ନର୍ଲା ନିର୍ବାଚନ ମଣ୍ଡଳୀ: ସ୍ଥାନୀୟ ନେତାଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ନର୍ଲାରେ ସ୍ଥାନୀୟ ନେତାଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଜୋରଦାର ଦାବି ହେଉଥିବା ଦେଖାଯାଇଛି। ୧୯୫୭ ମସିହାରେ ସୃଷ୍ଟି ହୋଇଥିବା ନର୍ଲା ବିଧାନସଭା କ୍ଷେତ୍ର ବିଭିନ୍ନ କାରଣ ପାଇଁ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ହୋଇ ଆସୁଛି। ଇତି ମଧ୍ୟରେ ଏହି ବିଧାନସଭା କ୍ଷେତ୍ରରେ ୧୩ ଗୋଟି ନିର୍ବାଚନ ସମାପ୍ତ ହୋଇଯାଇଥିବା ବେଳେ ଆଗାମୀ ୨୦୨୪ ରେ ୧୪ ନମ୍ବର ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଗତ ନିର୍ବାଚନରେ ଏଠାରେ ବହିରାଗତ ପ୍ରାର୍ଥୀଙ୍କ ଗୁରୁତ୍ବ ରହିଥିବା ବେଳେ ଏବେ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ଭଡାଟିଆ ନେତାଙ୍କ ଭିଡ଼ ଜମି ରହୁଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ନର୍ଲା ବିଧାୟକ ପ୍ରାର୍ଥୀ ଟିକଟ ହାତେଇବା ପାଇଁ ଅନ୍ୟ ନିର୍ବାଚନ ମଣ୍ଡଳୀର ନେତାମାନେ କସରତ କରୁଥିବା ଦେଖାଯାଉଛି। ୨୦୦୯ରେ ବହୁ ଆଶା କରି ଜନତା କଂଗ୍ରେସକୁ ଭୋଟ ଦେଇଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋଙ୍କ ଭାବମୂର୍ତ୍ତିକୁ ନଜରରେ ରଖି ଭୋଟର ବିଜୁ ଜନତା ଦଳକୁ ଭୋଟ ଦେଇ ବିଧାୟକ କରାଇଥିଲେ। ସେହିପରି ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଭରସା କରି ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇଲେ ଜନତା ଜନାର୍ଦ୍ଦନ। କିନ୍ତୁ ୨୦୧୯ ନିର୍ବାଚନରେ ଏହି ତିନି ଦଳର ଜିଲ୍ଲା, ରାଜ୍ୟ ତଥା କେନ୍ଦ୍ରୀୟ ନେତାମାନେ ନର୍ଲାବାସୀଙ୍କ ଭାବନାକୁ ବୁଝିପାରିଲେ ନାହିଁ। ସେହି ସମୟରେ କଂଗ୍ରସ, ବିଜେପି ଓ ବିଜେଡ଼ି ସ୍ଥାନୀୟ ପ୍ରାର୍ଥୀତ୍ବଙ୍କୁ ଗୁରୁତ୍ବ ନଦେଇ ଭଡାଟିଆ ନେତାଙ୍କୁ ହିଁ ପ୍ରାର୍ଥୀ କରିଥିଲେ। ଉପେକ୍ଷିତ ହେଲେ ସ୍ଥାନୀୟ ଟିକଟ ଆଶାୟୀ। ଏପଟେ ଭାଗ୍ୟକୁ ନିନ୍ଦିବା ଛଡା ନର୍ଲା ଜନତାର ଅନ୍ୟ ଗତି ନଥିଲା। ଏଠାରେ ଜନତା ପ୍ରଶ୍ନ କରିଛନ୍ତି ଯେ ନର୍ଲାରେ କ’ଣ ପ୍ରାର୍ଥୀର ଅଭାବ ଥିଲା ଯେ, ୨୦୧୯ ନିର୍ବାଚନରେ ନେତା ଆମଦାନୀ ହେଲେ? ଏହି ତିନି ଦଳ ଜାଣିରଖିବା ଉଚିତ ଯେ, ନର୍ଲା ନେତା ତିଆରି କାରଖାନା। ତେବେ ଦୂର୍ଭାଗ୍ୟର ବିଷୟ ୨୦୧୯ ସାଧାରଣ ନିର୍ବାଚନରେ ପ୍ରବଳ ଦାବୀ ସତ୍ତ୍ବେ ମଧ୍ୟ ନର୍ଲା ମାଟିର କୌଣସିବି ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କଲେନାହିଁ ବିଜେପି, ବିଜେଡି, କଂଗ୍ରେସ। ଏହି ତିନି ଦଳ ପାଇଁ ନର୍ଲାର ଅବଦାନ କମନୁହଁ। ୧୯୭୭, ୧୯୮୦, ୧୯୮୫ ଓ ୨୦୦୯ ଏପରି ୪ଥର ବହୁମତରେ କଂଗ୍ରେସ ଏହି ଆସନରୁ ବିଜୟୀ ହୋଇଥିଲା। ୧୯୯୦ ଓ ୧୯୯୫ ଏପରି ଦୁଇଥର ଜନତା ଦଳ ଓ ୧୯୯୫, ୨୦୦୦, ୨୦୧୪ ଓ ୨୦୧୯ରେ ବିଜେଡି ବିଧାୟକ ଗଢିଥିଲା ନର୍ଲା। ଏହି ଆସନରୁ ଥରେ ମଧ୍ୟ ଜିତି ପାରି ନଥିଲେ ହେଁ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନଙ୍କ ସପକ୍ଷରେ ଯାଇଥିଲା ଜନମତ। ଆଗାମୀ ନିର୍ବାଚନରେ ଯେପରି ଭଡାଟିଆ ନେତା ଧାରାର ପୁନରାବୃତ୍ତି ନହୁଏ ସେଥିପାଇଁ ସମସ୍ତ ସ୍ଥାନୀୟ ବାସିନ୍ଦା ସଜାଗ ରହିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ନର୍ଲା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳର ସ୍ଥାନୀୟ ପ୍ରାର୍ଥୀତ୍ବଙ୍କ ମଧ୍ୟରେ ମନୋରମା ମହାନ୍ତି, ପ୍ରେମାନିଧି ସେଠ, ପ୍ରଦୀପ କୁମାର ନାଏକ ପ୍ରମୁଖଙ୍କ ସହ ଆଉ କେତେଜଣଙ୍କ ନାମ ଚର୍ଚ୍ଚାର ପରିଧି ଭିତରେ ରହିଛି।  ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ଯେଉଁ ଦଳ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକଟ ଦେବ ସେ ବିଜୟୀ ହେବାର ସମ୍ଭାବନା ଅଧିକ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.