ରଜ ଦୋଳି ସାଙ୍ଗକୁ ପିଠା ଓ ପାନର ଆସରରେ ମୁଗ୍ଧ ହେଲେ ପର୍ଯ୍ୟଟକ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆଙ୍କ ଗଣପର୍ବ ରଜ ଅବସରରେ ଚାନ୍ଦିପୁର ପାନ୍ଥନିବାସ ପରିସର ଉତ୍ସବମୁଖର ହୋଇଉଠିଛି। ରବିବାର ପହିଲି ରଜ ଅବସରରେ ଏଠାରେ ତିନିଦିନିଆ ରଜ ମହୋତ୍ସବର ଶୁଭ ଉଦ୍ଘାଟନ ହୋଇଥିବା ବେଳେ ରଜ ଦୋଳି, ପିଠା ଓ ପାନର ସ୍ୱତନ୍ତ୍ର ଆୟୋଜନ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ବେଶ୍ ଆକର୍ଷିତ କରିଛି। ଏହି ମହୋତ୍ସବ ୧୬ ଜୁନ ପର୍ଯ୍ୟନ୍ତ ଚାଲିବ।
ପାନ୍ଥନିବାସର ମ୍ୟାନେଜର ପ୍ରଶାନ୍ତ କୁମାର ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସହ ପାନ୍ଥନିବାସର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ରଜ ଦୋଳିର ଶୁଭାରମ୍ଭ ପରେ କୁନି କୁନି ଝିଅମାନଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଦୋଳି ଖେଳି ରଜର ଆନନ୍ଦ ଉପଭୋଗ କରିଥିଲେ। ରଜ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ପାନ୍ଥନିବାସ ପକ୍ଷରୁ ସ୍ୱତନ୍ତ୍ର ପିଠା ଷ୍ଟଲ୍ ଖୋଲାଯାଇଛି। ଏଠାରେ ପୋଡ଼ପିଠା, ଆରିଷା, କାକରା, ଛେନା ମଣ୍ଡା, ସିଝା ମଣ୍ଡା ଓ ସ୍ୱତନ୍ତ୍ର ରଜ ପାନ ଉପଲବ୍ଧ ରହିଛି। ଏହାର ମୂଲ୍ୟ ୧୦ ଟଙ୍କାରୁ ୩୦ ଟଙ୍କା ମଧ୍ୟରେ ରଖା ଯାଇଥିବାରୁ ପର୍ଯ୍ୟଟକମାନେ ବେଶ୍ ଆକୃଷ୍ଟ ହୋଇଛନ୍ତି।

ପହିଲି ରଜ ଦିନରେ ୨୦ରୁ ଅଧିକ ଯୁବତୀ ଓ କିଶୋରୀ ଦୋଳି ଖେଳିବା ସହ ସେଲ୍ଫି ଉଠାଇ ଉତ୍ସବର ସ୍ମୃତି ସାଉଁଟିଥିଲେ। ଗ୍ରାମାଞ୍ଚଳରେ ଆମ୍ବତୋଟାରେ ରଜ ଦୋଳିର ପୁରୁଣା ପରମ୍ପରା ଏବେ କମି ଯାଇଥିବା ବେଳେ, ପାନ୍ଥନିବାସର ଏହି ଆୟୋଜନ ସେହି ସ୍ମୃତିକୁ ପୁନର୍ଜୀବିତ କରୁଥିବା ଦେଖିବାକୁ ମିଳିଛି। ମ୍ୟାନେଜର ପ୍ରଶାନ୍ତ କୁମାର ଲେଙ୍କା କହିଛନ୍ତି, “ଚାନ୍ଦିପୁର ପାନ୍ଥନିବାସ ଗ୍ରାମୀଣ ପରିବେଶ ମଧ୍ୟରେ ଅବସ୍ଥିତ। ସେଥିପାଇଁ ପ୍ରତିବର୍ଷ ତିନିଦିନ ଧରି ଏଠାରେ ରଜ ଉତ୍ସବ ପାଳନ କରାଯାଏ। ସମୁଦ୍ରର ମନୋରମ ପରିବେଶ ସହ ରଜ ଦୋଳି, ପିଠା ଓ ପାନର ଆୟୋଜନ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ନିଆରା ଅନୁଭୂତି ପ୍ରଦାନ କରୁଛି।” ରଜର ପାରମ୍ପରିକ ରଙ୍ଗ ଓ ଗ୍ରାମ୍ୟ ସଂସ୍କୃତିର ସୁଗନ୍ଧକୁ ନେଇ ଚାନ୍ଦିପୁର ପାନ୍ଥନିବାସର ଏହି ଆୟୋଜନ ଏବେ ପର୍ଯ୍ୟଟକଙ୍କ ପାଇଁ ଏକ ବିଶେଷ ଆକର୍ଷଣ ପାଲଟିଛି କହିଲେ ଭୁଲ୍ ହେବନାହିଁ।





