ବଜ୍ରାଘାତରେ ୪ ଶିଶୁ ଗୁରୁତର; ଆମ୍ବ ଗୋଟାଉଥିବାବେଳେ ଘଟିଲା ଅଘଟଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆମ୍ବ ଗୋଟାଉଥିବା ବେଳେ ହଠାତ୍ ବଜ୍ରପାତର ଶିକାର ହୋଇ ୪ ଜଣ ଆଦିବାସୀ ଶିଶୁ ଗୁରୁତର ଆହତ ହୋଇଛନ୍ତି। ରବିବାର ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକ୍‌ର ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡୁ ଗାଁରେ କିଛି ଶିଶୁ ଆମ୍ବଗଛ ତଳେ ଆମ୍ବ ଗୋଟାଉଥିଲେ। ଏହି ସମୟରେ ହଠାତ୍ ବର୍ଷା ପବନ ସହିତ ଘଡ଼ଘଡ଼ି ମାରିଥିଲା ଏବଂ ବଜ୍ରପାତ ହୋଇଥିଲା। ଫଳରେ ଡ୍ରିଞ୍ଜୁ ମାଝୀ, ଖେତ୍ରୁ ମାଝୀ, ମଣ୍ଡି ମାଝୀ ଓ ମନୁ ମାଝୀ ନାମକ ଚାରିଜଣ ଶିଶୁ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଶିଶୁମାନଙ୍କୁ ଉଦ୍ଧାର କରି ପ୍ରଥମେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରେ ପହଞ୍ଚି ଗୁରୁତର ଶିଶୁମାନଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ହସ୍ପିଟାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.