ଓଡିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ତିନି ଦିନିଆ ରଜ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ମଙ୍ଗଳବାର ରାତ୍ରରେ ଉଦଯାପିତ ହୋଇଯାଇଛି l ଏହି ଅବସରରେ ତିନିଦିନ ଧରି ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଦୋଳି ଖେଳ, ରଜଗୀତ, ପୋଡ଼ପିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ଆସର ଜମିଥିଲା । ଯୁବତୀ ମାନେ ନୂତନ ପୋଷାକ ପିନ୍ଧି ରଜ ପାଳନ କରୁଥିବା ବେଳେ ଶିଶୁ ଓ ଯୁବବର୍ଗ ମଧ୍ୟ ଏହି ପର୍ବରେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ରଜ ଦୋଳି, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଥିଲା l ଓଡ଼ିଆ ଲୋକ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କୁ ଆଖି ଆଗରେ ରଖି ସ୍ଥାନୀୟ ଟାଉନର ଦଣ୍ଡପାଣି ଲଜ ମାଲିକ ପଦ୍ମନାଭ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଲଜ ର ସାଂସ୍କୃତିକ ଭବନ ପରିସରରେ ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ଉଦଯାପିତ ଉତ୍ସବରେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ପରିଦର୍ଶକ ତଥା ବରିଷ୍ଠ ସାଂସ୍କୃତିକ କଳାକାର ନାରାୟଣ ବରାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ତିନିଦିନ ଧରି ଆୟୋଜିତ ଏହି ଉତ୍ସବ ରେ ଅଞ୍ଚଳ ର ଶତାଧିକ ବିବାହିତ ମହିଳା, ଝିଅ, ଶିଶୁ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଅତିଥି ଙ୍କ ଠାରୁ “ଦଣ୍ଡପାଣି ପାଣିଗ୍ରାହୀ ସ୍ମାରକୀ” ରେ ସମ୍ମାନିତ କରାଯାଇଥିଲା l ଏଥିରେ ବିଚାରକ ଭାବେ ନାରାୟଣ ବରାଳ ଏବଂ ଓଡ଼ିଶୀ ନୃତ୍ୟ ଗୁରୁ କେଦାର ନାଥ ନାୟକ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ପରିଚାଳନା ନିର୍ଦେଶିକା ପ୍ରିୟଦର୍ଶନୀ ପାଣିଗ୍ରାହୀ ଉପସ୍ଥିତ ରହି ଅତିଥି ତଥା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ଅନୁଷ୍ଠାନର ସଦସ୍ୟ ନିକିତା ପାଣିଗ୍ରାହୀ, ଅଙ୍କିତା ପାଣିଗ୍ରାହୀ, ପ୍ରତୀକ ପାଣିଗ୍ରାହୀ, ଦେବାଶିଷ ଦାସ, ବିନାୟକ ଦାସ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l





