ପଞ୍ଚସଖା ଯୁଗରେ ସାମାଜିକ ବ୍ୟବସ୍ଥାର ଏକ ପ୍ରତିଫଳନ ବଳରାମ ଦାସକୃତ ଲକ୍ଷ୍ମୀ ପୁରାଣ। ତତ୍କାଳୀନ ସମାଜରେ ନାରୀର ସ୍ଥାନ ଥିଲା ଅତି ଗୌଣ। ନାରୀ କୌଣସି ନିଷ୍ପତ୍ତି ନେଇପାରୁ ନଥିଲା। ପୁରୁଷ ଉପରେ ନିର୍ଭର କରି ଜୀବନ ଅତିବାହିତ କରୁଥିଲା। ନାରୀ ପାଖରେ ସମସ୍ତ ପ୍ରକାର ଦକ୍ଷତା ଥିଲେ ମଧ୍ୟ ପ୍ରତିପାଦିତ କରିପାରୁନଥିଲା। ପୁରୁଷ ଛାଇ ପରି ନାରୀପଛରେ ସର୍ବଦା ରହିଥିଲା।ରକ୍ଷଣଶୀଳତା ସମାଜ ଭିତରେ ନାରୀ ନିଜ ଜୀବନକୁ ବିପନ୍ନ ମନେକରୁଥିଲା। ଭିତରେ ଭିତରେ ପ୍ରତିବାଦ କରିବାର ବହ୍ନି ଜାଗରଣ ହେଲେ ଚୁପଚାପ ରହିବା ଶ୍ରେୟସ୍କର ଭାବୁଥିଲା।ମାଣବସା ଗୁରୁବାର ଲକ୍ଷ୍ମୀ ପୁରାଣର ଏକ କଥାବସ୍ତୁ ଅଟେ।ସମଗ୍ର ଲକ୍ଷ୍ମୀ ପୁରାଣରେ ମାଣଦେବୀଙ୍କ ଲକ୍ଷ୍ମୀ ଜଗନ୍ନାଥ କଳି ସାମାଜିକ ନ୍ୟାୟ ଓ ନାରୀ ସୁରକ୍ଷା ବ୍ୟବସ୍ଥାକୁ ସୂଚିତ କରେ। ପୁରୁଷ ଯେତେବେଳେ ନାରୀ ସ୍ବାଧୀନତାକୁ ଗୁରୁତ୍ୱ ନଦେଇ ନିଜ କ୍ଷମତାକୁ ଯଥାର୍ଥତା ମନେକରେ ସେତେବେଳେ ମାଣବସା ଗୁରୁବାର କଥାବସ୍ତୁ ବେଶ ପ୍ରାସଙ୍ଗିକ ମନେହୁଏ। ପୁରୁଷ ଚିନ୍ତାକରେ ନାରୀ ସ୍ବାଧିନତା ନାରୀକୁ ସ୍ବେଚ୍ଚାଚାରିଣୀ କରେ।ସମାଜରେ ଅସ୍ଥିରତା ସୃଷ୍ଟି କରେ ନାରୀ।ତେଣୁ ନାରୀ ସବୁବେଳେ ପୁରୁଷର ପାଣ୍ଡୋଇ ହୋଇ ରହିବା ଠିକ୍। ପୁରୁଷ ଯେମିତି ଚାହିଁବ ନାରୀ ସେମିତି ବସଉଠ୍ ହେବ। ଏହା ପୁରୁଷର ନାରୀ ଉପରେ ବଳପୂର୍ବକ ଚାପ ହେଇପାରେ।ବଳରାମ ଦାସ ମାଣବସା ମାଧ୍ୟମରେ ନାରୀକୁ ଶକ୍ତି ଓ କ୍ଷମତାର କେନ୍ଦ୍ର ଭାବରେ ଉପସ୍ଥାପିତ କରିଛନ୍ତି।ମାଣବସା ଗୁରୁବାରରେ ଅନ୍ନର ଦେବୀ ମହାଲକ୍ଷ୍ମୀଙ୍କ ପ୍ରଭାବକୁ ପୁରୁଷ କୈନ୍ଦ୍ରିକ ସମାଜର ଏକ ପ୍ରତିଫଳନ କୁହାଯାଇପାରେ।ପୁରୁଷର ଅହଂକାର ଓ ବଡପଣ ଚୁରମାର ହୋଇଛି ମାଣବସା ଗୁରୁବାର ଆଖ୍ୟାୟିକାରେ।ନାରୀର ସ୍ଥାନ ସମାଜର ଗତିଶୀଳତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ନାରୀ କେବଳ ପୁରୁଷର ସେବାକାରିଣୀ ନୁହେଁ।ସେ ମଧ୍ୟ ସୃଷ୍ଟି କାରିଣୀ।ନାରୀର ଶୁଭ ଦୃଷ୍ଟି ପୁରୁଷକୁ ସଫଳ କରିବାରେ ବିଶେଷ ସହାୟକ ହୋଇଥାଏ।
