ଆଖିରେ ଅଖିରେ କଥା କହୁଥିବା
ତୁମେ କଥାକୁହା ପକ୍ଷୀ
(ତୁମେ)କଥାରେ ଜାଲରେ ମନ ବାନ୍ଧୁଥିବା
ଦରଦୀ ବନ୍ଧୁଟେ ସଖୀ।।
ତୁମେ ଚପଳଛନ୍ଦାର ନଇଟିଏ
ଝରୁଥାଅ ଝରଝର ।
ସେ ନଇ ଝରରେ ପାଦ ଖସିଗଲେ
ଆଉ ସେ ନୁହେଁ କାହାର ।।
ତୁମେ ମାୟାବୀ ଚଗଲା ଭଅଁର
କୁହୁକ ରାଇଜ ପେଡି ।
ସାଇତା ଅନେକ ସୃତି ସୁମଧୁର
ଯନ୍ତର ମନ୍ତ୍ର ଗାରେଡି ।।
ମନର ମରୁରେ ମରିଚୀକା ସାଜି
ମନକୁ ନିଅ ଭୁଲାଇ ।
କେତେବେଳେ ପୁଣି ଚୋରାବାଲି ସାଜି
ପାଦକୁ ଦିଅ ଫସାଇ ।।
ତୁମେ ସକାଳର ସୁନେଲି କିରଣ
ମନକୁ ମୋହିତ କର ।
ତୁମେ ସନ୍ଧ୍ୟାର ଗୋଧୁଳି ଲଗନେ
ଅବଶ ଦୁଇ ପୟର ।।
ଝରାସେଫାଳିର କ୍ଷଣିକ ଆୟୁଷ
ଯୌବନେ ତୁମ ଅସ୍ଥିତ୍ବ ।
ତୁମେ ପୁଣି ଚାରିଦିନର ଚାନ୍ଦିନୀ
ଅନ୍ଧାରି ରାତିର ମହତ୍ବ ।।
ତୁମେ ସ୍ବର୍ଗ, ତୁମେ ସ୍ରଷ୍ଟା, ଚୁମେ ହିଁ ତ
ଅମୃତର ବାରିଧାରା ।
ସେହି ପ୍ରେମାଗ୍ନିରେ ଜୀବନ ତେଜନ୍ତି
ପତଙ୍ଗର ସମପରା ।।
ପ୍ରେମ ମିଠା ମିଠା ମିଠା ଜ୍ବଳନର
ଅସରନ୍ତି ଶୀହରଣ ।
ପ୍ରୀତିର ପାର୍ବଣ ଖୁସିର ଶ୍ରାବଣ
ଆନନ୍ଦର ଆହୋରଣ ।।