା ଏବଂ ସ୍ଥାୟୀ କୃଷିର ଗୁରୁତ୍ୱ ଉପରେ ଯେଉଁ ଜୋର ଦେଉଛି, ରଜ ପର୍ବର ପରମ୍ପରା ସେହି ଚିନ୍ତାଧାରାକୁ ବହୁ ପୂର୍ବରୁ ପ୍ରତିଫଳିତ କରିଆସିଛି । ଏହା ମଣିଷକୁ ସ୍ମରଣ କରାଏ ଯେ ପୃଥିବୀ କେବଳ ଉପଭୋଗ ପାଇଁ ଥିବା ଏକ ସମ୍ପଦ ନୁହେଁ, ବରଂ ଜୀବନର ଆଧାର ଅଟେ ।

ରଜର ଦୋଳି ମଧ୍ୟ ପ୍ରକୃତି ସହିତ ମଣିଷର ସମ୍ପର୍କର ଏକ ପ୍ରତୀକ । ବୃକ୍ଷ ଶାଖାରେ ବନ୍ଧା ଦୋଳିରେ ଝୁଲିବା କେବଳ ମନୋରଞ୍ଜନ ନୁହେଁ; ଏହା ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ସହାବସ୍ଥାନର ଏକ ସାଂସ୍କୃତିକ ପ୍ରକାଶ । ଏପରି ପରମ୍ପରା ଲୋକମାନଙ୍କ ମନରେ ବୃକ୍ଷ ଓ ପ୍ରାକୃତିକ ପରିବେଶ ପ୍ରତି ମମତା ସୃଷ୍ଟି କରେ । ବର୍ତ୍ତମାନ ସମୟରେ ରଜ ପର୍ବର ପ୍ରାସଙ୍ଗିକତା ଆହୁରି ବଢ଼ିଯାଇଛି । ଜଳବାୟୁ ପରିବର୍ତ୍ତନ, ପରିବେଶ ଅବକ୍ଷୟ ଓ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ ମାନବ ସଭ୍ୟତା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନ୍ୟପକ୍ଷରେ, ଋତୁସ୍ରାବ ସମ୍ପର୍କିତ ସାମାଜିକ କୁସଂସ୍କାର ଏବେ ମଧ୍ୟ ଅନେକ ସ୍ଥାନରେ ବିଦ୍ୟମାନ । ଏଭଳି ପରିପ୍ରେକ୍ଷୀରେ ରଜ ପର୍ବ ନାରୀ ଜାତିର ସମ୍ମାନ, ପ୍ରକୃତି ପ୍ରତି ଶ୍ରଦ୍ଧା ଏବଂ ସାମାଜିକ ସମନ୍ୱୟର ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରେ ।ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଓ ନୀତି ନିର୍ଦ୍ଧାରକମାନେ ରଜ ପର୍ବରୁ ଅନେକ ଶିକ୍ଷା ଗ୍ରହଣ କରିପାରିବେ । ଏହି ପର୍ବ ପରିବେଶ ସଚେତନତା, ଲିଙ୍ଗ ସମାନତା, ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ସାଂସ୍କୃତିକ ସଂରକ୍ଷଣ ପାଇଁ ଏକ ଉପଯୁକ୍ତ ମାଧ୍ୟମ ଅଟେ । ତେଣୁ ରଜ ପର୍ବ କେବଳ ଏକ ଋତୁକାଳୀନ ଉତ୍ସବ ନୁହେଁ; ଏହା ଓଡ଼ିଶାର ସାଂସ୍କୃତିକ ଦର୍ଶନର ଏକ ଜୀବନ୍ତ ପ୍ରତୀକ । ନାରୀତ୍ୱର ସମ୍ମାନ, ସାମାଜିକ ଏକତା ଏବଂ ପରିବେଶ ସଚେତନତାର ଯେଉଁ ବାର୍ତ୍ତା ରଜ ପର୍ବ ଦେଇଥାଏ, ତାହା ଆଜିର ବିଶ୍ୱ ପରିପ୍ରେକ୍ଷୀରେ ମଧ୍ୟ ପ୍ରାସଙ୍ଗିକ ମନେହୁଏ । ରଜର ଅନ୍ତର୍ନିହିତ ମୂଲ୍ୟବୋଧକୁ ଅନୁଭବ କରିପାରିଲେ ଆମେ ଏକ ସନ୍ତୁଳିତ, ସମତାଭିତ୍ତିକ ଓ ସ୍ଥାୟୀ ଭବିଷ୍ୟତ ଗଢ଼ିପାରିବା ।

 

ଡ଼ଃ ବିଭୂତି ଭୂଷଣ ମଲିକ
କୁଳପତି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ପ୍ରଜ୍ଞା ବିହାର, ବଲାଙ୍ଗିର

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.