ଭୁବନେଶ୍ୱର,୧୪/୬ : ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବେ ଯୁବ ଲେଖକ ଶିଶିର ବେହେରା । ତାଙ୍କର ସାହିତ୍ୟ ଆଲୋଚନା ପୁସ୍ତକ “ବିମୁଗ୍ଧ ଉଚ୍ଚାରଣ” ଏହି ସମ୍ମାନଜନକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି । ପ୍ରଥମ ଥର ପାଇଁ ଏଥର ଏକ ଗଦ୍ୟ ରଚନା ପୁସ୍ତକକୁ ଏଥିପାଇଁ ମନୋନୀତ କରିଛି କେନ୍ଦ୍ର ସାହିତ୍ୟ ଏକାଡେମୀ । ଏହି ପୁରସ୍କାର ବାବଦରେ ସମ୍ମାନ ଫଳକ ସହ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ । ୨୦୧୧ ମସିହାରୁ ୩୫ ବର୍ଷରୁ କମ ବୟସର ଯୁବଲେଖକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି । ପୂର୍ବରୁ ଗାୟତ୍ରୀବାଳା ପଣ୍ଡା, ସୃଷ୍ଟିଶ୍ରୀ ନାଏକ, କ୍ଷେତ୍ରବାସୀ ନାଏକ, ନରେନ୍ଦ୍ର କୁମାର ଭୋଇ, ସୁଜିତ ପଣ୍ଡା, ଜ୍ଞାନୀ ଦେବାଶିଷ ମିଶ୍ର, ସୂର୍ଯ୍ୟସ୍ନାତ ତ୍ରିପାଠୀ, ଜୟଦ୍ରଥ ସୁନା ପ୍ରମୁଖ ଏହି ପୁରସ୍କାର ପାଇସାରିଛନ୍ତି । ଏଥିସହିତ ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ‘ବାଲ ପୁରସ୍କାର’ ମଧ୍ୟ ଘୋଷିତ ହୋଇଛି । ବରିଷ୍ଠ ଶିଶୁସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟ ଏଥିପାଇଁ ମନୋନୀତ ହୋଇଛନ୍ତି ।