ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଡବଲ ଇଞିନ ସରକାରରେ ରାଜ୍ୟରେ ଆଇନ ଶୃଂଖଳା ପରିସ୍ଥିତି ବିପର୍ଯ୍ୟୟ ହେଲାଣି | ମହିଳାଙ୍କ ବିରୋଧରେ ହିଂସା ବଢ଼ିଲାଣି, ବେରୋଜଗାର ବଢ଼ୁଛି, ଆଦିବାସୀଙ୍କ ବିରୋଧରେ ଅତ୍ୟାତାର ବଢ଼ିଲାଣି ଏଣୁ ଓଡିଶାରେ ବିକଳ୍ପ ସରକାର ପାଇଁ ଆମ ଆଦମୀ ପାର୍ଟି ପ୍ରସ୍ତୁତ ହେଉଛି ବୋଲି ଆପର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଆଜି ରାୟଗଡା ଠାରେ ଗଣମାଧ୍ୟମକୁ କହିଛନ୍ତି । ବିଜେପି ସରକାର ଗତ ୨ବର୍ଷ ଶାସନରେ ଏକ ତିକ୍ତ ଅନୁଭୁତି ଦେଇ ଆସ୍ଥା ହରାଉଛି ଏଣୁ ଆପ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ ଓଡିଶାରେ ଲୋକଙ୍କ ସମସ୍ୟାରେ ଭାଗିଦାର ହୋଇ ସଂଗଠନ ମଜବୁତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏବଂ ଆଗାମି ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଆପ ଦୃଢ଼ତାର ସହ ଲଢ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ରାୟଗଡା ଜିଲ୍ଲାରେ ଆମ ଆଦମୀ ପାର୍ଟିର ଚାଲିଥିବା ସଦସ୍ୟତା ଅଭିଯାନ, ସଂଗଠନର ଦୃଢ ନିର୍ମାଣ ଦିଗକୁ ଏବଂ ଆଗାମୀ ଦୁଇ ସପ୍ତାହରେ ଜିଲ୍ଲାକୁ କେନ୍ଦ୍ରୀୟ ନେତୃତ୍ୱ ଗସ୍ତର ପୂର୍ବ ପ୍ରସ୍ତୁତିକୁ ସମୀକ୍ଷା କରିବାକୁ ଦଳର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଆଜି ରାୟଗଡାରେ ପହଞ୍ଚିଛନ୍ତି । ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଦଳୀୟ କର୍ମୀମାନେ ଶ୍ରୀ ମହାପାତ୍ରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଯୋଗ ଦେଇ ଆପ ଦଳର ସଦସ୍ୟତା ଅଭିଯାନ ରାଜ୍ୟରେ ଦ୍ରୁତ ଗତିରେ ଚାଲିବା ସହ ରାୟଗଡା ଜିଲ୍ଲାରେ ମଧ୍ୟ ଜୋରଦାର ରେ ଏହି ଅଭିଯାନ ଚାଲିଥିବା କହିଛନ୍ତି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଦଳର କେନ୍ଦ୍ରୀୟ ନେତୃତ୍ୱ ରାୟଗଡା ଜିଲ୍ଲା ଗ୍ରସ୍ତ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ନେତୃତ୍ୱାଧୀନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ରାଜ୍ୟରେ ଅରାଜକତା ବୃଦ୍ଧି ପାଇଛି । ବିରୋଧୀ ଭୂମିକାରେ ଅନ୍ୟ ଦଳକୁ ଲୋକେ ବିଶ୍ୱାସକୁ ନେଇ ପାରୁ ନ ଥିବା ବେଳେ ଆପ ଦଳକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଆଜି ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଜନ୍ମେଜୟ ସ୍ୱାଇଁ, ଜିଲ୍ଲା ଲିଗାଲ ସେଲ ସଭାପତି ଗୁରୁ ପ୍ରସାଦ ସାହୁ, ଆଦିବାସୀ ମୋର୍ଚ୍ଚା ସଭାପତି ଟି.ସାଙ୍ଗନା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।





