ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବୁଧବାର ଦିନ ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ସଂଘ ପକ୍ଷରୁ କୁହାଯାଇଛି ଯେ, ୧୪ ବର୍ଷ ଧରି ଆମ୍ଭେମାନେ ପଞ୍ଚାୟତ ସ୍ତରରେ ଯୋଗାଣ ବିଭାଗର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଯଥା PDS ମାଧ୍ୟମରେ ରାସନ ସାମଗ୍ରୀ ବଣ୍ଟନ, ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ, ନିର୍ବାଚନ କାର୍ଯ୍ୟ, କୋଭିଡ-୧୯ ସମୟରେ ଜନସେବା ଏବଂ ବର୍ତ୍ତମାନ ଚାଲିଥିବା e-KYC କାର୍ଯ୍ୟ ନିଷ୍ଠା, ଦକ୍ଷତା ଓ ସଡତାର ସହିତ ସମ୍ପାଦନ କରିଆସୁଛୁ। ଦୀର୍ଘ ୧୪ ବର୍ଷର ଅଭିଜ୍ଞତା ଓ ନିରନ୍ତର ସେବା ସତ୍ତ୍ୱେ, ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାର୍ଯ୍ୟରତ ଅଛୁ ଏବଂ ମାତ୍ର ୮,୦୦୦/- ଟଙ୍କା ମାସିକ ପାରିଶ୍ରମିକ ପାଇଛୁ। ଏହି ସ୍ୱଚ୍ଛ ପାରିଶ୍ରମିକରେ ବର୍ତ୍ତମାନର ଦ୍ରବ୍ୟମୂଲ୍ୟ ବୃଦ୍ଧି ପରିସ୍ଥିତିରେ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଆମେ ସମସ୍ତେ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ହେବା ସହିତ ଦୀର୍ଘ ଅଭିଜ୍ଞତା ମଧ୍ୟ ଅର୍ଜନ କରିଛୁ। ପୂର୍ବରୁ ଗ୍ରାମ ରୋଜଗାର ସେବକ (GRS) ମାନଙ୍କୁ ସ୍ଥାୟୀକରଣ କରାଯାଇ ADED ପଦବୀ ପ୍ରଦାନ କରାଯାଇଥିବା ପରିପ୍ରେକ୍ଷୀରେ, ଆମ୍ଭମାନଙ୍କ ପ୍ରତି ମଧ୍ୟ ସମାନ ନ୍ୟାୟସଙ୍ଗତ ବିଚାର କରି ଚାକିରି ସ୍ଥାୟୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଆମେ ଦୃଢ଼ ଭାବେ ଦାବି କରୁଛୁ। ଆମ୍ଭେ ସରକାରଙ୍କ ନୂତନ CMAY ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ ପୂର୍ଣ୍ଣ ସମର୍ଥନ ଓ ସମ୍ମାନ ଜଣାଇ ଏହାର ସଫଳ କାର୍ଯ୍ୟାନ୍ଵୟନ ପାଇଁ ସଦା ପ୍ରସ୍ତୁତ ଅଛୁ। ତଥାପି, ଆମମାନଙ୍କର ଦୀର୍ଘଦିନର ନ୍ୟାୟୋଚିତ ଦାବି ଯଦି ଆସନ୍ତା ୧୦ ଜୁଲାଇ ୨୦୨୬ ସୁଦ୍ଧା ପୂରଣ ନହୁଏ, ତେବେ ସଂଘ ବାଧ୍ୟ ହୋଇ ସେହି ତାରିଖ ଠାରୁ ସାମୂହିକ ଛୁଟି (Mass Leave) ଗ୍ରହଣ କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଆରମ୍ଭ କରିବ। ଏହା ସହିତ ଆଗାମୀ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ବଣ୍ଟନ କାର୍ଯ୍ୟ ମଧ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବ। ଅତଏବ, ଆମ୍ଭମାନଙ୍କର ନ୍ୟାୟସଙ୍ଗତ ଦାବିକୁ ସହାନୁଭୂତିର ସହିତ ବିଚାର କରି ଯଥାଶୀଘ୍ର ଚାକିରି ସ୍ଥାୟୀକରଣ ସମ୍ବନ୍ଧରେ ସକାରାତ୍ମକ ଓ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିନମ୍ର ଅନୁରୋଧ କରୁଛୁ।