ମାଣବସାର କାହାଣୀ ଅନୁସାରେ ଲକ୍ଷ୍ମୀଙ୍କୁ ନଗ୍ର ଭ୍ରମଣ କରିବାରେ ବାରଣ କରିବା ଏବଂ ବାରଣ କରିବା ପରେ ମଧ୍ୟ ନଗ୍ର ଭ୍ରମଣକୁ ଯିବା। ପୁଣି ଜାତିଗୋତ୍ର ନମାନି ଚଣ୍ଡାଳ ସାହିର ଶ୍ରୀୟା ଘରକୁ ଯିବା ଓ ବରଦାନ କରିବା। ବଳରାମଙ୍କ ଆଦେଶରେ ଜଗନ୍ନାଥ ଲକ୍ଷ୍ମୀଙ୍କୁ ଛାଡପତ୍ର ଦେବା। ଦୁଇ ଭାଇଙ୍କୁ ବାରବର୍ଷ ଅନ୍ନ ନମିଲିବା। ଲକ୍ଷ୍ମୀଙ୍କୁ ତ୍ୟାଗକରି ଅନେକ କଷ୍ଟ ସହିବା ପରେ ଅନୁତପ୍ତ ହେବା। ଶେଷରେ ଲକ୍ଷ୍ମୀଙ୍କର ଦୁଆରରେ ପ୍ରବେଶ କରିବା। ଚଣ୍ଡାଳୁଣୀ ଘରେ ବିଜେକରିଥିବା ଲକ୍ଷୀଙ୍କ ହାତ ରନ୍ଧା ଖାଇବା। ଲକ୍ଷୀ ହାତରନ୍ଧା ଖାଇ ଦୁଇଭାଇ ତୃପ୍ତ ହେବା।ବଳରାମଙ୍କ ଆଦେଶ ଅନୁସାରେ ପୁଃନ ଜଗନ୍ନାଥ ଲକ୍ଷ୍ମୀଙ୍କୁ ଗ୍ରହଣ କରିବା। ଜଗନ୍ନାଥଙ୍କ ଠାରେ ଲକ୍ଷ୍ମୀ ଠାକୁରାଣୀ ସର୍ତ୍ତ ରଖିଲେ। “ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ। ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ।। ହାଡିର ହସ୍ତୁର ବ୍ରାହ୍ମଣ ଛଡାଇ ଖାଇବେ।ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ।। ଅନ୍ନ ଖାଇ ସର୍ବେ ମୁଣ୍ଡ ପୋଛୁଥିବେ ହସ୍ତ। ତେବେ ବଡ ଦେଉଳକୁ ଯିବି ଜଗନ୍ନାଥ।।” ପୁଣି ବଳରାମ ଦାସଙ୍କ ଭାଷାରେ – “ବଳରାମ କହୁଛନ୍ତି ଶୁଣରେ କହ୍ନାଇ। ଘରକୁ ଘରଣୀ ସିନା ସୁନ୍ଦର ଦିଶଇ।।ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇଭାଇ। ଚୋରଖଣ୍ଟ ବୋଲି ଦେଉଥିଲେ ଘଉଡାଇ।। ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ।ଲକ୍ଷ୍ମୀ ଏଡେ ବଡ ବୋଲି ଏବେ ଜାଣିଲଇଁ।।”
ମୋଟାମୋଟି ଭାବରେ ଏମିତି ଏକ କାହାଣୀ ରହିଛି ମାଣବସା ଲକ୍ଷ୍ମୀ ପୁରାଣରେ। ବଲରାମ ଦାସକୃତ ବାଣବସାରେ ଏକ ସୁନ୍ଦର ମିଥ୍ ରହିଛି। ଏକ ପାରିବାରିକ ଘଟଣା ମାଧ୍ୟରେ ସମାଜକୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି ବଳରାମ ଦାସ। ପରିବାରର ମୂଖ୍ୟ ସ୍ତ୍ରୀ ଓ ସ୍ବାମୀ ମଧ୍ୟରେ ଉତ୍ତମ ବୁଝାମଣା ଓ ସଂପର୍କ ରହିବା ଜରୁରୀ। ଦୁଇଜଣକଙ୍କ ବିଚାର ଓ ଭାବନାରେ ଅସାମଞ୍ଜସ୍ୟ ପରିଦୃଷ୍ଟ ହେଲେ କଥା ବାହାରକୁ ପ୍ରଘଟ ହୋଇଥାଏ। ପରସ୍ପର ପ୍ରତି ସନ୍ଧେହ ଓ ସନ୍ଧିହାନ ରଖିଲେ ଦାମ୍ପତ୍ୟ ଜୀବନ ବିପର୍ଯ୍ୟସ୍ତ ହୋଇଥାଏ। ପୁରୁଷ ଯେମିତି ସ୍ବାଧୀନ ଭାବରେ ବିଚରଣ କରେ ନାରୀକୁ ମଧ୍ୟ ସେମିତି ସ୍ବାଧୀନତା ଆବଶ୍ୟକ। ଅବଶ୍ୟ ନାରୀ ମହାନ ଉଦ୍ଦେଶ୍ୟରେ ହିଁ ସ୍ବାଧୀନତା ଆବଶ୍ୟକ କରିଥାଏ। ପୁରୁଷ ଯଦି ନାରୀପ୍ରତି ଅବିଚାର କରେ ତାର ଫଳ ଭୋଗ କରିବା ସ୍ବାଭାବିକ। ନାରୀ ଯେତିକି ସହନଶୀଳା ସେତିକି ମଧ୍ୟ ସେ ସଂହାରକାରିଣୀ। ତେଣୁ ନାରୀକୁ ସମାଜରେ ଉପଯୁକ୍ତ ସ୍ଥାନ ଦେବା ଉଚିତ। ମାଣବସା ଲକ୍ଷୀପୁରାଣରେ ମହାଲକ୍ଷ୍ମୀ ସମଗ୍ର ନାରୀମାନଙ୍କ ଏକ ଆଦର୍ଶ। ଧନର ଦେବୀ ଭାବରେ ଯେତିକି ପୂଜନୀୟା, ସମାଜରେ ନାରୀକୁ ଶ୍ରେଷ୍ଠତ୍ଵ ପ୍ରତିପାଦନ ନିମନ୍ତେ ସେତିକି ବନ୍ଦନୀୟା।ନାରୀ ବିନା ପୁରୁଷର ଅସ୍ତିତ୍ଵ ହିଁ ନାହିଁ। ନାରୀ ସହନଶୀଳତା ଓ ତ୍ୟାଗର ପ୍ରତୀକ। ତେଣୁ ତ ପୁରୁଷ ପରି ନାରୀ ମଧ୍ୟ ସମାଜରେ ଗ୍ରହଣୀୟ ହେବା ହିଁ ନାରୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା। ମାଣବସାରେ ନାରୀର ଗାରିମା କଥା ବ୍ୟତୀତ ଉତ୍ତମ ନାରୀ ହେବା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ନାରୀ କେଉଁ ସବୁ ଗୁଣରେ ଭୁଷିତ ହେବ ଓ ଦୈନନ୍ଦିନ ଜୀବନ ଅତିବାହିତ କରିବ ସେହି ବିଷୟରେ ବଳରାମ ଦାସ କହିଛନ୍ତି। ଅବଶ୍ୟ ନାରୀ ସଂପର୍କରେ କିଛି ଉପଦେଶ ଗ୍ରହଣୀୟ ହୋଇପାରୁନାହିଁ। ଆଜିର ଉଚ୍ଚଶିକ୍ଷା ସଂପନ୍ନ ନାରୀମାନ ଭିନ୍ନ ଅର୍ଥରେ ଗ୍ରହଣ କରିଥାନ୍ତି।ଯେମିତି “ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନଦେବ। ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ।। ଯେଉଁ ନାରୀ ଗୁରବାର ଦିନରେ ଆମିଷ। ଭୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ।। ଭୁଞ୍ଜଇ ଉଚ୍ଛିଷ୍ଟ କିବା ଲଗାଏ ଯେ ତେଲ। ମହାଲକ୍ଷ୍ମୀ ତାର ନିଶ୍ଚେ ଭାଙ୍ଗିବେଟି ଗେଲ।। ଗୁରୁବାରେ ଯେଉଁ ନାରୀ ପୋଡା ଦ୍ରବ୍ଯ ଖାଏ। ଶୋଇବା ଶଯ୍ୟାକୁ ବଙ୍କା କରିଣ ବିଛାଏ।। ଶାଶୁ ଶ୍ବଶୁରଙ୍କୁ ନ ମାନଇ ଯେ ରମଣୀ। ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ।। ଯେଉଁ ନାରୀ ସ୍ବାମୀଙ୍କୁ ଦେବତା ସମ ମଣି। ସେବାକରି ତୋଷୁଥାଏ ତାର ମତି ଚିହ୍ନି।। ପତିଙ୍କ ଆଜ୍ଞାକୁ କେଭେ ନପକାଏ ତଳେ। ସ୍ବାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ।।” ଏକ ସୁନ୍ଦର ବିଚାର ଧାରାରେ ପରିବାରର ପାଇଁ ଏ ସବୁ ଅବଶ୍ୟ ଆବଶ୍ୟକତା ରହିଛି। ନାରୀ ସହ ପୁରୁଷ ଲୋକମାନେ ମଧ୍ୟ ସଦାଚାରରେ ରହିବା କଥା କୁହାଯାଇଛି ମଣାବସା ଲକ୍ଷ୍ମୀ ପୁରାଣରେ। ବିନାଦୋଷରେ ନାରୀକୁ ପରକଲେ ପୁରୁଷକୁ ପରିଣାମ ଭୋଗିବାକୁ ପଡିଥାଏ। ନାରୀ ଗୃହ ଲକ୍ଷ୍ମୀ ସେ ନିଜକୁ ଏମିତି ଅନୁଭବ କଲେ ପରିବାରର କଲ୍ୟାଣ ହୋଇଥାଏ। ଏବଂ ପୁରୁଷ ନାରୀକୁ ଯଥେଷ୍ଟ ମର୍ଯ୍ୟାଦା ଦେବା ଉଚିତ। ନାରୀପ୍ରତି ଅପମାନ ବା ନିର୍ଯ୍ୟାତନା ଗ୍ରହଣୀୟ ନୁହେଁ। “ପତି ବିନା ନାରୀର ଗତି ନାହିଁ”। ଏହାର ଅର୍ଥ ନୁହେଁ ନାରୀ ପ୍ରତି ପୁରୁଷ ଯେତେ ଅନ୍ୟାୟ କଲେ ମଧ୍ୟ ଗ୍ରହଣ କରିନେବ। ଏମିତି ଯଦି ହୁଏ ଓ ନାରୀଯଦି ପ୍ରତିବାଦ କରେ ତାହା ପୁରୁଷକୁ କେତେ କଷ୍ଟସାଧ୍ୟ ମାଣବସା ଲକ୍ଷୀପୁରାଣରେ ତାହା ବଣ୍ଣିତ। ବୈକୁଣ୍ଠ ସମାନ ପରିବାର ଗଠନ ପାଇଁ ସ୍ବାମୀ ସ୍ତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଉଭୟଙ୍କ ଭିତରେ ଆତ୍ମ ବିଶ୍ୱାସ, ସମ୍ମାନବୋଧ, ତ୍ୟାଗ, ସହନଶୀଳା ରହିଲେ ପାରିବାରିକ ଅନେକ ସମସ୍ୟାର ସମାଧାନ ହୋଇପାରିବ। ନାରୀବିନା ପୁରୁଷ ଅସମ୍ପୂର୍ଣ୍ଣ।ଉଭୟେ ପରସ୍ପର ପରିପୂରକ ଅଟନ୍ତି। ଘରକୁ ସୁନ୍ଦର କରିବା ପାଇଁ ନାରୀର ବିଶେଷ ଭୂମିକା ରହିଛି। ନାରୀ ସଶକ୍ତିକରଣର ଏକ ସୁନ୍ଦର ସନ୍ଦେଶ ଦେଇ ଆସୁଥିବା ମାଣବସା ଲକ୍ଷ୍ମୀ ପୁରାଣ ସମାଜରେ ସର୍ବଦା ଗ୍ରହଣୀୟ ହୋଇ ରହିବ।